ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସୁସ୍ଥ ହୋଇ ଘରକୁ ଫେରିଲେ ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ। ଟୁଇଟ୍ କରି ସୂଚନା ଦେଲେ ରାଜ୍ୟ ସରକାର।

ଭୁବନେଶ୍ୱରରୁ ଆସିଲା ଭଲ ଖବର। ଏମ୍‌ସରେ ଗତ ମାର୍ଚ୍ଚ ୧୯ରୁ ଚିକିତ୍ସିତ ହେଉଥିବା ଦ୍ୱିତୀୟ କରୋନା ଆକ୍ରାନ୍ତ ଏବେ ସୁସ୍ଥ ହୋଇ ଘରକୁ ଫେରିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବୁଧବାର ରାତିରେ ଟୁଇଟ୍‌ କରି ସୂଚନା ଦେଇଛି। ୧୪ ଦିନର ଯୁଦ୍ଧ ପରେ ଓଡ଼ିଶାର ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାରୁ ରାଜ୍ୟବାସୀ ଆଶ୍ୱସ୍ତ ହୋଇଛନ୍ତି।

ମାର୍ଚ୍ଚ ୧୮ ତାରିଖରେ ବ୍ରିଟେନରୁ ଓଡ଼ିଶାରେ ପହଞ୍ଚିଥିଲେ ଏହି ଯୁବକ। ୧୯ ତାରିଖରେ ତାଙ୍କ ନମୁନା ପଜିଟିଭ୍‌ ଆସିଥିଲା। ଏହାପରେ ସେ ଭୁବନେଶ୍ୱର ଏମ୍‌ସରେ ଆଇସୋଲେସନରେ ରହିଥିଲେ। ତାଙ୍କ ପରିବାର ସଦସ୍ୟ ମଧ୍ୟ କ୍ୱାରେଣ୍ଟାଇନ୍‌ରେ ରହିଥିଲେ।

ଏହି ଦ୍ୱିତୀୟ ଆକ୍ରାନ୍ତଙ୍କୁ ନେଇ ସେତେବେଳେ ବିବାଦ ଦେଖାଦେଇଥିଲା। ଆକ୍ରାନ୍ତ ଜଣକ ଏମ୍‌ସର ଜଣେ ବରିଷ୍ଠ ଅଧିକାରୀଙ୍କ ପୁଅ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ବିଦେଶରୁ ଆସିଥିବା ତାଙ୍କ ପୁଅଙ୍କୁ ସେ କେମିତି ଖୁଲମଖୁଲା ସମସ୍ତଙ୍କ ସହ ମିଶିବାକୁ ସୁଯୋଗ ଦେଲେ ତାକୁ ନେଇ ଅନ୍ୟ କର୍ମଚାରୀମାନେ ପ୍ରଶ୍ନ ଉଠାଇଥିଲେ। କରୋନା ପାଇଁ ଥିବା ନିୟମ ଭାଙ୍ଗିଥିବାରୁ ଏମ୍‌ସ ବରିଷ୍ଠ ଅଧିକାରୀଙ୍କୁ ନେଇ ହଟଚମଟ ଲାଗି ରହିଥିଲା। ହେଲେ ଏମ୍‌ସ୍‌ କର୍ତ୍ତୃପକ୍ଷ କୌଣସି ନିୟମ ଭଙ୍ଗା ଯାଇନଥିବା ସେତେବେଳେ ସ୍ପଷ୍ଟୀକରଣ ଦେଇଥିଲେ।

ସେବେଠାରୁ ସେ ଏମ୍‌ସର ଆଇସୋଲେସନ ୱାର୍ଡରେ ଚିକିତ୍ସାଧୀନ ଥିଲେ। ଏମ୍‌ସରେ ଦ୍ଵିତୀୟ ଆକ୍ରାନ୍ତ ୧୪ ଦିନ ଯାଏଁ କରୋନା ସହ ଲଢ଼େଇ କରିଥିଲେ। ଗତ ୨୪ ଘଣ୍ଟା ଭିତରେ ଏହି ଯୁବକଙ୍କର ଦୁଇ ଥର ରକ୍ତ ନମୁନା ପରୀକ୍ଷା ହୋଇଥିଲା। ଦୁଇଟି ଯାକ ରିପୋର୍ଟ ନେଗେଟିଭ୍‌ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କ ବୟସ ୩୮ ବର୍ଷ ଥିଲା। ସେ ଇଟାଲିରୁ ଭୁବନେଶ୍ୱର ଆସିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍‌ ପରୀକ୍ଷା ପଜିଟିଭ୍‌ ଆସିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ୧୮ ଦିନ ହେଲା ସେ କରୋନା ସହ ଲଢ଼େଇ କରୁଛନ୍ତି।

ବୁଧବାର ରାଜ୍ୟର ଦ୍ୱିତୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ଖବର ଆଶ୍ୱସ୍ତି ଆଣିଥିବା ବେଳେ ସେହି ରାତିରେ ଆଉ ଜଣେ ସଂକ୍ରମିତ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି।

Comment