ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଚୀନରୁ ଆରମ୍ଭ ହୋଇଥିବା କୋରୋନା ଭାଇରସର ଆତଙ୍କ ଏବେ ବିଶ୍ୱ ସମୁଦାୟକୁ  ଭୟଭୀତ କରି ରଖିଛି। ଓଡ଼ିଶା ସରକାର ଏହାର ମୁକାବିଲା ପାଇଁ ସମସ୍ତଙ୍କୁ ସଚେତନ ହେବାକୁ ନିବେଦନ କରୁଛନ୍ତି। ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧନ୍ତୁ ବୋଲି ସରକାର କହୁଛନ୍ତି। ତେବେ ପ୍ରକୃତରେ ମାସ୍କ କେତେ ପ୍ରକାର, କୋରୋନା ସଂକ୍ରମଣ ପାଇଁ କେଉଁ ପ୍ରକାର ମାସ୍କ ପିନ୍ଧିବା ଆବଶ୍ୟକ, ପୁଣି କେଉଁମାନେ ତାହା ପିନ୍ଧିବା ଦରକାର ତାହା ଜାଣିବା ଖୁବ୍ ଜରୁରୀ।

ସର୍ଜିକାଲ ମାସ୍କ(ଡିସ୍ପୋଜେବଲ): ସର୍ଜନ ବା ଶଲ୍ୟ ଚିକିତ୍ସକମାନେ ଏହି ମାସ୍କର ବ୍ୟବହାର କରିଥାନ୍ତି। ମୁଖ୍ୟତଃ ସେମାନଙ୍କଠାରୁ ରୋଗୀଙ୍କୁ ଯେପରି କୌଣସି ପ୍ରକାର ଜୀବାଣୁ ସଂକ୍ରମିତ ହେବନାହିଁ ସେଥିଲାଗି ସେମାନେ ଏହାକୁ ପିନ୍ଧିଥାନ୍ତି। ଏହାକୁ ପିନ୍ଧିଥିବା ଲୋକର ଛେପ ଦ୍ୱାରା ଅନ୍ୟମାନେ ଯେପରି ସଂକ୍ରମିତ ନ ହେବେ ସେଥିଲାଗି ଏହି ମାସ୍କ ସହାୟତା କରିଥାଏ । ରୋଗୀ ଲୋକ ଏବଂ ତାଙ୍କର ଯତ୍ନ ନେଉଥିବା ଲୋକମାନେ ଏହାକୁ  ପିନ୍ଧିପାରିବେ। ଏପରି ହେଲେ ସଂକ୍ରମଣ ବ୍ୟାପିବାରୁ କିଛି ପରିମାଣରେ ରକ୍ଷା ମିଳିପାରିବ

ଏନ୍ ୯୫ ରେସ୍ପିରେଟର(ଡିସ୍ପୋଜେବଲ): ଧୂଳି, ମୋଲଡ୍ କିମ୍ବା ଚିକିତ୍ସା/ପରିବେଶ ସଂକ୍ରାନ୍ତୀୟ ଜରୁରୀକାଳୀନ ସ୍ଥିତିରେ  କାମ କରୁଥିବା ଲୋକମାନେ ଏହାକୁ ପିନ୍ଧିଥାନ୍ତି। ଯଦି ଏହାକୁ ଠିକ୍ ଭାବେ ପିନ୍ଧା ଯିବ ତା’ହେଲେ ଏହା ବାୟୁମଣ୍ଡଳରେ ଭାସିବୁଲୁଥିବା କ୍ଷୁଦ୍ର ଭାଇରସକୁ ଅତି କମରେ ୯୫ ପ୍ରତିଶତ ଅଟକାଇ ଦେଇପାରିବ। ତେଣୁ ସ୍ୱାସ୍ଥ୍ୟକର୍ମୀମାନେ ଅଧିକାଂଶ ଏହାକୁ ବ୍ୟବହାର କରନ୍ତି।। କୋରୋନା ସଂକ୍ରମଣର ଏହି ସମୟରେ ସ୍ୱାସ୍ଥ୍ୟକର୍ମୀମାନେ ଏହାକୁ ପିନ୍ଧିବା ଆବଶ୍ୟକ।

ପି ୧୦୦ ରେସ୍ପିରେଟର/ଗ୍ୟାସ ମାସ୍କ(ପୁନଃ ବ୍ୟବହାର ଯୋଗ୍ୟ):

