ଓଡ଼ିଶାଲାଇଭ୍  କରୋନା ବ୍ୟୁରୋ

ଲକଡାଉନ ସମୟରେ ଆପଣଙ୍କ ପିଲା ଘରେ ଥିବ। ଘରେ ଅଧିକ ସମୟ ରହିଥିବାରୁ ପିଲାମାନେ ଚିଡ଼୍‌ଚିଡ଼ା ସ୍ୱଭାବର ହେଉଥିବେ। ତେବେ ଜାଣନ୍ତୁ କେମିତି ତାଙ୍କୁ ଖୁସିରେ ରଖିବେ।

ପିଲାଙ୍କ ଉପରେ ସବୁବେଳେ ରାଗିବା, ଗାଳି କରିବା ପିଲାଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ। ଏହା ପିଲାଙ୍କୁ ଅବସାଦଗ୍ରସ୍ତ କରିପାରେ। ସେଥିପାଇଁ ପିଲାଙ୍କର ସହିତ ସାଙ୍ଗ ହେବାକୁ ଚେଷ୍ଟା କରନ୍ତୁ। ପିଲା କୌଣସି ଭଲ କାମ କରିଥିଲେ, ସେଥିପାଇଁ ତାକୁ ପ୍ରଶଂସା କରନ୍ତୁ। ଏହାଦ୍ୱାରା ପିଲା ଖୁସି ହେବା ସହିତ ମାନେ ପୁଣି ଥରେ ଭଲ କାମ କରିବାକୁ ଆଗ୍ରହୀ ହେବେ।

ପିଲାଙ୍କୁ ଯୋଗାଯୋଗ ରକ୍ଷା କରିବାରେ ସାହାଯ୍ୟ କରନ୍ତୁ

ପିଲାମାନେ ଖାସ୍ କରି ସେମାନଙ୍କ ବନ୍ଧୁ ମାନଙ୍କ ସହ ଯୋଗାଯୋଗରେ ରହିବାକୁ ପସନ୍ଦ କରନ୍ତି। ପିଲାମାନଙ୍କୁ ସୋସିଆଲ୍ ମିଡିଆ ଅନ୍ୟ ନିରାପଦ ମାଧ୍ୟମରେ ସେମାନଙ୍କ ବନ୍ଧୁ ମାନଙ୍କ ସହ ଯୋଗାଯୋଗ ରଖିବାକୁ ସାହାଯ୍ୟ କରନ୍ତୁ। ଏହାକୁ ଆପଣ ସାଙ୍ଗ ହୋଇ ମଧ୍ୟ କରିପାରିବେ।

ଗୋଟିଏ ଡେଲି ରୁଟିନ୍ କରନ୍ତୁ

କରୋନା ଆମଠାରୁ ଆମର ନିତିଦିନିଆ ଜୀବନ, ଘରର ପରିବେଶ ଓ ସ୍କୁଲ ରୁଟିନ୍ ଇତ୍ୟାଦି ଛଡ଼ାଇ ନେଇଛି। ଏହା ପିଲା, କିଶୋର ଓ ଆପଣଙ୍କ ପାଇଁ ମଧ୍ୟ କଷ୍ଟକର। ଏହା ମଧ୍ୟରେ ନୂଆ ରୁଟିନ୍ କରିବା ସାହାଯ୍ୟକାରୀ ହୋଇପାରେ।    ଆପଣ ନିଜର ଓ ପିଲାମାନଙ୍କର ନିତିଦିନିଆ କାମ ପାଇଁ ରୁଟିନ୍ ପ୍ରସ୍ତୁତ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ କାମ ସହ ଅବସର ବିନୋଦନ ପାଇଁ ମଧ୍ୟ ରୁଟିନ୍ କରନ୍ତୁ। ଏହାଦ୍ୱାରା ପିଲାମାନେ ଆପଣଙ୍କ ସହ ଅଧିକ ସହଜ ଭାବେ ବ୍ୟବହାର କରିବେ। ରୁଟିନ୍ ପ୍ରସ୍ତୁତ କରିବା ବେଳେ କିଶୋର ମାନଙ୍କୁ ସାମିଲ୍ କରନ୍ତୁ। ପ୍ରତି ଦିନର କାମରେ ବ୍ୟାୟାମକୁ ସାମିଲ କରନ୍ତୁ। ଏହା ମାନସିକ ଚାପ ଦୂର କରିବା ସହ ପିଲାଙ୍କୁ ଉତ୍ସାହୀ ରଖିବ।

