ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ୧୨ଟି ଗାଁକୁ ସିଲ୍ କରିଛି ପ୍ରଶାସନ। ସୋମବାର ଆଳି ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। କରୋନା ଆକ୍ରାନ୍ତଙ୍କୁ କଟକ ଅଶ୍ଵିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ କେନ୍ଦ୍ରାପଡ଼ା ଜିଲ୍ଲପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।

କରୋନା ଆକ୍ରାନ୍ତଙ୍କ ଗ୍ରାମର ୩ କିଲୋମିଟର ପରିଧି ଭିତରେ ଆସୁଥିବା ସମସ୍ତ ଗାଁକୁ ସିଲ୍ କରାଯାଇଛି। ଏହାସହ ତାଙ୍କ ପରିବାର ସଦସ୍ୟଙ୍କୁ ହୋମ କ୍ଵାରେଣ୍ଟାଇନରେ ରହିବାକୁ କୁହାଯାଇଛି। ଏହାସହ କରୋନା ଆକ୍ରାନ୍ତଙ୍କ ପରିବାରର ସମସ୍ତଙ୍କ ସ୍ଵାବ ନମୁନା କରୋନା ପରୀକ୍ଷା ପାଇଁ ନିଆଯାଇଛି ।

“କରୋନା ଆକ୍ରାନ୍ତଙ୍କ ଗ୍ରାମରେ ଘରକୁ ଘର ବୁଲି ଲୋକମାନଙ୍କର ସ୍ଵାସ୍ଥ୍ୟ ସମସ୍ୟା ବିଷୟରେ ପଚରାଯିବ। ଗାଁ ଭିତରକୁ କୌଣସି ଲୋକଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଆକ୍ରାନ୍ତ ବ୍ୟକ୍ତି ହୋମ କ୍ଵାରେଣ୍ଟାଇନରେ ରହିଥିଲେ। ଏଥିପାଇଁ ଆତଙ୍କିତ ହେବାର କୌଣସି କାରଣ ନାହିଁ।” କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲପାଳ ସମର୍ଥ ବର୍ମା।

corona

ମାର୍ଚ୍ଚ ୨୪ ତାରିଖରେ ଆକ୍ରାନ୍ତ ଜଣକ ଦୁବାଇରୁ ଫେରିଥିଲେ। ଏହାପରେ ରାଜ୍ୟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣ କରିବା ସହ ହୋମ କ୍ଵାରେଣ୍ଟାଇନରେ ରହିଥିଲେ। ସୋମବାର ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

ବର୍ତ୍ତମାନ ସୁଦ୍ଧାରେ ଓଡ଼ିଶାରେ ୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବାରମ୍ବାର ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି।

Comment