ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଏପ୍ରିଲ ୩୦ ଯାଏଁ ଓଡ଼ିଶାରେ ତାଲାବନ୍ଦ।

ଆଉ ୬ ଦିନ ପରେ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଅବଧି ଶେଷ ହୋଇଥାନ୍ତା। ହେଲେ ଏହା ପୂର୍ବରୁ ଓଡ଼ିଶାରେ ଲକ୍‌ଡାଉନ୍‌ ଅବଧିକୁ ଆଉ ୧୫ ଦିନ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର। ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାରେ ସାରା ଦେଶରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। କରୋନା ସଙ୍କଟର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ଓଡ଼ିଶାରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବଢ଼ାଇ ଦେଇଛନ୍ତି।

କରୋନା ମୁକାବିଲା ପାଇଁ ଆଜି ବସିଥିଲା କ୍ୟାବିନେଟ୍‌ ବୈଠକ। ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ ହୋଇଥିଲା ବୈଠକ। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରାଯାଇଥିଲା। ଶେଷରେ ଲକ୍‌ଡାଉନ୍‌ ଅବଧି ବଢ଼ାଇବା ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର ମାରିଥିଲା।

ଖାଲି ସେତିକି ନୁହେଁ, ସାରା ଦେଶରେ ଲକ୍‌ଡାଉନ୍‌ ବଢ଼ାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଏହାସହ ଏପ୍ରିଲ ୩୦ ଯାଏଁ ଟ୍ରେନ୍‌ ଏବଂ ବିମାନ ଚଳାଚଳ ବାତିଲ କରିବାକୁ ପ୍ରସ୍ତାବ ଦେଇଛି ଓଡ଼ିଶା।

ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ଉପରେ ନଜର ରଖିଛନ୍ତି ଓଡ଼ିଶା ସରକାର। ସେମାନଙ୍କର ଯେମିତି କିଛି ଅସୁବିଧା ନହୁଏ ସେନେଇ ସଂପୃକ୍ତ ରାଜ୍ୟ ସରକାରମାନଙ୍କ ସହ ଯୋଗାଯୋଗ ରଖିଛନ୍ତି ରାଜ୍ୟ ସରକାର। ସେହିପରି ଲକ୍‌ଡାଉନ୍‌ ବେଳେ କୃଷି କାର୍ଯ୍ୟ ଏବଂ ମନରେଗା କାମ ଜାରି ରହିବ ବୋଲି ସରକାର ଘୋଷଣା କରିଛନ୍ତି। ଏଥିରେ ସାମାଜିକ ଦୂରତା ରକ୍ଷା କରାଯିବ।

ଲକ୍‌ଡାଉନ୍‌ ବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ କୌଣସି ଅସୁବିଧା ହେବ ନାହିଁ। ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। କରୋନାର ଭୟାବହତାକୁ ଦୃଷ୍ଟିରେ ରାଜ୍ୟ ସରକାର ଜୁନ୍‌ ୧୭ ଯାଏଁ ସବୁ ସ୍କୁଲ, କଲେଜ ବନ୍ଦ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ ଅବଧି ବେଳେ ରାଜ୍ୟ ସରକାର ୧ ଲକ୍ଷ ଲୋକଙ୍କର ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛନ୍ତି।

corona୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା ପୂର୍ବରୁ ରାଜ୍ୟ ସରକାର ପ୍ରଥମେ ୫ ଜିଲ୍ଲା ଓ ୮ ସହରରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହାପରେ ଆଉ ୯ ଜିଲ୍ଲା ଲକ୍‌ଡାଉନ୍‌ରେ ସାମିଲ ହୋଇଥିଲା। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରି ରାଜ୍ୟ ସରକାର ବ୍ୟାପକ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରିଥିଲେ।

ବର୍ତ୍ତମାନ ଓଡ଼ିଶାରେ କରୋନା ପଜିଟିଭ୍‌ ସଂଖ୍ୟା ୪୪ରେ ପହଞ୍ଚିଛି। ସେଥିମଧ୍ୟରୁ ଦୁଇ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ଜୀବନ ଯାଇଛି।

Comment