ନିରାପଦ ଥିଲେ ପିଲାଙ୍କୁ ବାହାରେ ଖେଳିବାକୁ ଛାଡ଼ନ୍ତୁ। କରୋନା ସମ୍ପର୍କରେ ସଚେତନତା ପାଇଁ ପିଲାଙ୍କୁ ଚିଠି ଲେଖି ବା ଚିତ୍ର ଆଙ୍କି ଲୋକଙ୍କୁ ଦେଖାଇବାକୁ କହନ୍ତୁ।। ଅନ୍ୟ ମାନଙ୍କ ଦେଖିବା ପାଇଁ ନିଜ ଘର ବାହାରେ ଏସବୁ ଲଗାନ୍ତୁ। ଆପଣ

ମଜାଳିଆ ଢଙ୍ଗରେ ହାତ ଧୁଆ ଶିଖାନ୍ତୁ

ହାତ ଧୋଇବା ପାଇଁ ଗୋଟିଏ ୨୦ ସେକେଣ୍ଡର ଗୀତ ପ୍ରସ୍ତୁତ କରନ୍ତୁ। ଏହା ସହ ଅଙ୍ଗଭଙ୍ଗୀ ଯୋଡ଼ନ୍ତୁ। ପିଲାଙ୍କୁ ନିୟମିତ ଭାବେ ହାତ ଧୋଇବା ନେଇ ପ୍ରଶଂସା କରନ୍ତୁ ଏବଂ ସେଥିପାଇଁ ପଏଣ୍ଟ ଦିଅନ୍ତୁ। ଆମେ କେତେ କମ୍ ଥର ନିଜ ମୁହଁକୁ ଛୁଇଁ ପାରିବା ତାହା ଦେଖାଇବା ପାଇଁ ଗୋଟିଏ ଗେମ୍ ପ୍ରସ୍ତୁତ କରନ୍ତୁ। ସବୁଠାରୁ କମ୍ ଥର ମୁହଁକୁ ଛୁଇଁଥିବା ପିଲାକୁ ପୁରସ୍କାର ଦିଅନ୍ତୁ।

ପିଲାଙ୍କ ବ୍ୟବହାରରେ ସୁଧାର ଆଣନ୍ତୁ

ସବୁ ପିଲା ସମୟ ସମୟରେ ଖରାପ ଆଚରଣ ପ୍ରଦର୍ଶନ କରନ୍ତି। ତେଣୁ ସେମାନଙ୍କର  ଖରାପ ବ୍ୟବହାରକୁ ପ୍ରଥମରୁ ଚିହ୍ନଟ କରି ସୁଧାରିବାକୁ ପ୍ରୟାସ କରନ୍ତୁ। ନିଜେ ମଧ୍ୟ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସେହିପରି ଖରାପ ବ୍ୟବହାର ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପିଲାକୁ ଚେତାବନୀ ଦିଅନ୍ତୁ । ରାଗିକରି ପିଲାକୁ ମାରିବା କିମ୍ବା ତା’ ଉପରେ ପାଟି କରିବା ଅପେକ୍ଷା ଏହା ଅଧିକ ସୁଫଳ ପ୍ରଦାନ କରେ।

