ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ମୁକାବିଲା କ୍ଷେତ୍ରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଭୂମିକା ଗୁରୁତ୍ୱପୂର୍ଣ୍ଣ।

‘‘କରୋନା ମୁକାବିଲା ପାଇଁ ବାହାରେ ପୋଲିସ ଯେମିତି ଲୋକଙ୍କୁ ଜଗୁଛି ଠିକ୍‌ ସେମିତି ଘରେ ମା’ମାନେ ଜଗନ୍ତୁ। ମା’ ମାନେ ଘରେ ପୋଲିସର ଭୂମିକା ନିର୍ବାହ କରନ୍ତୁ। ନଜ ଘରେ କରୋନା ଭାଇରସ୍‌କୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ।’’

କରୋନା ଭାଇରସ୍‌ର ମୁକାବିଲା କରିବା ପାଇଁ ମହିଳାମାନଙ୍କୁ ଏମିତି ଅହ୍ୱାନ ଦେଇଛନ୍ତି ରାଜ୍ୟ ସରକାର। ଏହାସହ କରୋନା ମୁକାବିଲାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ପଞ୍ଚାୟତ ଓ ସହରାଞ୍ଚଳରେ ଯାହା ପଦକ୍ଷେପ ନେଇଛନ୍ତି ତାକୁ ପ୍ରଶଂସା କରିଛନ୍ତି ରାଜ୍ୟ ସରକାର।

କରୋନା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ୨୪ ଘଣ୍ଟାର ତାଜା ସୂଚନା ଦେଇଥିଲେ ରାଜ୍ୟ ସରକାର। ଏହି ସାମ୍ବାଦିକ ସମ୍ମିଳନୀରେ ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଯୋଗଦେଇ କରୋନା ମୁକାବିଲାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ଫୋକସ୍‌ କରିଛନ୍ତି। ପଞ୍ଚାୟତମାନଙ୍କରେ ଆଇସୋଲେସନ ସେଣ୍ଟର ଖୋଲାଯାଇଛି। ଏହାସହ ପଞ୍ଚାୟତମାନଙ୍କରେ ଥିବା ନିରାଶ୍ରୟ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ସରକାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୫ ଲକ୍ଷ ମିଲ୍‌ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଯୋଗାଇ ଦିଆଯାଇଥିବା ସରକାର କହିଛନ୍ତି।

କରୋନାଠାରୁ ସୁରକ୍ଷିତ ରଖିବା ପାଇଁ ସରକାର ମୁହଁ ଘୋଡ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ବଜାରରେ ମାସ୍କର ଅଭାବକୁ ଦୃଷ୍ଟିରେ ରଖି ମହିଳାମାନେ ମାସ୍କ ତିଆରି କରୁଛନ୍ତି। ବର୍ତ୍ତମାନସୁଦ୍ଧା ୧୦ ଲକ୍ଷ ମାସ୍କ ଯୋଗାଇ ଦିଆଯାଇଥିବା ବେଳେ ଆଉ ୧୨ ଲକ୍ଷ ମାସ୍କ ବଜାରକୁ ଆସିବା ପାଇଁ ପ୍ରସ୍ତୁତ ହେଉଥିବା ସରକାର କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମହିଳାମାନେ ଦାନ ଦେଉଛନ୍ତି। କରୋନା ମୁକାବିଲା ପାଇଁ ମହିଳାମାନଙ୍କର ଏଭଳି ପଦକ୍ଷେପକୁ ମିଶନ ଶକ୍ତି ପକ୍ଷରୁ ପ୍ରଶଂସା କରାଯାଇଛି।

‘‘କରୋନା ମୁକାବିଲା ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ଯେଉଁ ଉଦ୍ୟମ କରୁଛନ୍ତି ତାହା ପ୍ରଶଂସନୀୟ। ହେଲେ ମହିଳାମାନେ ନିଜ ଘରକୁ ଆଗେ ଜଗନ୍ତୁ। ପ୍ରତି ମା’ମାନେ ନିଜ ଘରର ପୋଲିସ ହୋଇ ଯାଆନ୍ତୁ। ବାହାରକୁ ଯିବା ଉପରେ କଟକଣା ଜାରି କରନ୍ତୁ’’, କହିଛନ୍ତି ସୁଜା କାର୍ତ୍ତିକେୟନ।

coronaଖାଲି ସେତିକି ନୁହେଁ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରାସନ ଦୋକାନ ବି ଖୋଲାଯାଇଛି। ବର୍ତ୍ତମାନସୁଦ୍ଧା ବିଭିନ୍ନ ସ୍ଥାନରେ ୬୬ଟି ରାସନ ଦୋକାନ ଖୋଲାଯାଇଥିବା ସରକାର ରିପୋର୍ଟ ଦେଇଛନ୍ତି। ଏହାସହ ରାସନ ସାମଗ୍ରୀ କେମିତି ଲୋକଙ୍କ ଦୁଆର ପାଖରେ ପହଞ୍ଚିବ ସେଥିପ୍ରତି ବି ମହିଳାମାନେ ଉଦ୍ୟମ କରୁଛନ୍ତି।

‘ହାତ ଧୁଅନ୍ତୁ, ସୁରକ୍ଷିତ ରହନ୍ତୁ’ ନାରାକୁ ଗାଁ ଗାଁରେ ପହଞ୍ଚାଇଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ। କରୋନାର ଭୟାବହତା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ମହିଳା ଆଗେଇ ଆସିଥିବା ରାଜ୍ୟ ସରକାର କହିଛନ୍ତି। ମହିଳାମାନେ ଆଗାମୀ ଦିନରେ ଏହି ଉଦ୍ୟମ ଜାରି ରଖିବେ ବୋଲି ସରକାର କହିଛନ୍ତି।

Comment