ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲକ୍‌ଡାଉନ୍‌ ଯୋଗୁଁ ସବୁ ଅଚଳ। ବାହାରେ ଫସିଲେ ଦେଢ଼ ଲକ୍ଷ ଓଡ଼ିଆ।

ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟ ବାହାରେ ଓଡ଼ିଆ ଫସିଛନ୍ତି। ପ୍ରାୟ ଦେଢ଼ ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ ଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସେମାନଙ୍କ ପାଖରେ କେମିତି ଖାଦ୍ୟ ଓ ଔଷଧ ଠିକ୍‌ରେ ପହଞ୍ଚିବ ତା’ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

ରାଜ୍ୟ ବାହାରେ ଯେଉଁ ଓଡ଼ିଆମାନେ ଲକ୍‌ଡାଉନ୍‌ ଯୋଗୁଁ ଫସିଛନ୍ତି ସେମାନଙ୍କ ସ୍ଥିତି ଜାଣିବା ପାଇଁ ଲୋକସେବା ଭବନରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୃହ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ବିଭିନ୍ନ ରାଜ୍ୟ ପାଇଁ ନିଯୁକ୍ତ ନୋଡାଲ ଅଫିସରମାନେ ଉପସ୍ଥିତ ଥିଲେ।

ବୈଠକ ପରେ ଗୃହ ସଚିବ ସଞ୍ଜୀବ ଚୋପ୍ରା କହିଥିଲେ, ‘‘ରାଜ୍ୟ ବାହାରେ ଥିବା ଓଡ଼ିଆମାନଙ୍କ ସ୍ଥିତି ସମ୍ପର୍କରେ ନୋଡାଲ ଅଫିସରମାନେ ସରକାରଙ୍କ ରିପୋର୍ଟ ଦେଉଛନ୍ତି। ଦେଢ଼ ଲକ୍ଷ ଲୋକଙ୍କ ଭିତରୁ ୪୦ ହଜାରଙ୍କ ପାଖରେ ପ୍ରଶାସନ ପହଞ୍ଚି ପାରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ କଣ୍ଟ୍ରୋଲ ରୁମ୍‌କୁ ୫ ହଜାର ୨୦୦ ଫୋନ୍‌ କଲ୍‌ ଆସିଛି। ସେମାନଙ୍କ ପାଖରେ କେମିତି ଖାଦ୍ୟ ଓ ଔଷଧ ପହଞ୍ଚି ପାରିବ ସେନେଇ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ କଥା ହୋଇଛୁ।’’

ଦିଲ୍ଲୀ ଏନ୍‌ସିଆର୍‌, ଗୁଜରାଟ ଏବଂ ମୁମ୍ବାଇରେ ଅଧିକ ଓଡ଼ିଆ ଫସିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ରାଜ୍ୟ ବାହାରେ ଯେଉଁ ଓଡ଼ିଆମାନେ ଫସିଛନ୍ତି ସେମାନଙ୍କର ରହିବା ଓ ଖାଇବା ବୁଝିବା ପାଇଁ ଓଡ଼ିଶା ସରକାର ଅନ୍ୟ ରାଜ୍ୟ ସରକାରମାନଙ୍କ ସହ କଥା ହୋଇଥିଲେ। ସେମାନଙ୍କ ପାଇଁ ଯାହା ଖର୍ଚ୍ଚ ହେବ ତାହା ଓଡ଼ିଶା ସରକାର ଭରଣା କରିବେ ବୋଲି କହିଥିଲେ। ଏପଟେ ଓଡ଼ିଶାରେ ଥିବା ଅନ୍ୟ ରାଜ୍ୟର ପ୍ରାୟ ୨୦ ହଜାର ଶ୍ରମିକଙ୍କ ପାଇଁ ୨୦୪ଟି କ୍ୟାମ୍ପ କରାଯାଇଛି।

Comment