ନୀଳାମ୍ବର ରଥ

ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶାଲାଇଭ୍‌ର ଶ୍ରଦ୍ଧାଞ୍ଜଳି।

ବିଜୁ ପଟ୍ଟନାୟକ ଥିଲେ ଜଣେ ଦୁଃସାହସୀ-ଶିଳ୍ପୋଦ୍ୟୋଗୀ। ଏଇଥିପାଇଁ ଦୁଃସାହସୀ କୁହାଯିବ ଯେ କୌଣସି ନୂଆ ଚିନ୍ତାଧାରାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସେ ତାଙ୍କର ସମସ୍ତ ସମ୍ବଳ ଓ ସମୟ ଲଗାଇ ଦେବାରେ କେବେ ପଛଘୁଞ୍ଚା ଦେଉନଥିଲେ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଶର ବିଭିନ୍ନ ସ୍ଥାନରେ ଯେଉଁ କେତେଜଣ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଗଭୀର ଭାବେ ନିଜକୁ ସମ୍ପୃକ୍ତ କରି ନୂଆ ଧାରା ସୃଷ୍ଟି କରିଥିଲେ ସେମାନଙ୍କ ଭିତରେ ବିଜୁ ଥିଲେ ଅନ୍ୟତମ। ଓଡ଼ିଶାର ତାଳଚେର ଅଞ୍ଚଳରେ ଗଚ୍ଛିତ ଥିବା ବ୍ୟାପକ କୋଇଲାରୁ ଯଦି ଜାଳେଣି ଗ୍ୟାସ୍ ଉତ୍ପନ୍ନ ହୋଇପାରନ୍ତା ତେବେ ଓଡ଼ିଶାର ଘରେ ଘରେ ଲୋକଙ୍କ ପାଖରେ ପାଇପ୍ ମାଧ୍ୟମରେ ଏହା ପହଞ୍ଚାଯାଇପାରନ୍ତା। ଦିନେ ଏଭଳି ଏକ କଥା ଭାବିଥିଲେ ତରୁଣ ବିଜୟାନନ୍ଦ।

କୋଇଲାରୁ କେବଳ ଗ୍ୟାସ୍ ଉତ୍ପାଦନ କଥା ନୁହେଁ ଏପରିକି ପେଟ୍ରୋଲ୍ ଉତ୍ପାଦନ କରାଯାଇପାରିବ ବୋଲି ସେ କହୁଥିଲେ। ତାଳଚେର ଅଞ୍ଚଳରୁ କୋଇଲା ନମୁନା ବିଦେଶକୁ ପଠାଇ ତା’ର ବୈଜ୍ଞାନିକ ପରୀକ୍ଷଣ କରିବା ସହ ସେ ପ୍ରମାଣ କରିଥିଲେ ଯେ ସେ ଯାହା କହୁଛନ୍ତି ତାହା ସମ୍ଭବ ହୋଇପାରିବ।

କୋଇଲାରୁ ପେଟ୍ରୋଲିୟମ୍ ଉତ୍ପାଦନ ହୁଏତ ବ୍ୟୟବହୁଳ ହୋଇପାରେ। କିନ୍ତୁ ମାଟି ତଳେ ଥିବା ଏହି ପ୍ରାକୃତିକ ପଦାର୍ଥରୁ କମ୍ ଖର୍ଚ୍ଚରେ ଯେ ଜାଳେଣି ଗ୍ୟାସ୍ ଉତ୍ପାଦନ ହୋଇପାରିବ ଏହା ସେତେବେଳେ ବିଦେଶର ବୈଜ୍ଞାନିକମାନେ ମଧ୍ୟ ସ୍ପଷ୍ଟ କରିଦେଇଥିଲେ। କିନ୍ତୁ କେତେକ କାରଣରୁ ବିଜୁବାବୁଙ୍କ ଏହି ସ୍ୱପ୍ନ ସତରେ ପରିଣତ ହୋଇପାରିନଥିଲା।

