ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ପ୍ରାଣଘାତୀ କରୋନା ଭାଇରସ ପାଇଁ ସବୁଠି ଏବେ ଶୂନଶାନ। ଅନେକ ଧାର୍ମିକ ଉତ୍ସବ ମଧ୍ୟ ବନ୍ଦ। ଏମିତିକି ରାମନବମୀ ଭଳି ପର୍ବରେ ଜନଶୂନ୍ୟ ଥିଲା ରାମନାଗରୀ ଅଯୋଧ୍ୟା। ଇତିହାସରେ ଏଭଳି ଘଟଣା ପ୍ରଥମ ଥର ଦେଖିବାକୁ ମିଳିଲା।

ପ୍ରଥମ ଥର ରାମନବମୀରେ ସମଗ୍ର ସହର ନୀରବତାର ସାକ୍ଷୀ ପାଲଟିଲା। ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ କରୋନାର ଲକ୍ଷ୍ମଣ ରେଖା ମଧ୍ୟରେ ସୀମିତ ରୀତିନୀତିରେ ଅଯୋଧ୍ୟାର ହଜାର ହଜାର ମଠରେ ନିରାଡମ୍ବର ସହ ପାଳନ କରାଯାଇଥିଲା|

ସରାୟୁ ଘାଟଠାରୁ ଆରମ୍ଭ କରି ବହୁ ମଠରେ ଚଳିତ ବର୍ଷ କରୋନା କାରଣରୁ ଏହି ପର୍ବ ପୂରା ନିରାଡମ୍ବର ଭାବେ ପାଳିତ ହେଲା। ଭକ୍ତମାନଙ୍କ ପାଇଁ  ମନ୍ଦିର ମଧ୍ୟ  ବନ୍ଦ ରହିଥିଲା। ଏପରିକି ସାଧୁ ଓ ସନ୍ଥମାନେ ମଧ୍ୟ ଲକଡାଉନ୍‌ ପ୍ରକ୍ରିୟାକୁ ଅନୁସରଣ କରିଥିଲେ।

ଯେଉଁ ଦିନରେ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ ସେହିଦିନ ଏଠାରେ କେବଳ ମନ୍ଦିରର ମାଙ୍କଡ, କିଛି ମିଡିଆ କର୍ମଚାରୀ ଏବଂ ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ପ୍ରଭୁଙ୍କ ଦର୍ଶନ ପାଇଁ ବହୁ ସ୍ଥାନୀୟ ଭକ୍ତ ଯୋଗଦେବାକୁ ଆସିଥିଲେ, କିନ୍ତୁ ମନ୍ଦିରରରେ ଦର୍ଶନ ବନ୍ଦ ରହିଥିବାରୁ ନିରାଶ ହୋଇ ଫେରିଯାଇଥିଲେ।

କରୋନା ଯୋଗୁଁ ଏଥର ରାମନବମୀ ପର୍ବକୁ ବହୁ ପ୍ରତିବନ୍ଧକ ମଧ୍ୟରେ ପାଳନ କରାଯାଇଥିଲା। ରାମନଗରୀର ପ୍ରବେଶ ପଥଠାରୁ ଆରମ୍ଭ କରି ମୁଖ୍ୟ ମଠ-ମନ୍ଦିର ଏବଂ ସରାୟୁ ଘାଟ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

Comment