ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଏଣିକି କଟକ ଏସ୍‌ସିବି ମେଡିକାଲ କଲେଜରେ ହୋଇପାରିବ କରୋନା ପରୀକ୍ଷା। ଏସ୍‌ସିବି ମେଡିକାଲ କଲେଜରେ କରୋନା ନମୁନା ପରୀକ୍ଷା ପାଇଁ ଆଇସିଏମଆର ଅନୁମତି ଦେଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ଏସ୍‌ସିବି ମେଡିକାଲରେ କରୋନା ନମୁନା ପରୀକ୍ଷା ପାଇଁ ଆଇସିଏମଆରକୁ ଅନୁମତି ମାଗିଥିଲେ ରାଜ୍ୟ ସରକାର।

ବର୍ତ୍ତମାନ ଭୁବନେଶ୍ଵର ଏମ୍‌ସ ଓ ଆରଏମଆରସିରେ କରୋନା ନମୁନା ପରୀକ୍ଷା ହେଉଛି। ରାଜ୍ୟରେ ଅନ୍ୟ ମେଡିକାଲରେ ଯଥାଶୀଘ୍ର କରୋନା ନମୁନା ପରୀକ୍ଷା କରିବା ପାଇଁ ଅନୁମତି ମଗାଯାଇଛି। ଏହାସହ ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣରେ ମାସ୍କ ଯୋଗାଇ ଦେବାକୁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟକୁ ନିବେଦନ କରାଯାଇଛି।

ଖୁବଶୀଘ୍ର ବୁର୍ଲାସ୍ଥିତ ଭିମସାର ଓ ବ୍ରହ୍ମପୁରସ୍ଥିତ ଏମକେସିଜିରେ କରୋନା ପରୀକ୍ଷା ସୁବିଧା ଉପଲବ୍ଧ ହେବ ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି। ଏହାସହ ରାଜ୍ୟରେ ଥିବା ବିଭିନ୍ନ ବେସରକାରୀ ହସ୍ପିଟାଲରେ କରୋନା ପରୀକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ରାଜ୍ୟ ସରକାର। ଏହାସହ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଖୋଲିବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତା ରକ୍ଷା କରିବା। ଏଥିପାଇଁ ସାରା ଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି। ଲକ୍‌ଡାଉନ ନିୟମ ମାନିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ଅପିଲ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା ଦେଶରେ ୧୧୧୭ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମଧ୍ୟରୁ ୩୨ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୨ଶହ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment