ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ ବଢ଼ିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।

ଓଡ଼ିଶାରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ମାର୍ଚ୍ଚ ମାସରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏପ୍ରିଲ ଆରମ୍ଭରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ଏବେ ସବୁଠି ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏପ୍ରିଲ ପହିଲା ରାତିରେ ପଞ୍ଚମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ପଞ୍ଚମ କରୋନା ଆକ୍ରାନ୍ତଙ୍କ ଘର ଭୁବନେଶ୍ୱରର ସୂର୍ଯ୍ୟନଗରରେ। ତାଙ୍କ ବୟସ ୬୦ ବର୍ଷ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କ ଏମ୍‌ସର ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି। ଏବେ ସେ କେତେ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ତାକୁ ନେଇ ଖୋଳତାଡ଼ ଚାଲିଛି।

ପଞ୍ଚମ କରୋନା ରୋଗୀ କେଉଁ ଆଡ଼େ ଯାଇଥିଲେ ଏବଂ କାହା ସ୍ପଂର୍ଶରେ ଆସିଥିଲେ ତାହା ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍‌ ଉଦ୍ୟମ ଆରମ୍ଭ କରିଛି।

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଚାରି ଦିନ ପରେ ଅର୍ଥାତ୍‌ ୧୯ ତାରିଖରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମ କରୋନା ରୋଗୀ ଇଟାଲିରୁ ଆସିଥିବା ବେଳେ ଦ୍ୱିତୀୟ ରୋଗୀ ବ୍ରିଟେନରୁ ଆସିଥିଲେ।

ମାର୍ଚ୍ଚ ୨୫ରେ ତୃତୀୟ ଏବଂ ୩୦ ତାରିଖରେ ଚତୁର୍ଥ ରୋଗୀ ଚିହ୍ନଟ ହୋଇଥିଲେ। ତୃତୀୟ ରୋଗୀ ଦିଲ୍ଲୀରୁ ଆସିଥିବା ବେଳେ ଚତୁର୍ଥ ରୋଗୀ ଦୁବାଇରୁ ଆସିଥିଲେ। ଏବେ ପଞ୍ଚମ ରୋଗୀ କେଉଁଠୁ ଆସିଥିଲେ ବା କୁଆଡ଼େ ଯାଇଥିଲେ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପ୍ରଥମ ଓ ଦ୍ୱିତୀୟ ରୋଗୀଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିବା ବେଳେ ତୃତୀୟ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ୧୧୨ ଜଣ। ଚତୁର୍ଥ ରୋଗୀଙ୍କ ସଂସ୍ପର୍ଶରେ ୭ ଜଣ ଆସିଥିବା ରାଜ୍ୟ ସରକାର ସୂଚନା ଦେଇଥିଲେ। ଯେଉଁମାନେ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା।

ଏପ୍ରିଲ ୧ ରାତିରେ ପଞ୍ଚମ କରୋନା ରୋଗୀ ଚିହ୍ନଟ ହେବା ପରେ ସେ କାହା କାହା ସଂସ୍ପର୍ଶରେ ଆସିଥିଲେ ତାକୁ ନେଇ ଚାଲିଛି ଖୋଳତାଡ଼।

ଓଡ଼ିଶାର ଦ୍ୱିତୀୟ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ରିପୋର୍ଟ ଆସିବା ପରେ ରାଜ୍ୟବାସୀ ଆଶ୍ୱସ୍ତ ଅନୁଭବ କରୁଥିଲେ। ହେଲେ ଆଉ ଜଣେ ରୋଗୀ ଚିହ୍ନଟ ହେବା ଜଣାପଡ଼ିବା ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Comment