ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ସୂର୍ଯ୍ୟନଗର, ବମିଖାଲ, ସୁନ୍ଦରପଦାରୁ ଯଦୁପୁର ବେଗୁନିଆ ସିଲ୍‌ କରିବା ପରେ ଆଜି ସକାଳେ ବିମଏମ୍‌ସି ଭୁବନେଶ୍ୱରର ଅନ୍ୟତମ ହାଇପ୍ରୋଫାଇଲ ଅଞ୍ଚଳ ସତ୍ୟନଗରକୁ ସିଲ୍‌ କରିଥିଲା। ସତ୍ୟନଗରକୁ ବିଏମ୍‌ସି କର୍ତ୍ତୃପକ୍ଷ ଅଚାନକ କାହିଁକି ସିଲ୍‌ କଲେ ତାହା କିଛି ବୁଝାପଡ଼ି ନଥିଲା। କାରଣ ସତ୍ୟନଗରରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍‌ସି କର୍ତ୍ତୃପକ୍ଷ କିମ୍ବା ରାଜ୍ୟ ସରକାର କେହି ବି ପୂର୍ବରୁ ସୂଚନା ଦେଇ ନଥିଲେ। ଫଳରେ ସତ୍ୟନଗର ବାସିନ୍ଦା ଅନ୍ଧାରରେ ରହିଥିଲେ।

ସିଲ୍‌ ହେବାର କିଛି ସମୟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟୁଇଟ୍‌ ଆସିଲା। ଭୁବନେଶ୍ୱରର କେଉଁ ଅଞ୍ଚଳରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେନେଇ ଏକ ମ୍ୟାପ୍‌ ମାଧ୍ୟମରେ ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ। ସତ୍ୟନଗରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଭାଗ ସୂଚନା ଦେଇଥିଲା।

ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ରାଜ୍ୟ ସରକାର ସ୍ପଷ୍ଟ କରିଥିଲେ। ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ସତ୍ୟନଗର ଏବଂ କଣ୍ଟେନମେଣ୍ଟ ଜୋନ୍‌ ଉପରେ ଆହୁରି ସ୍ପଷ୍ଟୀକରଣ ଦେଇଥିଲେ।

ହେଲେ ଏହାପରେ ପୁଣି ସ୍ୱାସ୍ଥ୍ୟ ବିଭାଗ ଏବଂ ବିଏମ୍‌ସି ପକ୍ଷରୁ ଦୁଇଟି ଅଲଗା ଅଲଗା ଟୁଇଟ୍‌ ଆସିଥିଲା। ଏହି ଦୁଇଟି ଦୁଇଟି ପୁଣି ସସ୍‌ପେନ୍ସ ବଢ଼ାଇଛି। ଅପରାହ୍ଣ ୪ଟା ୨୧ରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ କରାଗଲା ଯେ, ଯେଉଁ ୪ ଜଣ ଆକ୍ରାନ୍ତଙ୍କ କଥା କୁହାଯାଉଛି ସେମାନଙ୍କ ଭିତରୁ ୩ ଜଣ ବମିଖାଲ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥାଇପାରନ୍ତି। ସେମାନଙ୍କ ନମୁନା ପଜିଟିଭ୍‌ ଆସିଛି। ହେଲେ ଆଉ ଜଣେ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ଵାସ୍ଥ୍ୟ ବିଭାଗ କୌଣସି ସୂଚନା ଦେଇ ନଥିଲା। ସେ କିଏ ଏବଂ କେଉଁ ଅଞ୍ଚଳର ସେନେଇ କୌଣସି ସ୍ପଷ୍ଟୀକରଣ ଦେଇ ନଥିଲା ବିଭାଗ।

