ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍। ସର୍ବ ସମ୍ମତି କ୍ରମେ ଏହି ବିଲ୍ ପାସ୍ ହୋଇଥିବା ବିଜେଡି ବିଧାୟକ ଅମର ଶତପଥୀ ସୂଚନା ଦେଇଛନ୍ତି। ବ୍ୟୟ ମଞ୍ଜୁରୀ ବିଲ୍ ପାସ୍ କରିବା ପାଇଁ ଆଜି ଲୋକସେବା ଭବନର କନଭେନସନ ହଲରେ ବସିଥିଲା ଦିନିକିଆ ଅଧିବେଶନ।

ବିଭିନ୍ନ ଦଳ ଦଳର ୩୦ ପ୍ରତିଶତ ବିଧାୟକ ଉପସ୍ଥିତ ଥିଲେ। ପ୍ରଥମ ଥର ପାଇଁ ଲୋକସେବା ଭବନରେ ବିଧାନସଭା ଅଧିବେଶନ ବସିଥିଲା। ବିଲ୍‌ ପାସ୍‌ ହେବା ବଜେଟ୍‌ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ବାଚସ୍ପତି।

ଫେବ୍ରୁଆରି ୧୪ରୁ ଓଡ଼ିଶା ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିଲା। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୧୯ ଯାଏଁ ଚାଲିଥାନ୍ତା। ହେଲେ କରୋନା ପାଇଁ ଏହି ଅଧିବେଶନକୁ ବାତିଲ କରାଯାଇଛି।

ବିଧାନସଭାର କିଛି କର୍ମଚାରୀ ଓଡ଼ିଶାର ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ଆକ୍ରାନ୍ତ ଜଣକ ଦିଲ୍ଲୀରୁ ଆସିବା ପରେ ବିଧାନସଭା ଡିସ୍‌ପେନସାରୀ ଔଷଧ ପାଇଁ ଯାଇଥିଲେ। ଏହି ସମୟରେ କିଛି କର୍ମଚାରୀ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଥିଲା। ଫଳରେ ବିଧାନସଭା କର୍ମଚାରୀ କ୍ୱାରେଣ୍ଟାଇନରେ ରହିଛନ୍ତି।

ଆଜି ବ୍ୟୟ ମଞ୍ଜୁରୀ ବିଲ୍‌ ପାସ୍‌ ହେବାର ଥିଲା। ହେଲେ ବିଧାନସଭା କର୍ମଚାରୀ କ୍ୱାରେଣ୍ଟାଇନରେ ରହିଥିବାରୁ ଅଧିବେଶନ ବିଧାନସଭାରେ ହେବାକୁ ବାଚସ୍ପତି ବାରଣ କରିଥିଲେ। ଲୋକସେବା ଭବନର କନଭେନସନ୍‌ ହଲରେ ଅଧିବେଶନ ବସିଥିଲା।

ଏହି ଅଧିବେଶନକୁ ୩୦ ପ୍ରତିଶତ ବିଧାୟକ ଆସିବାକୁ ବାଚସ୍ପତି ସବୁ ଦଳର ନେତାଙ୍କୁ ଅନୁରୋଧ କରିଥିଲେ। ଏହାସହ ଅଧିବେଶନରେ ବିଧାୟକମାନେ ଦୂରତା ରକ୍ଷା କରିଛନ୍ତି। ୨ ମିଟର ବ୍ୟବଧାନରେ ବିଧାୟକମାନେ ବସିଛନ୍ତି।

ଲୋକସେବା କନଭେନସନ୍‌ ହଲ୍‌କୁ ଗତକାଲି ଶୋଧନ କରାଯାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହାକୁ ଶୋଧନ କରିଥିଲେ।

Comment