ଓଡ଼ିଶାରେ ଘରେ ଘରେ ପାଇପ୍ ଲାଇନ୍ ଯୋଗେ ଗ୍ୟାସ୍ ପହଞ୍ଚାଇବାର ଯେଉଁ ସ୍ୱପ୍ନ ବିଜୁଙ୍କୁ ଉଦ୍‌ବେଳିତ କରିଥିଲା ତା’ର ଆଉ ଏକ ରୂପାୟନ ଥିଲା ସେ ଚୌଦ୍ୱାରରେ ପ୍ରତିଷ୍ଠା କରିଥିବା କଳିଙ୍ଗ ଟ୍ୟୁବ୍ସ କମ୍ପାନି। ଏହା ଥିଲା ଭାରତର ପ୍ରଥମ ଟ୍ୟୁବ୍ କମ୍ପାନି। ଏଠାରେ ୧୦ ଇଞ୍ଚ ବ୍ୟାସ ପର୍ଯ୍ୟନ୍ତ ଷ୍ଟିଲ୍ ପାଇପ୍ ତିଆରି ହେଉଥିଲା। ପରବର୍ତ୍ତୀ ସମୟରେ ୧୨ ଇଞ୍ଚ ପର୍ଯ୍ୟନ୍ତ ପାଇପ୍ ପ୍ରସ୍ତୁତ କରିବାରେ ଏହି କମ୍ପାନି ସକ୍ଷମ ହୋଇଥିଲା।

ବିଜୁଙ୍କ ଲକ୍ଷ୍ୟ ଥିଲା ଲୁହା ପାଇପ୍ ମାଧ୍ୟମରେ ଘରେ ଘରେ କୋଇଲାରୁ ଉତ୍ପାଦିତ ଜାଳେଣି ଶକ୍ତି ପହଞ୍ଚାଇବା ଏବଂ ଲକ୍ଷ ଲକ୍ଷ ମା’ ଓ ମାଉସୀଙ୍କ ଦୈନନ୍ଦିନ ସମସ୍ୟାକୁ ହାଲୁକା କରିବା। ତେଣୁ କୋଲ୍ ଗ୍ୟାସ୍ କମ୍ପାନିକୁ ବାସ୍ତବ ରୂପ ଦେବା ପାଇଁ ଉଦ୍ୟମ ଚାଲିଥିବା ଭିତରେ ତିଆରି ହୋଇଯାଇଥିଲା କଳିଙ୍ଗ ଟ୍ୟୁବସ୍।

ଲୋକେ ତାଙ୍କ କଥାରେ ହସିଥିଲେ

ବିଜୁ ପଟ୍ଟନାୟକ ଯେତେବେଳେ କୋଇଲାରୁ ଗ୍ୟାସ୍ ଉତ୍ପାଦନ କଥା ଅନ୍ୟମାନଙ୍କୁ କହିଥିଲେ ଅନେକ ତାଙ୍କ କଥାକୁ ହସି ଉଡାଇ ଦେଇଥିଲେ। ତେବେ ସେ କାହାର ଉପର ଠାଉରିଆ ଟିପ୍ପଣୀକୁ ଗୁରୁତ୍ୱ ନଦେଇ ନିଜର ସ୍ୱପ୍ନକୁ ଆଗକୁ ନେବା ପାଇଁ ନଜର ଦେଇଥିଲେ।

