ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

‘‘ମୋ’ ଛାତିରେ ଯନ୍ତ୍ରଣା ହେଉଛି, ଯଦି ମତେ ନେବା ପାଇଁ ଆସି ପାରିବ ତ ଆସ।’’ ଏହା ହେଉଛି ଦିଲ୍ଲୀରୁ ଆଗ୍ରା ଅଭିମୁଖେ ନିଜ ଘରକୁ ଯାଉଥିବା ବେଳେ ରଣବୀରଙ୍କ ଶେଷ କଲ୍‌ର ଶେଷ କଥା। କରୋନା ଭାଇରସର ମୁକାବିଲା ପାଇଁ ପୂରା ଦେଶ ଏବେ ବନ୍ଦ। କିଏ ଚାକିରି ହରାଇଛି ତ କିଏ ଖାଦ୍ୟ ନ ପାଇ ନିଜ ଘରକୁ ଫେରୁଛନ୍ତି। ଆମେ ଆଜି ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଚାକିରି ହରାଇବା ପରେ ଘରକୁ ଫେରୁଥିଲେ। ହେଲେ ଏମିତି ଆସିଲା ମୃତ୍ୟୁ।

ମଧ୍ୟପ୍ରଦେଶର ରଣବୀର ସିଂହ ଦିଲ୍ଲୀରେ ଡେଲିଭରି ମ୍ୟାନ୍‌ ଭାବରେ କାମ କରୁଥିଲେ। ହେଲେ ଲକ୍‌ଡାଉନ୍‌ ସମୟରେ ଚାରିଆଡ଼େ ତାଲା ପଡ଼ିବା ହେତୁ ତାଙ୍କ କାମ ବି ବନ୍ଦ ହୋଇଗଲା। ଦିଲ୍ଲୀରେ ରହିବା, ଖାଇବା ଓ ପିଇବା ଭଳି ସମସ୍ୟା ହେବା ପରେ ନିଜ ଗାଁକୁ ଯିବାକୁ ସ୍ଥିର କରିଥିଲେ ରଣବୀର। କିନ୍ତୁ ଲକ୍‌ଡାଉନ୍‌ ଯୋଗୁଁ ବସ୍‌ ଚଳାଚଳ ନଥିବାରୁ ଚାଲିକି ଯିବା ଆରମ୍ଭ କଲେ ରଣବୀର। ଦିଲ୍ଲୀ ଛାଡ଼ି ଫରିଦାବାଦରେ ପହଞ୍ଚିବା ପରେ ରଣବୀର ତାଙ୍କ ଭଉଣୀକୁ ଫୋନ୍‌ କରି କଥା ହୋଇଥିଲେ।

ରଣବୀରଙ୍କ ଭଉଣୀ କହନ୍ତି, ‘‘ଯେତେବେଳେ ମୁଁ ଭାଇଙ୍କୁ ଫୋନ୍‌ କରିଥିଲି, ସେତେବେଳେ ସେ କହିଥିଲେ ଲକ୍‌ଡାଉନ୍‌ ହେତୁ ସବୁ ବନ୍ଦ ହୋଇଯାଇଛି। ତେଣୁ ସେ ଘରକୁ ଚାଲିକି ଯାଉଛନ୍ତି। ଭାଇଙ୍କ ଏହି କଥା ମତେ ଅଜବ ଲାଗିଥିଲା।’’

ଭାଇଙ୍କ ସହ କଥା ହେବା ପରେ ସେ ଶୋଇପଡ଼ିଥିଲେ। ହେଲେ ଭୋର ୫ଟା ବେଳେ ଭାଇଙ୍କୁ ଫୋନ୍‌ କରିଥିଲେ।

ରଣବୀରଙ୍କ ଭଉଣୀ ଆହୁରି ମଧ୍ୟ କହିଛନ୍ତି, ‘‘ଏହି ଫୋନ୍‌ କଲ୍‌ ବେଳେ ଭାଇ କହିଲେ ମୋର ଛାତିରେ ଯନ୍ତ୍ରଣା ହେଉଛି। ମୁଁ ତାଙ୍କୁ କୌଣସି ଏକ ସ୍ଥାନରେ ବସିବାକୁ କହିଥିଲି।’’ ରଣବୀର ସକାଳେ ଦିଲ୍ଲୀରୁ ମଥୁରା ଦେଇ ଆଗ୍ରାରେ ପହଞ୍ଚିଥିଲେ। ସେତେବେଳେ ରଣବୀର ବହୁତ ଥକି ଯାଇଥିଲେ। ରଣବୀର ଏହି ଯାତ୍ରା ସମୟରେ ତାଙ୍କର ଜଣେ ସମ୍ପର୍କୀୟ ଅରବିନ୍ଦ ସହ ଯୋଗାଯୋଗରେ ଥିଲେ।

ଅରବିନ୍ଦ ସିଂ କହନ୍ତି, ‘‘ମୁଁ ରାତିରେ ରଣବୀରଙ୍କ ସହ କଥା ହୋଇଥିଲି। କରୋନା ଭୟ ଯୋଗୁଁ ତାଙ୍କୁ ବାଟରେ କେହି ସାହାଯ୍ୟ କରି ନଥିଲେ। ସେ ଚାଲି ଚାଲି ବହୁତ ଥକି ଯାଇଥିଲେ।’’

ସକାଳ ୬ଟାରେ ଜାତୀୟ ରାଜପଥରେ ରଣବୀରଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ଅରବିନ୍ଦଙ୍କୁ ଫୋନ୍‌ କରି କହିଥିଲେ ଯେ, ତାଙ୍କ ଛାତିରେ ଯନ୍ତ୍ରଣା ହେଉଛି, ଯଦି ମତେ ନେବା ପାଇଁ ଆସିପାରିବ ତ ଆସ। ଏହାପରେ ରଣବୀରଙ୍କ କିଛି କଥା ଶୁଭିଲା ନାହିଁ ବୋଲି ଅରବିନ୍ଦ କହିଛନ୍ତି।

‘‘ଏହି କଲ୍‌ର ଆଠ ମିନିଟ୍‌ ପରେ ମୁଁ କଲ୍‌ କରିଥିଲି। ହେଲେ ଫୋନ୍‌ ଆଉ ଜଣେ କିଏ ରିସିଭ୍‌ କରି କହିଲେ ରଣବୀର ସମ୍ପୂର୍ଣ୍ଣ ଭାବରେ ଅସୁସ୍ଥ। ମୁଁ ପହଞ୍ଚିଲା ବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଛି’’ କହିଛନ୍ତି ଅରବିନ୍ଦ।

Comment