ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜରୁରୀ କାମ ଥିଲେ ଘରୁ ବାହାର, ନହେଲେ ଘରେ ରୁହ ବୋଲି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ହେଲେ ଏହାକୁ କିଛି ଲୋକ ମାନୁ ନାହାନ୍ତି। ଲକ୍‌ଡାଉନ୍‌ ନିୟମ ଭାଙ୍ଗିବା ଅଭିଯୋଗରେ ଗତ ୨୪ ଘଣ୍ଟା ଭିତରେ ୧୯୮ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ ନମାନିବା ଅଭିଯୋଗରେ ୨ ଏବଂ ଅନ୍ୟ ଅଭିଯୋଗରେ ୯ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଲକ୍‌ଡାଉନ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର ଓ ସରକାର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଛକ ସିଲ୍‌ କରି ପୋଲିସ ଲୋକଙ୍କୁ ଜଗୁଛି। ହେଲେ କିଛି ଲୋକ ବାହାନା କରି ଘରୁ ଚାଲି ଆସୁଛନ୍ତି। ପ୍ରଥମ ଦୁଇ ଦିନ ବୁଝାସୁଝା କରି ପୋଲିସ ଲୋକଙ୍କୁ ଫେରାଇ ଦେଇଥିଲା। ହେଲେ ଲୋକ ଏହି ନିୟମ ନମାନିବାରୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି।

କେଉଁଠି ଅମାନିଆଙ୍କୁ ଲାଠି ମାଡ଼ ହେଉଛି ତ ପୁଣି କେଉଁଠି କାନଧରି ଉଠ୍‌ ବସ୍‌ କରୁଛି ପୋଲିସ। ହେଲେ ଲୋକମାନେ ଆଦୗ ସୁଧୁରୁ ନାହାନ୍ତି। ଏବେ ପୋଲିସ ନିୟମ ଭାଙ୍ଗୁଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ କରୁଛି।

Comment