ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ମୁକାବିଲା ପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରିବାକୁ କେନ୍ଦ୍ର ସରକାଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମ କୋର୍ଟ। ଆଜି ସୁପ୍ରିମ କୋର୍ଟ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କୁ ପାଇଁ ରିଲିଫ ଆବେଦନ ଉପରେ ଶୁଣାଣି କରିଥିଲେ। ଏହି ଅବସରରେ କରୋନାକୁ ନେଇ ଏକ ସୂଚନା ପୋର୍ଟାଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଲକ୍‌ଡାଉନ ସମୟରେ ବିଭିନ୍ନ ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କୁ ଖାଇବା, ରହିବା ସୁବିଧା ଯୋଗାଇ ଦେବାକୁ କେନ୍ଦ୍ର ସରକାରକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ୨୪ ଘଣ୍ଟା ମଧ୍ୟରେ କରୋନା ବିଶେଷଜ୍ଞ ଟିମ୍ ଗଠନ କରିବାକୁ କେନ୍ଦ୍ର ସରକାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ କରୋନାକୁ ନେଇ ଗୁଜବ କରୁଥିବା ଲୋକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସୋସିଆଲ ମିଡିଆରେ କରୋନାକୁ ନେଇ ଗୁଜବ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

କରୋନାକୁ ନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦିଆଯାଇଛି। ଏହାସହ ପ୍ରତିଦିନ କରୋନା ଅପଡେଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ଭାଇରସକୁ ନେଇ ଭାରତରେ ସ୍ଥିତି ଗମ୍ଭୀର ହେବାକୁ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୨ଜଣଙ୍କ ମୃତ୍ୟୁ ହୋଇଛି। ସେହିଭଳି ଗତ ୨୪ଘଣ୍ଟା ମଧ୍ୟରେ ୨ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ସାରାଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି।

Comment