୧୯୪୮ ଅକ୍ଟୋବର ମାସରେ ତରୁଣ ଶିଳ୍ପୋଦ୍ୟୋଗୀ ବିଜୁ ଫ୍ରାନ୍ସର ରାଜଧାନୀ ପ୍ୟାରିସ୍ ଯାଇ ସେଠାରେ ଏକ କମ୍ପାନି ପ୍ରତିଷ୍ଠା କରିଥିଲେ। ସ୍ଥାନୀୟ ଭାଷାରେ ଏହି କମ୍ପାନିର ନାଁ ଥିଲା ‘ଫ୍ରାନ୍କୋ-ଇଣ୍ଡିଏନ୍ ଡି ଇଣ୍ଡଷ୍ଟ୍ରିଆ’। ପ୍ୟାରିସରେ ଏହାର ଅଫିସ୍ ପ୍ରତିଷ୍ଠା କରିଥିଲେ ସେ। ଏଥିରେ ୫ଜଣ ଡାଇରେକ୍ଟର ଥିଲେ। ଏହି କମ୍ପାନି ଏକ ବଡ଼ ଘରୋଇ ବ୍ୟାଙ୍କ୍ ସହ ଆର୍ଥିକ କାରବାର ପାଇଁ ବୁଝାମଣା ମଧ୍ୟ କରିଥିଲା। ସେମାନଙ୍କ ମାଧ୍ୟମରେ ସ୍ଥାନୀୟ ଏକ ପ୍ରତିଷ୍ଠିତ କେମିକାଲ୍ ଇଞ୍ଜିନିୟରିଂ କମ୍ପାନି (ପେଶିନି ଗ୍ରୁପ୍) ସହ ଚୁକ୍ତି ସ୍ୱାକ୍ଷର କରିଥିଲେ ବିଜୁ।

ସେତେବେଳେ ଶ୍ୟାମାପ୍ରସାଦ ମୁଖାର୍ଜୀ କେନ୍ଦ୍ରରେ ବାଣିଜ୍ୟ ମନ୍ତ୍ରୀ ଥିଲେ। ସେ ବିଜୁ ପଟ୍ଟନାୟକଙ୍କ ଶିଳ୍ପ ଗତିବିଧିକୁ ନିୟମିତ ଭାବେ ଅନୁଧ୍ୟାନ କରୁଥିଲେ। ତେବେ ୧୯୪୯ ମସିହାରେ ସେ କ୍ୟାବିନେଟରୁ ଇସ୍ତଫା ଦେବା ପରେ ଡକ୍ଟର ହରେକୃଷ୍ଣ ମହତାବ ହେଲେ ନୂଆ ବାଣିଜ୍ୟ ମନ୍ତ୍ରୀ। ମହତାବଙ୍କ ସହଯୋଗରେ ବିଜୁ ଓଡ଼ିଶାରେ ଶିଳ୍ପ ବିକାଶର ଧାରାକୁ ଆଗେଇ ନେବା ପାଇଁ ଉଦ୍ୟମ କରିଥିଲେ।

ବିଜୁବାବୁଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ, ତାଳଚେର କୋଇଲାରୁ ଗ୍ୟାସ୍ ଉତ୍ପାଦନ ସମ୍ଭବ। ଏହି ପ୍ରକଳ୍ପରେ ଏକ ଫରାସୀ କମ୍ପାନି ସହ ବିଭିନ୍ନ ଗବେଷଣା ପ୍ରତିଷ୍ଠାନକୁ ଯୋଡ଼ି ସେ ଏହି ଯୁଗାନ୍ତକାରୀ ସମାଧାନ ପାଇଁ ଚିନ୍ତା କରିଥିଲେ। ତେବେ ସେତେବେଳେ ତାଳଚେର ଅଞ୍ଚଳରେ କେତେ ପରିମାଣ କୋଇଲା ମହଜୁଦ ଅଛି ଏ ବିଷୟରେ କୌଣସି ଆକଳନ ହୋଇନଥିଲା। ତେଣୁ ବିଜୁ ପଟ୍ଟନାୟକ ତାଳଚେର ସହ ଧାନବାଦ୍, ଝରିଆ ଏବଂ ଆସାନସୋଲ୍ – ଭାରତର ଏହି ବ୍ୟାପକ କୋଇଲା କ୍ଷେତ୍ରକୁ ତାଙ୍କ ପ୍ରକଳ୍ପ ଭିତରେ ଯୋଡ଼ିବା କଥା ମଧ୍ୟ ଚିନ୍ତା କରିଥିଲେ। ଏହି ଭାବନା ଭିତରେ ସବୁଠୁ ଆଗରେ ରହିଥିଲା ତାଳଚେର।

