ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଗୋଟିଏ ଦିନରେ କଟକରୁ ୧ ଏବଂ ଭୁବନେଶ୍ୱରରୁ ବାହାରିଲା ୩ କରୋନା ପଜିଟିଭ୍‌।

ଦିନ ଯେତିକି ଗଡୁଛି ଓଡ଼ିଶାରେ କରୋନାର ଭୟାବହତା ସେତିକି ବଢୁଛି। ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବା ଖବର ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ଆଜି ଦିନରେ ୪ ରିପୋର୍ଟ ପଜିଟିଭ୍‌ ଆସିବା ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି।

ମାର୍ଚ୍ଚ ମାସ ଅଧାରୁ  ଶେଷ ପର୍ଯ୍ୟନ୍ତ ରାଜ୍ୟରେ ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମାର୍ଚ୍ଚ ୧୫, ୧୯, ୨୬ ଏବଂ ୩୧ରେ ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଏପ୍ରିଲ ଆରମ୍ଭରୁ ପଜିଟିଭ ସଂଖ୍ୟା ବଢ଼ି ଚାଲିଛି। ଏପ୍ରିଲ ୧ରେ ଜଣେ ଏବଂ ଆଜି ଚାରି ଜଣ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କର ଚିନ୍ତା ବଢ଼ି ଯାଇଛି।

ଏପ୍ରିଲ ପହିଲା ରାତିରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ କଲା। ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ଦେଲା। ଏହି ଆକ୍ରାନ୍ତଙ୍କୁ ଏମ୍‌ସର ଆଇସୋଲେସନ ୱାର୍ଡରେ ରଖାଯିବା ପରେ ସରକାର ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ଖୋଳତାଡ଼ କରିଥିଲେ। ହେଲେ ସେ ରାଜ୍ୟ ବାହାରକୁ ଯାଇ ନଥିବା ଜଣାପଡ଼ିଥିଲା।

ପୂର୍ବରୁ ଯେଉଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ସେମାନେ ସମସ୍ତେ ରାଜ୍ୟ ବାହାରୁ ଆସିଥିଲେ। ହେଲେ ପଞ୍ଚମ ରୋଗୀ ରାଜ୍ୟ ବାହାରକୁ ଯାଇ ନଥିବାରୁ ତାଙ୍କୁ କେମିତି କରୋନା ଆକ୍ରାନ୍ତ କଲା ତାକୁ ନେଇ ଖୋଳତାଡ଼ କଲା ପ୍ରଶାସନ। ଶେଷରେ ସମଗ୍ର ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍‌ କରିଥିଲା ପ୍ରଶାସନ।

ସୂର୍ଯ୍ୟନଗର ଓ ଭଦ୍ରକ ଘଟଣାକୁ ନେଇ ସରକାର ଶୁକ୍ରବାର ୧୨ଟା୧୫ରେ ଜରୁରିକାଳୀନ ସାମ୍ବାଦିକ ସମ୍ମିଳନୀ କରି ୪୮ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଭଦ୍ରକ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ଏହି ସଟ୍‌ଡାଉନ୍‌ ଘୋଷଣାର ମାତ୍ର କିଛି ସମୟ ପରେ କଟକରୁ ଆଉ ଏକ ଚାଞ୍ଚଲ୍ୟକର ଖବର ଆସିଲା।

କଟକରୁ ଜଣେ ବ୍ୟକ୍ତିଙ୍କର କରୋନା ରିପୋର୍ଟ ପଜିଟିଭ୍‌ ଆସିଥିବା ସରକାର ସୂଚନା ଦେଲେ। ସେ ବ୍ୟକ୍ତି ଜଣକ ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗ ଦେଇଥିବା ଜଣାପଡ଼ିଥିଲା। ଏହାପରେ କଟକକୁ ସଟ୍‌ଡାଉନ୍ ଘୋଷଣା କରିଥିଲେ ସରକାର।

୪୮ ଘଣ୍ଟିଆ ସଟ୍‌ଡାଉନ୍‌କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ସନ୍ଧ୍ୟାରେ ଆଉ ଏକ ଚାଞ୍ଚଲ୍ୟକର ଖବର ଆସିଥିଲା। ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ଦୁଇ ଜଣ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହୋଇଥିବା ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଏବେ ୭ ଜଣ ଆକ୍ରାନ୍ତ ଓଡ଼ିଶାରେ ଅଛନ୍ତି। ଆକ୍ରାନ୍ତଙ୍କୁ ନେଇ ଏବେ ସବୁଠି ଚିନ୍ତା ବଢ଼ିଛି।

Comment