ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରା ବିଶ୍ଵରେ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି କରୋନା ଭାଇରସ। କରୋନାକୁ ନେଇ ବାରମ୍ବାର ଲୋକଙ୍କୁ ସଚେତନ କରାଯାଉଛି। କରୋନା ଲକ୍ଷଣ ଦେଖାଗଲେ କିମ୍ବା କରୋନା ସଂକ୍ରମିତ ସ୍ଥାନରୁ ଫେରିଥିଲେ ୧୪ଦିନ କ୍ଵାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି। ତେବେ ଆପଣ ଯଦି ହୋମ କ୍ଵାରେଣ୍ଟାଇନରେ ରହିଛନ୍ତି, ତାହେଲେ ଆପଣାନ୍ତୁ ଏହି ୭ଟି ଦିଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

୧. ହୋମ କ୍ଵାରେଣ୍ଟାଇନରେ ରହିଲେ ଘରେ ଅନ୍ୟ ଏକ ରୁମ୍‌ରେ ରୁହନ୍ତୁ। ରୁମ୍‌ ସହ ସଲଗ୍ନ ଶୌଚଳୟ ରହିଥିବା ଆବଶ୍ୟକ। ଏହାସହ ସେଠାକାର ପରିଷ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ଦିଅନ୍ତୁ।

୨. ଘରର କୌଣସି ସଦସ୍ୟକୁ ଏହି ରୁମ୍‌ ଭିତରକୁ ଆସିବାକୁ ଦିଅନ୍ତୁ ନାହିଁ। ଏହାଛଡ଼ା ଘରେ ଯଦି କୌଣସି ଗୃହପାଳିତ ପଶୁ ବା ପକ୍ଷୀ ରହିଛନ୍ତି ସେମାନେ ମଧ୍ୟ ଯେପରି ଏହି ରୁମ୍‌ ଭିତରକୁ ନଆସିବେ ସେ ଦିଗରେ ଦିଅନ୍ତୁ।

୩. ଯଦି ପରିବାରର କୌଣସି ବ୍ୟକ୍ତି ହୋମ କ୍ଵାରେଣ୍ଟାଇନରେ ଥିବା ପାଖକୁ ଯାଉଛନ୍ତି ତାହେଲେ ତାଙ୍କୁ ମାସ୍କ ଓ ହାତରେ ଗ୍ଲବ୍‌ସ ପିନ୍ଧି ଯିବାକୁ କୁହନ୍ତୁ। ତାଙ୍କଠାରୁ ୨ମିଟର ଦୂରତା ରକ୍ଷା କରିବାକୁ ଚେଷ୍ଟା କରନ୍ତୁ। ଏହାସହ ଏହି ସମୟରେ ପାଟି, ମୁହଁ, ନାକ, କାନରେ ହାତ ମାରିବାକୁ ବାରଣ କରନ୍ତୁ।

୪. ହୋମ କ୍ଵାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ସହ ସଂସ୍ପର୍ଶରେ ଆସିବା ପରେ ହାଣ୍ଡାଓ୍ଵାସ ବା ସାବୁନରେ ଭଲ କରି ହାତ ଧୁଅନ୍ତୁ।

୫. ହୋମ କ୍ଵାରେଣ୍ଟାଇନରେ ଥିବା ବ୍ୟକ୍ତି ବ୍ୟବହାର କରୁଥିବା ଟଉଲିଆ, ବିଛଣା ଆଦିକୁ ପ୍ରତିଦିନ ସଫା କରନ୍ତୁ। ଏହାସହ ହୋମ କ୍ଵାରେଣ୍ଟାଇନରେ ଥିବା ବ୍ୟକ୍ତି ବ୍ୟବହାର କରୁଥିବା ଗ୍ଲାସ, ପ୍ଲେଟ, ମୋବାଇଲ ଆଦିକୁ ବ୍ୟବହାର କରନ୍ତୁ ନାହିଁ।

୬. ଛୋଟ ପିଲା ଏବଂ ବୟସ୍କ ଲୋକଙ୍କୁ କ୍ଵାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ସହ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ। ଛୋଟ ପିଲା ଓ ବୟସ୍କ ବ୍ୟକ୍ତିଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ। ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତି ବା ଛୋଟ ପିଲାଙ୍କୁ କରୋନା ସଂକ୍ରମଣର ଆଶଙ୍କା ରହିଛି।

୭. ଏସବୁ ବାଦ ହୋମ କ୍ଵାରେଣ୍ଟାଇନରେ ଥିବା ବ୍ୟକ୍ତିଙ୍କ ଦେହ ଅସୁସ୍ଥ ଲାଗିଲେ ସଙ୍ଗେ ସଙ୍ଗେ ୧୦୪ରେ କଲ୍ କରି ଜଣାନ୍ତୁ। ଡାକ୍ତର କିମ୍ବା ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ଏହି ରୋଗ ସମ୍ବନ୍ଧରେ ଜାଣନ୍ତୁ। ଏହାସହ କରୋନା ଲକ୍ଷଣ ଦେଖାଗଲେ ସେନେଇ ଡାକ୍ତରଙ୍କୁ ସଠିକ୍ ସୂଚନା ଦିଅନ୍ତୁ।

ଭାରତରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୧୫୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୫ଜଣଙ୍କ ମୃତ୍ୟୁ ହୋଇଛି। କରୋନାକୁ ନେଇ ବାରମ୍ବାର ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏପ୍ରିଲ ୧୪ ତାରିଖ ଯାଏଁ ସାରାଦେଶକୁ ଲକ୍‌ଡାଉନ ଘୋଷଣା କରାଯାଇଛି।

Comment