ରଙ୍ଗକାମ, କାଠକାମ, ସୀସା, ଆଜବେଷ୍ଟସ ଏବଂ ବିଭିନ୍ନ ପ୍ରକାର ରସାୟନିକ ପଦାର୍ଥ  ସଂସ୍ପର୍ଶରେ ଆସୁଥିବା ଲୋକମାନେ ଏହାକୁ ପିନ୍ଧିଥାନ୍ତି। ଏହାଦ୍ୱାରା ମଜୁରିଆମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରରେ ଏହି ସବୁ ବିପଜ୍ଜନକ ରସାୟନରୁ ସୁରକ୍ଷା ମିଳିଥାଏ। ତେବେ କେରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏହି ମାସ୍କର କିଛି ଉପଯୋଗିତା ନାହିଁ ।

ଫୁଲ ଫେସ ରେସ୍ପିରେଟର/ ପାୱାରଡ୍ ଏୟାର ପ୍ୟୁରିଫାଇଂ ରେସ୍ପିରେଟର(ପୁନଃ ବ୍ୟବହାର ଯୋଗ୍ୟ):

ରଙ୍ଗକାମ କିମ୍ବା ଏପରି କାମ ଯେଉଁଠାରେ ଜଣେ ଲୋକର ଗ୍ୟାସ ଓ ବାଷ୍ପଠାରୁ ସୁରକ୍ଷା ଆବଶ୍ୟକ ସେହି ସ୍ଥାନରେ ଫୁଲ ଫେସ ରେସ୍ପିରେଟର ମାସ୍କ ପିନ୍ଧାଯାଏ। ଏହା ଆଖିକୁ ସୁରକ୍ଷା ପ୍ରଦାନ କରିଥାଏ । ଶ୍ୱାସକ୍ରିୟାଜନିତ ସମସ୍ୟା ଭୋଗୁଥିବା କିମ୍ବା ଦାଢ଼ି ରଖିଥିବା ଲୋକଙ୍କ ପାଇଁ ଏହା ପିନ୍ଧିବା ଉପଯୁକ୍ତ। ଏହାର ଦାମ୍ ଭିନ୍ନ ଭିନ୍ନ ହୋଇଥାଏ। ଏହି ମାସ୍କର ବେସିକ୍ ମଡେଲ ପାଇଁ ପ୍ରାୟ ୧୧୫ ଡଲାର ଦେବାକୁ ହୋଇଥାଏ। କୋରୋନା ସଂକ୍ରମଣ କ୍ଷେତ୍ରରେ ଯେଉଁ ଲୋକମାନେ ସାଧାରଣ ମାସ୍କ ପିନ୍ଧିବା ସମୟରେ ଶ୍ୱାସକ୍ରିୟାଜନିତ  ସମସ୍ୟା ଭୋଗୁଥିବେ ସେମାନେ ଏହାକୁ ବ୍ୟବହାର କରିପାରିବେ । କାରଣ ଏହି ମାସ୍କ ମଧ୍ୟରୁ କିଛି ମାସ୍କରେ ବାୟୁ ଯୋଗାଣର ବ୍ୟବସ୍ଥା ଥାଏ ।corona

ସେଲଫ୍ କଣ୍ଟେନଡ ବ୍ରିଦିଙ୍ଗ୍ ଆପାରେଟସ(ପୁନଃ ବ୍ୟବହାରଯୋଗ୍ୟ):

ସାଧାରଣତଃ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଏହାକୁ ବ୍ୟବହାର କରିଥାନ୍ତି । ବିପଜ୍ଜନକ ଭାବେ ପ୍ରଦୂଷିତ ସ୍ଥିତିରେ ଯେଉଁମାନଙ୍କୁ ଶୁଦ୍ଧ ବାୟୁର ଆବଶ୍ୟକତା ଥାଏ ସେମାନଙ୍କ ପାଇଁ ଏହା ଉପାଦେୟ ସାବ୍ୟସ୍ତ ହୋଇଥାଏ। କୋରୋନା ସଂକ୍ରମଣଜନିତ ସ୍ଥିତିରେ ଏହାକୁ ପିନ୍ଧିବାର କୌଣସି ଆବଶ୍ୟକତା ନାହିଁ ।

Comment