ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସାରାବିଶ୍ୱରେ କରୋନା ଭାଇରସ (କୋଭିଡ୍‌-୧୯)ର ବାତାବରଣ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଏହି ଭାଇରସ ସଂକ୍ରମଣ ରୋକିବା ପାଇଁ ଏଯାଏଁ କିଛି ପ୍ରତିଷେଧକ ବାହାରିନି। କିନ୍ତୁ ହଁ ସଚେତନ ହେବା ଦ୍ୱାରା ହିଁ ଏହି ଭାଇରସ ସଂକ୍ରମଣରୁ ରକ୍ଷା ପାଇ ହେବ। ଏଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସଙ୍ଗଠନ, ସରକାରଙ୍କ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଉଛି। ତେବେ ବୟସ୍କ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ଏହି ସେମାନେ ଏହି ଭାଇରସ ଦ୍ୱାରା ଶୀଘ୍ର ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଦ ଲାନସେଟ୍‌ ଜର୍ଣ୍ଣାଲ ଦ୍ଵାରା କରାଯାଇଥିବା ରିସର୍ଚ୍ଚ ଅନୁଯାୟୀ, ଯେଉଁମାନେ ବୃଦ୍ଧ, ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗରେ ଆକ୍ରାନ୍ତ, ସେମାନଙ୍କର କରୋନା ଭୂତାଣୁରେ ମୃତ୍ୟୁ ହେବାର ଆଶଙ୍କା ଅଧିକ।

ଚାଇନାର ଉହାନର ଦୁଇଟି ଡାକ୍ତରଖାନାରେ ୧୯୧ ରୋଗୀଙ୍କ ଉପରେ ଏକ ଅଧ୍ୟୟନ କରାଯାଇଥିଲା। ଏହି ରୋଗୀଙ୍କ ମଧ୍ୟରୁ ୫୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ମୃତ ଲୋକଙ୍କ ମଧ୍ୟରେ କାହାଠାରେ ଉଚ୍ଚରକ୍ତଚାପ, ମଧୁମେହ ଓ କାହାଠାରେ ହୃଦଘାତଜନିତ ସମସ୍ୟା ଥିଲା। ୧୯୧ ରୋଗୀଙ୍କ ବୟସ ପ୍ରାୟ ୧୮ରୁ ୮୭ ମଧ୍ୟରେ ଥିଲା ଓ ଅଧିକାଂଶ ରୋଗୀ ପୁରୁଷ ଥିଲେ।

ଭାରତରେ ବହୁ ସଂଖ୍ୟକ ମଧୁମେହ ରୋଗୀ ଅଛନ୍ତି। ଅନ୍ତର୍ଜାତୀୟ ଡାଇବେଟିସ୍‌ ଫେଡେରେସନ୍‌ ଅନୁଯାୟୀ, ୨୦୧୯ରେ ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ୭.୭ କୋଟି ଥିଲା।

ଗ୍ଲୋବାଲ ଆସ୍ଥମା ରିପୋର୍ଟ ଅନୁଯାୟୀ, ଭାରତରେ ୧.୩୧ ବିଲିୟନ୍‌ ଲୋକଙ୍କର ଆସ୍ଥମା ରହିଛି। ଯେଉଁଥିରେ ୬ ପ୍ରତିଶତ ଛୋଟ ପିଲା ଓ ୨ ପ୍ରତିଶତ ବୟସ୍କ ଅଛନ୍ତି।

ଯଦି ପୂର୍ବରୁ ଆପଣ କୌଣସି ରୋଗରେ ପୀଡ଼ିତ, ତା’ ଅର୍ଥ ନୁହଁ ଯେ ଅନ୍ୟମାନଙ୍କ ଅପେକ୍ଷା ଆପଣଙ୍କୁ ଆଗ କରୋନା ସଂକ୍ରମଣ ହେବ। କିନ୍ତୁ ଯଦି ଆପଣଙ୍କୁ କରୋନା ସଂକ୍ରମଣ ହୁଏ, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଅନ୍ୟ ରୋଗୀଙ୍କ ଅପେକ୍ଷା ଅଧିକ ଗୁରୁତର ହୋଇପାରେ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, କରୋନା ଭାଇରସ ସଂକ୍ରମଣ କାରଣରୁ ବୃଦ୍ଧ, ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବା ଲୋକ, ଡାଇବେଟିସ୍‌ ଓ ଉଚ୍ଚରକ୍ତଚାପ ରୋଗୀ ଏବଂ ଆସ୍ଥମା ରୋଗୀ ଗୁରୁତର ଭାବେ ପୀଡ଼ିତ ହୋଇଛନ୍ତି।

Comment