ଏପଟେ ବିଏମ୍‌ସି କର୍ତ୍ତୃପକ୍ଷ ୪ଟା୫୭ରେ କରିଥିବା ଟୁଇଟ୍‌କୁ ନେଇ ପୁଣି ଦ୍ୱନ୍ଦ୍ୱ ବଢ଼ିଥିଲା। ଏଥିରେ କୁହାଯାଇଥିଲା ଯେ, ଜଣେ ଆକ୍ରାନ୍ତ ସତ୍ୟନଗର ତୋଷାଳି ଭବନ ସମ୍ମୁଖରେ ଥିବା ଓମଫେଡ୍‌ ବୁଥ୍‌କୁ ଯିବା ଆସିବା କରୁଥିଲେ। ଏଣୁ ଏହି ଓମ୍‌ଫେଡ୍ ବୁଥ୍‌କୁ ଯେଉଁମାନେ ଆସିଥିଲେ ସେମାନେ ହୋମ୍‌ କ୍ୱାରେଣ୍ଟାଇନରେ ରହନ୍ତୁ। ଅସୁବିଧା ହେଲେ ୧୦୪କୁ କଲ୍‌ କରନ୍ତୁ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଓମଫେଡ୍ ବୁଥ୍‌କୁ ଯିବା ଆସିବା କରୁଥିବା ଏହି ଆକ୍ରାନ୍ତ ଜଣକ କିଏ? କେଉଁ ଅଞ୍ଚଳର? ତାଙ୍କର ରକ୍ତ ନମୁନା ଓ ସ୍ୱାବ୍‌ ପରୀକ୍ଷା ହୋଇଥିଲା ତ? ଯଦି ପରୀକ୍ଷା ହୋଇଥିଲା ତାହାଲେ ସେ ହସ୍ପିଟାଲରେ ଆଡମିଟ୍‌ ହୋଇ ରହିବା କଥା। ହେଲେ ସେ ଓମଫେଡ୍‌ ବୁଥ୍‌କୁ କେମିତି ଯିବା ଆସିବା କରୁଥିଲେ? ଯଦି ପୂର୍ବରୁ ବିଏମ୍‌ସି କର୍ତ୍ତୃପକ୍ଷ ଏହି ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣିଥିଲେ ତାହାଲେ ପୂର୍ବରୁ ସଚେତନ କାହିଁକି କଲେନି? ଏମିତି କିଛି ପ୍ରଶ୍ନ ଏବେ ସତ୍ୟନଗର ଅଞ୍ଚଳବାସୀଙ୍କ ମନରେ ଉଙ୍କି ମାରୁଛି।

coronaକରୋନାକୁ ନେଇ ରାଜ୍ୟ ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ଏଥିରେ କିଛି ସନ୍ଦେହ ନାହିଁ। ଯେତେବେଳେ ବି ଯେଉଁ ଆକ୍ରାନ୍ତ ଚିହ୍ନଟ ହେଉଥିଲେ ସେତେବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ଟୁଇଟ୍‌ କରି ସୂଚନା ଦିଆଯାଉଥିଲା। ସଂପୃକ୍ତ ବ୍ୟକ୍ତି ଘରଠୁ ଆରମ୍ଭ କରି ତାଙ୍କ ଟ୍ରାଭେଲ ହିଷ୍ଟ୍ରି ବିଷୟରେ ସୂଚନା ଦିଆଯାଉଥିଲା। ହେଲେ ସତ୍ୟନଗରରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହେଲେ ରାଜ୍ୟ ସରକାର କେମିତି ସୂଚନା ଦେଲେନାହିଁ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବର୍ତ୍ତମାନ ଓଡ଼ିଶାରେ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରେ କେବଳ ୩୪ ଆକ୍ରାନ୍ତ ଥିବା କୁହାଯାଉଛି। ଏଥିମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସତ୍ୟନଗରରେ ୪, ସହିଦନଗରରେ ୧, କପିଳପ୍ରସାଦ, ୟୁନିଟ୍‌-୪ ଓ ୫, ବଡ଼ଗଡ଼, ଜିମ୍‌ଖାନା ପାମ୍‌ ହାଇଟ୍ସ, ଝାରପଡ଼ାରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

Comment