ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ଵର ସତ୍ୟନଗର ଅଞ୍ଚଳ ସିଲ୍‌ ପରେ ଆକ୍ରାନ୍ତଙ୍କୁ ନେଇ ବଢ଼ିଥିଲା ଦ୍ୱନ୍ଦ୍ୱ।

  • କେବଳ ଭୁବନେଶ୍ୱରରେ ୩୪ ପଜିଟିଭ୍‌
  • ବମିଖାଲରେ ୧୪, ସୂର୍ଯ୍ୟନଗରରେ ୮
  • ସତ୍ୟନଗରରେ ୪, ସହିଦନଗରରେ ୧
  • କପିଳପ୍ରସାଦ, ୟୁନିଟ୍‌-୪ ଓ ୫, ବଡ଼ଗଡ଼, ଜିମ୍‌ଖାନା ପାମ୍‌ ହାଇଟ୍ସ, ଝାରପଡ଼ାରେ ଜଣେ ଲେଖାଏଁ

ଭୁବନେଶ୍ୱରରେ କେତେ କରୋନା ଆକ୍ରାନ୍ତ ହୋଇଛନ୍ତି? କେଉଁ ଅଞ୍ଚଳରୁ କେତେ ଆକ୍ରାନ୍ତ ଅଛନ୍ତି? ଏହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେବା ପରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍‌ କରି ସ୍ପଷ୍ଟୀକରଣ ଦେଇଛନ୍ତି। ରାଜ୍ୟରେ ମୋଟ ୪୨ ଜଣ ଆକ୍ରାନ୍ତ ଥିବା ବେଳେ କେବଳ ଭୁବନେଶ୍ୱରରେ ୩୪ ଆକ୍ରାନ୍ତ ଥିବା ସରକାର ସୂଚନା ଦେଇଛନ୍ତି।

ଆଜି ସକାଳେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ (ବିଏମ୍‌ସି) ସତ୍ୟନଗର ଅଞ୍ଚଳକୁ ସିଲ୍‌ କରିଥିଲା।

କାଳୀମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର ଛକ, ପତଞ୍ଜଳି ଷ୍ଟୋର ଛକରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ଵାଟର୍ସ ଛକ, ଅଫିସର୍ସ କ୍ଵାଟର୍ସ ଛକରୁ ବିଗ୍‌ବଜାର ଛକ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହାସହ ସତ୍ୟ ନଗରରୁ ବିଗ୍‌ବଜାର ଦକ୍ଷିଣ ପଟ ରାସ୍ତା ଓ pwd ଡିଭିଜନ-୩ ଅଫିସ ଓ କ୍ଵାର୍ଟର୍ସ ପରିସର କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା ହୋଇଛି।

ବିଏମ୍‌ସି ସତ୍ୟନଗରକୁ କାହିଁକି ଅଚାନକ ସିଲ୍‌ କଲା ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିଲା। କାରଣ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟୁଇଟ୍‌ ଅନୁସାରେ ସତ୍ୟନଗରରୁ କୌଣସି ଆକ୍ରାନ୍ତ କାହାରି ନଥିବା ଜଣାପଡ଼ିଥିଲା। ଗତକାଲି କେବଳ ମଧୁସୂଦନ ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତେବେ ସତ୍ୟନଗରରୁ କିଏ ଏବଂ କେବେ ଆକ୍ରାନ୍ତ ହେଲେ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିଲା। ଏହାକୁ ନେଇ ସତ୍ୟନଗର ବାସିନ୍ଦା ଦ୍ୱନ୍ଦ୍ୱରେ ରହିଥିଲେ।

coronaପ୍ରକୃତରେ ସତ୍ୟନଗରରେ କିଏ ଆକ୍ରାନ୍ତ ଅଛନ୍ତି ନା ନାହିଁ ଏବଂ ବିଏମ୍‌ସି କାହିଁକି ଏହି ଅଞ୍ଚଳକୁ ସିଲ୍‌ କଲା ତାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍‌ କରି ସ୍ପଷ୍ଟ କରିଛି।

‘‘ରାଜ୍ୟରେ ମୋଟ ୪୨ ଜଣ କରୋନା ଆକ୍ରାନ୍ତ ଅଛନ୍ତି। ସେଥିମଧ୍ୟରେ କେବଳ ଭୁବନେଶ୍ୱରର ୩୪ ଜଣ। କୌଣସି ଅଞ୍ଚଳରୁ ଯଦି ଏକାଧିକ ଆକ୍ରାନ୍ତ ବାହାରନ୍ତି ବା ଆକ୍ରାନ୍ତମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନଥାଏ ତାହାଲେ ବାଧ୍ୟ ହୋଇ ପ୍ରଶାସନ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିବ’’, ଟୁଇଟ୍‌ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ।

ଭୁବନେଶ୍ୱର ବମିଖାଲରେ ୧୪, ସୂର୍ଯ୍ୟନଗରରେ ୮, ସତ୍ୟନଗରରେ ୪, ଝାରପଡ଼ାରେ ଜଣେ, ବିଜେବି ନଗର ବଡ଼ଗଡ଼ ଗାଁରେ ଜଣେ, କପିଳପ୍ରସାଦରେ ଜଣେ, ସହିଦନଗରରେ ଜଣେ, ୟୁନିଟ୍‌-୪ରେ ଜଣେ, ୟୁନିଟ୍‌-୫ରେ ଜଣେ, ଜିମଖାନା ପାମ୍‌ ହାଇଟ୍ସରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

ଯେତେବେଳେ ଯେଉଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥାନ୍ତି ସେତେବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂପୃକ୍ତ ବ୍ୟକ୍ତି କେଉଁ ଅଞ୍ଚଳର, ତାଙ୍କ ବୟସ କେତେ ଏବଂ ସେ କଉେଁଠୁ ଆସିଛନ୍ତି ତାର ତଥ୍ୟ ଟୁଇଟ୍‌ କରି ସୂଚନା ଦେଇଥାନ୍ତି। ହେଲେ ସହିଦନଗର, ସତ୍ୟନଗର, ଜିମ୍‌ଖାନା ପାମ୍‌ ହାଇଟ୍ସ ଅଞ୍ଚଳ ସମ୍ପର୍କରେ କୌଣସି ସୂଚନା ଆସି ନଥିବାରୁ ଦ୍ୱନ୍ଦ୍ୱ ବଢ଼ିଥିଲା।

Comment