ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଲକ୍‌ଡାଉନ ଯୋଗୁଁ ମର୍ଚାଣ୍ଟ ନେଭିରେ କାମ କରୁଥିବା କର୍ମଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ନା ସେମାନେ କୌଣସି ଦେଶକୁ ଯାଇ ପାରୁଛନ୍ତି ନା ନିଜ ଦେଶକୁ ଫେରି ପାରୁଛନ୍ତି। ଏପରିକି ଯାହାଜରେ କାମ କରୁଥିବା କର୍ମଚାରୀମାନେ ଆବଶ୍ୟକ ସାମଗ୍ରୀ ମଧ୍ୟ ପାଇ ପାରୁନାହାନ୍ତି। ଏନେଇ ମର୍ଚାଣ୍ଟ ନେଭିରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ନିଜ କାହାଣୀ କହିଛନ୍ତି।

“ଆମେ ଯେକୌଣସି ବନ୍ଦରକୁ ଗଲେ ଆମକୁ ସେଠାରେ ଓହ୍ଲାଇବାକୁ ଦିଆଯାଉନାହିଁ। କୌଣସି ଲୋକଙ୍କୁ ଆମ ଯାହାଜ ଉପରକୁ ଆସିବାକୁ ଦିଆଯାଉନାହିଁ। ଲକ୍‌ଡାଉନ ପରଠାରୁ ଆମେ ବହୁ ଅସୁବିଧାର ସମ୍ମୁଖୀନ ହେଉଛୁ। ପରିସ୍ଥିତି ଏଭଳି ହେଲାଣି ଯେ, ଆମ ପାଖରେ ଜରୁରୀ ସାମଗ୍ରୀ ମଧ୍ୟ ନାହିଁ।” ଏହା କହିଛନ୍ତି ମର୍ଚାଣ୍ଟ ନେଭିରେ ଥାର୍ଡ ଅଫିସର ପଦରେ କାର୍ଯ୍ୟ କରୁଥିବା ଧର୍ମେନ୍ଦ୍ର ରମଣ।

ଧର୍ମେନ୍ଦ୍ର ରମଣ ବର୍ତ୍ତମାନ ସାଉଦୀ ଆରବରେ ଏକ ଯାହାଜରେ ରହିଛନ୍ତି। ଲକ୍‌ଡାଉନ ଯୋଗୁଁ ସେ ଓ ତାଙ୍କ ଟିମ୍ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାସତ୍ତ୍ଵେ ସେ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି। ଧର୍ମେନ୍ଦ୍ର ରମଣଙ୍କା ଯାହାଜ ବିଭିନ୍ନ ଦେଶକୁ ଜରୁରୀ ସାମଗ୍ରୀ ପହଞ୍ଚାଇବା କାମ କରୁଛି। ଧର୍ମେନ୍ଦ୍ରଙ୍କ ଯାହାଜରେ ମଧ୍ୟ କରୋନା ସଂକ୍ରମିତ ରହିଛନ୍ତି। ସେମାନଙ୍କୁ ଯାହାଜରେ କ୍ଵାରେଣ୍ଟାଇନରେ ରଖାଯାଇଛି। ଯାହାଜରେ କାମ କରୁଥିବା ଅନ୍ୟ କର୍ମଚାରୀମାନେ ଅତି ସତର୍କତାର ସହ କାର୍ଯ୍ୟ କରୁଛନ୍ତି।

‘ମନରେ ରହିଛି ଡର’

“ଆମେ କାମ କରୁଛୁ ସତ। କିନ୍ତୁ ମନରେ ଡର ରହିଛି। କାଳେ କିଛି ଆମେ ବି କରୋନା ସଂକ୍ରମିତ ହୋଇ ଯିବୁନି ତ? ସମସ୍ତ ସତର୍କତା ଅବଲମ୍ବନ କରିବା ସତ୍ତ୍ଵେ ଡାକ୍ତରମାନେ କରୋନା ସଂକ୍ରମିତ ହେଉଛନ୍ତି। ଆମ କମ୍ପାନି ଯାହାଜରେ ମଧ୍ୟ କିଛି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଆଇସୋଲେସନରେ ରଖାଯାଇ ଚିକିତ୍ସା କରାଯାଉଛି।” ଏହା କହିଛନ୍ତି ମର୍ଚାଣ୍ଟ ନେଭିରେ କାର୍ଯ୍ୟ କରୁଥିବା ଥାର୍ଡ ଅଫିସର ଧର୍ମେନ୍ଦ୍ର ରମଣ।

  ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲକ୍‌ଡାଉନ ଯୋଗୁଁ ଆମ ମାନସିକ ଚାପରେ ରହୁଛୁ। ଘରକୁ ଫେରି ପାରିବୁନି। କାରଣ ଭାରତରେ ସମସ୍ତ ବିମାନ ବନ୍ଦର ବନ୍ଦ ରହିଛି। ଏବେ ଘର କଥା ବହୁତ ମନ ପଡ଼ୁଛି। ଆମ ପରିବାର ବି ଆମ ପାଇଁ ଚିନ୍ତିତ ରହିଛନ୍ତି। ୯ମାସ ପରେ ଘରକୁ ଫେରିଥାନ୍ତୁ। କିନ୍ତୁ ଏହି କରୋନା ଭାଇରସ ସବୁ ବିଗାଡ଼ି ଦେଲା। ଏବେ ଆମକୁ ୧୧ରୁ ମାସ ପର୍ଯ୍ୟନ୍ତ ରହିବାକୁ ପଡ଼ିବ।

ଲକ୍‌ଡାଉନ ଯୋଗୁଁ ଘରକୁ ଫେରି ପାରିନଥିଲେ ଧର୍ମେନ୍ଦ୍ର ଓ ତାଙ୍କ ଟିମ। ଏଥିପାଇଁ ପୁଣି ଚାଲିଗଲେ ଯାହାଜରେ କାମ କରିବାକୁ। ବିଭିନ୍ନ ଦେଶରେ ଲୋକଙ୍କୁ ଜରୁରୀ ସାମଗ୍ରୀ ଯୋଗାଇ ଦେବାକୁ।

‘ହାର୍ ମାନିନୁ, କର୍ତ୍ତବ୍ୟ କରି ଚାଲିଛୁ’

“ସାରା ବିଶ୍ଵ ଏବେ କରୋନା ସଙ୍କଟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ଆମେ ବି ହାର ମାନିନୁ। ଯାହାଜରେ ସଭିଏଁ ଏକ ଜୁଟ ହୋଇ କାମ କରୁଛନ୍ତି। ଆମେ ଭାଙ୍ଗି ପଡ଼ିଲେ ଲୋକଙ୍କୁ ଜରୁରୀ ସାମଗ୍ରୀ କିଏ ଯୋଗାଇବ। ଆଶା କରୁଛୁ ଆମେ ବି ଶୀଘ୍ର ଘରକୁ ଫେରିଯିବୁ।” ଘରକୁ ଫେରିବା ଆଶା ନେଇ ଏହା କହିଛନ୍ତି ଧର୍ମେନ୍ଦ୍ର।

କେବଳ ଧର୍ମେନ୍ଦ୍ର ନୁହଁନ୍ତି ଧର୍ମେନ୍ଦ୍ରଙ୍କ ଭଳି ୪୦ହଜାର ନାବିକ ବର୍ତ୍ତମାନ ବିଭିନ୍ନ ବ୍ୟବସାୟିକ ଯାହାଜରେ କାମ କରୁଛନ୍ତି। ଲକ୍‌ଡାଉନ ଯୋଗୁଁ ସେମାନେ ମଧ୍ୟ ଯାହାଜରେ ଫସି ରହିଛନ୍ତି। ସେମାନଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ବୈଷୟିକ ଯାହାଜ ପରିବହନ ସଂଗଠନ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚଳାଇଛନ୍ତି।

କର୍ମଚାରୀଙ୍କ ଦାୟିତ୍ଵ ନେଉଛି ସିପିଂ କମ୍ପାନି

ବର୍ତ୍ତମାନ ୪୦ହଜାର ନାବିକ ସମୁଦ୍ରରେ ଫସି ରହିଛନ୍ତି। ଭାରତକୁ ଫେରିବା ବାଟ ଚାହିଁ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୫ହଜାର ଭାରତୀୟ ନାବିକ ରହିଛନ୍ତି। ଅନ୍ୟ ୨୫ହଜାର କର୍ମଚାରୀ ବିଭିନ୍ନ କ୍ରୁଜ୍ ସିପ୍‌ରେ କାମ କରୁଛନ୍ତି। ବିଭିନ୍ନ ଘରୋଇ ସିପିଂ କମ୍ପାନି ସେମାନଙ୍କ ସୁରକ୍ଷା ଦାୟିତ୍ଵ ନେଇଛନ୍ତି। ଲକ୍‌ଡାଉନ ଶେଷ ହେବା ପରେ ସେମାନଙ୍କୁ ଘରକୁ ପହଞ୍ଚାଇବା ବ୍ୟବସ୍ଥା କରାଯିବ। ତେବେ ସେମାନଙ୍କୁ କ୍ଵାରେଣ୍ଟାଇନ ରଖାଯିବା ସହ କରୋନା ଟେଷ୍ଟ କରାଇବାକୁ ହେବ। ଏନେଇ ଏକ ଘରୋଇ ସିପିଂ କମ୍ପାନିର ସିଇଓ ସୂଚନା ଦେଇଛନ୍ତି।

Comment