ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦିନକୁ ଦିନ ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ମଧ୍ୟ ଏହି ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୫୮୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୬୯ ଜଣ ଲୋକ ପ୍ରାଣ ହରାଇଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ବୁଧବାର ସାରା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧୯୪ ରହିଥିଲା। ହେଲେ ମାତ୍ର ୨୪ ଘଣ୍ଟା ମଧ୍ୟରେ ବୃଦ୍ଧି ପାଇ ୫୮୬୫ରେ ପହଞ୍ଚିଛି। ସେହିଭଳି ଭାରତରେ ମୃତ୍ୟୁସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ଗତକାଲି ସାରା ଦେଶରେ ମୃତ୍ୟୁସଂଖ୍ୟା ୧୪୯ ରହିଥିବାବେଳେ ଆଜି ଏହା ୧୬୯କୁ ବୃଦ୍ଧି ପାଇଛି। ଏଥିସହିତ ବର୍ତ୍ତମାନ ସାରା ଦେଶରେ ୫୦୯୫ଟି ଆକ୍ଟିଭ୍ କେସ୍ ରହିଛି ବୋଲି ସୂଚନା ମିଳିଛି।

corona awarenessସାରା ବିଶ୍ୱରେ ବର୍ତ୍ତମାନ କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତର ସ୍ଥାନ ୨୪ ରହିଛି। ସେହିଭଳି ଓଡ଼ିଶାରେ ଗୁରୁବାର ଆଉ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ ଭୁବନେଶ୍ୱରୁ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ଢେଙ୍କାନାଳ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଜଣକ ପଶ୍ଚିମବଙ୍ଗରୁ ଚିକିତ୍ସା ପାଇଁ ଓଡ଼ିଶା ଆସିଥିଲେ। ସେହିପରି ଢେଙ୍କାନାଳର ଆକ୍ରାନ୍ତ ଜଣକ ଜଣେ ବାହାରୁ ଆସିଥିବା ଧର୍ମପ୍ରଚାରକ ସଂସ୍ପର୍ଶରେ ଆସିଥିଲେ ବୋଲି ସୂଚନା ମିଳିଛି।

Comment