ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା କଲେ କେନ୍ଦ୍ର କ୍ୟାବିନେଟ୍‌ ସଚିବ।

କରୋନା ମୁକାବିଲା ନେଇ ଆଜି କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜ୍ୟ ସରକାରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ଓଡ଼ିଶାରେ ସ୍ଥିତି କ’ଣ ଅଛି, ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ଏବଂ ଲକ୍‌ଡାଉନ୍‌ ଉପରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ବେଳେ ଓଡ଼ିଶା ସରକାର କେନ୍ଦ୍ର ପାଖରେ ବିଭିନ୍ନ ଦାବି ରଖିଥିଲେ।

କରୋନା ନମୁନା ପରୀକ୍ଷା କରିବା ପାଇଁ ଅଧିକ କିଟ୍‌ ଯୋଗାଇଦେବାକୁ ରାଜ୍ୟ ସରକାର ଦାବି କରିଥିଲେ। ଏହାସହ ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ରହିବା ଓ ଖାଇବା ଦାୟିତ୍ୱ ବୁଝିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ ରାଜ୍ୟ ସରକାର।

ଲକ୍‌ଡାଉନ୍‌ ନିୟମକୁ କଡ଼ାକଡ଼ି ପାଳନ କରିବାକୁ କେନ୍ଦ୍ର କ୍ୟାବିନେଟ୍‌ ସଚିବ ରାଜ୍ୟ ସରକାରଙ୍କୁ କହିଥିଲେ। ଯେଉଁମାନେ ନିୟମ ଭାଙ୍ଗୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଦାବି ରଖିଥିଲା। ଏହାସହ ଜିଲ୍ଲା ସୀମା ସିଲ୍‌ ଏବଂ ବିଭିନ୍ନ ସହର ଭିତର ଦେଇ ଯାଇଥିବା ରାଜପଥ ସିଲ୍‌ ଉପରେ ଆଲୋଚନା ହୋଇଥିଲା।

ଆଲୋଚନା ବେଳେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ପୋଲିସ ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment