ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ସାଧାରଣ ଜୀବନ ଯାପନ କେବେ ସମ୍ଭବ ହେବ? ଏନେଇ କୌଣସି ସ୍ପଷ୍ଟ ସଂକେତ ମିଳୁ ନଥିଲା ବେଳେ କେନ୍ଦ୍ରରେ ଏକ ଅଣଔପଚାରିକ ମନ୍ତ୍ରୀ ଗୋଷ୍ଠୀ ଏହି ସମ୍ପର୍କରେ ଚିନ୍ତା ଆରମ୍ଭ କରିଛନ୍ତି ବୋଲି ଜଣାପଡିଛି। ଦେଶବ୍ୟାପୀ ଲକଡ଼ାଉନରୁ ଉପୁଜିଥିବା ପରିସ୍ଥିତିରୁ କିଭଳି ମୁକୁଳିବା ସେ ନେଇ ମନ୍ତ୍ରୀମାନେ ମୁଣ୍ଡ ଖର୍ଚ୍ଚ କରିଛନ୍ତି।

ଏପ୍ରିଲ ୧୪ରେ ୨୧ ଦିନିଆ ଲକଡାଉନ ଶେଷ ହେଉଛି। ମନ୍ତ୍ରୀମାନଙ୍କ ଭିତରେ ଯାହା ଆଲୋଚନା ହୋଇଛି ତାର କିଛି ସଂକେତ ମିଳିଛି। ଗୋଟିଏ ମତ ହେଉଛି ଯେ, ଅନିର୍ଦ୍ଦିଷ୍ଟ କାଳ ପାଇଁ ତାଲା ବନ୍ଦ ଅବସ୍ଥା ଜାରି ରଖିବା ଉଚିତ ନୁହେଁ। ତେବେ ଆଉ ଗୋଟିଏ ମତ ପ୍ରକାଶ ପାଇଛି ଯେ, ହଠାତ ଲକ ଡାଉନ ଉଠାଇଦେବା ବି ଠିକ ହେବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ମନ୍ତ୍ରୀ ଗୋଷ୍ଠୀର ଅଧ୍ୟକ୍ଷ ଅଛନ୍ତି।

ଶୁକ୍ରବାର ଦିନ ଏହି ମନ୍ତ୍ରୀ ଗୋଷ୍ଠୀର ତିନି ଥର ବୈଠକ ବସିଥିଲା। ମନ୍ତ୍ରୀମାନେ ପୁଣି ଥରେ ସୋମବାର ଦିନ ବୈଠକ କରିବେ। ତେବେ ଯାହା ଖବର ଆସୁଛି କରୋନା ମୃତ୍ୟୁକୁ ନେଇ ଯାହା କିଛି ନିଷ୍ପତ୍ତି ନିଆଯିବ। କେତେ ନୂଆ କେସ ଆସୁଛି, କେତେ ଜଣ ଦିନକୁ ପ୍ରାଣ ହରାଇଛନ୍ତି ଏସବୁକୁ ଅନୁଧ୍ୟାନ କରିବା ପରେ ଯାଇ ଲକଡାଉନ ଉଠିବ କି ନା ସେ ନିଷ୍ପତ୍ତି କରାଯିବ। ଯାହା ଜଣାପଡୁଛି ୧୦ ତାରିଖରେ ଏ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

Comment