ଅବସାଦ ଦୂର ପାଇଁ ନିଜର ଯତ୍ନ ନିଅନ୍ତୁ

ବର୍ତ୍ତମାନର ଘଡ଼ିସନ୍ଧି ସମୟରେ ଜଣେ ମାନସିକ ଭାବେ ଚାପଗ୍ରସ୍ତ ରହିବା ସ୍ୱାଭାବିକ କଥା । ତେବେ ଏହି ସମୟରେ ପ୍ରଥମେ ନିଜର ଯତ୍ନ ନିଅନ୍ତୁ। ତା’ ହେଲେ ଯାଇ ଆପଣ ପିଲାମାନଙ୍କ କଥା ବୁଝିପାରିବେ। କରୋନାକୁ ନେଇ ଆପଣ କେବଳ ଏକମାତ୍ର ବ୍ୟକ୍ତି ଭାବେ ଚିନ୍ତିତ ନୁହନ୍ତି । ଲକ୍ଷ ଲକ୍ଷ ଲୋକ ଏହାକୁ ନେଇ ଚାପରେ ଅଛ[ତେଣୁ ଏ ସଂପର୍କରେ ଆପଣ କ’ଣ ଭାବୁଛନ୍ତି ସେ ନେଇ ଅନ୍ୟ କାହା ସହ କଥା ହୁଅନ୍ତୁ । ତାଙ୍କ କଥା ଶୁଣନ୍ତୁ ।

ପିଲାଙ୍କୁ କୋଭିଡ-୧୯ କଥା କୁହନ୍ତୁ

ପିଲାମାନେ ନିଶ୍ଚିତ ଭାବେ କରୋନା ଭାଇରସ ବା କୋଭିଡ-୧୯ ସଂପର୍କରେ କିଛି ଶୁଣିଥିବେ। ଏପରିସ୍ଥଳେ ନିରବ ରହିଲେ ପିଲାମାନେ ସୁରକ୍ଷିତ ରହିବେ ନାହିଁ । ତେଣୁ ସେମାନଙ୍କୁ ପ୍ରଥମେ ସେମାନେ ଏ ସଂପର୍କରେ କ’ଣ ଜାଣିଛନ୍ତି ତାହା କହିବାକୁ କୁହନ୍ତୁ । ଆପଣ ଇଚ୍ଛା କଲେ ପ୍ରଶ୍ନ କରି ସେମାନଙ୍କଠାରୁ ଏହା ବୁଝିପାରିବେ । ଅନ୍ୟପଟେ ପିଲା କିଛି ପ୍ରଶ୍ନ କଲେ ତାର ବୟସ ଓ ସେ ଏ ସଂପର୍କରେ କେତେ ବୁଝିପାରିବ ତାହା ଆକଳନ କରି  ଉତ୍ତର ଦିଅନ୍ତୁ। ଯଦି କୌଣସି ପ୍ରଶ୍ନର ଉତ୍ତର ଜାଣିନାହାନ୍ତି ତା’ ହେଲେ ସ୍ପଷ୍ଟ ଭାବେ ତାକୁ ଏହା କହନ୍ତୁ। ସେହି ପ୍ରଶ୍ନର ଉତ୍ତର ଜାଣିବାକୁ ଉଦ୍ୟମ କରନ୍ତୁ।

ସେହିପରି କରୋନା ଆକ୍ରାନ୍ତ ରୋଗୀ ଓ ତାଙ୍କୁ ଚିକିତ୍ସା କରୁଥିବା ଲୋକଙ୍କ ପ୍ରତି ଆମେ ସହାନୁଭୂତିଶୀଳ ହୋଇପାରିବା ବୋଲି ତାକୁ ଶିଖାନ୍ତୁ । ଆବଶ୍ୟକ ହେଲେ ଏ ସଂପର୍କରେ କାହାଣୀକୁ ଶୁଣାଇ ପାରିବେ । କରୋନା ସଂପର୍କରେ ଆଜିକାଲି ବହୁତ ଗୁଜବ ପ୍ରସାରିତ ହେଉଛି । ତେଣୁ ୟୁନିସେଫ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭଳି ସଂସ୍ଥାର ଖବରକୁ ବିଶ୍ୱାସ କରନ୍ତୁ । ଯଦି ପିଲାଟି ଭୟଭୀତ ଥାଏ ତା’ ହେଲେ ତାକୁ ଆପଣ ପ୍ରବୋଧନା ଦିଅନ୍ତୁ। ଆପଣ ତା’ ସହ ଅଛନ୍ତି ବୋଲି ତାକୁ ବାରମ୍ବାର ପ୍ରତିଶ୍ରୁତି ଦିଅନ୍ତୁ।

Comment