ଫ୍ରାନ୍ସର କମ୍ପାନି ସହିତ ଏ ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ବିଜୁ ମଧ୍ୟ ୟୁରୋପର ବିଭିନ୍ନ ଶିଳ୍ପ ସଙ୍ଗଠନ ସହ ଏ ବାବଦରେ କଥାବାର୍ତ୍ତା ଜାରି ରଖିଥିଲେ। ତାଙ୍କର ନଜର ରହିଥିଲା ଜର୍ମାନ ଉପରେ। ଫ୍ରାନ୍ସର ଆଗଧାଡ଼ିର ଗବେଷଣା ସଂସ୍ଥା ପେଟ୍ରୋଲିୟମ୍ ଇନଷ୍ଟିଚ୍ୟୁଟର ସାହାଯ୍ୟ ମାଗିଥିଲେ ବିଜୁ। ସେହିଭଳି ଏକ ଜର୍ମାନ୍ ଇସ୍ପାତ୍ କମ୍ପାନିଙ୍କ ସହ ଯୋଗାଯୋଗ କରି ଏହି ସ୍ୱପ୍ନକୁ ସାକାର ରୂପ ଦେବାକୁ ସେ ଚେଷ୍ଟା କରିଥିଲେ। ଏହି କମ୍ପାନିର ଚେୟାରମ୍ୟାନଙ୍କୁ ସେ ଭେଟିଥିଲେ, ଯେ କି ହିଟଲରଙ୍କ ଶାସନ ସମୟରେ କୋଇଲାରୁ ପେଟ୍ରୋଲ୍ ଉତ୍ପାଦନ ସମ୍ପର୍କରେ ହୋଇଥିବା ଗବେଷଣା ଓ କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ଥିଲେ।

କିରାସିନି ବ୍ୟାରେଲରେ ପରୀକ୍ଷା ପାଇଁ ଗଲା କୋଇଲା

ବିଜୁ ପଟ୍ଟନାୟକ ତାଙ୍କର ଏହି ଯୋଜନାକୁ ନେଇ ଏତେ ଦୃଢ଼ ଥିଲେ ଯେ ସେ ପ୍ରକଳ୍ପର ସ୍ୱାଭାବିକ ଅଗ୍ରଗତି ପାଇଁ ଅପେକ୍ଷା କରିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ। ତେଣୁ ସେ ତାଳଚେର କୋଇଲାର ନମୁନା ଉଭୟ ଫ୍ରାନ୍ସ ଓ ଜର୍ମାନୀକୁ ପଠାଇ ବିଧିବଦ୍ଧ ବୈଜ୍ଞାନିକ ପରୀକ୍ଷା କରିବାକୁ ବାହାରିଲେ।

ସେତେବେଳେ ତାଳଚେର ଅଞ୍ଚଳରେ କୋଇଲା ଉତ୍ପାଦନ ଆଜିଭଳି ଏକ ବ୍ୟାପକ କାରବାର ନଥିଲା। ତେଣୁ ସେ ଗୋପାଳ ପ୍ରସାଦ ନାମକ ଏକ ଗାଁରେ ଥିବା ଖୋଲା ମୁହଁ କୋଇଲାଖଣିରୁ କିଛି କୋଇଲା ସଂଗ୍ରହ କରି ବଡ଼ କିରାସିନି ବ୍ୟାରେଲରେ ତା’କୁ ଭର୍ତ୍ତି କରି ବିଦେଶ ପଠାଇଥିଲେ। ତାଙ୍କୁ ଏହି କାର୍ଯ୍ୟରେ ଫରାସୀ କେମିଷ୍ଟ ଡକ୍ଟର କୁଭିୟର୍ ସହଯୋଗ କରିଥିଲେ।

ଓଡ଼ିଆ ଯୁବକଙ୍କୁ ତାଲିମ୍ ପାଇଁ ବିଦେଶ ପଠାଇଲେ

ବିଜୁ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପାଦେ ପାଦେ କରି ପଦକ୍ଷେପ ନେଉଥିଲେ। କୋଇଲାରୁ ପେଟ୍ରୋଲିୟମ୍ ଉତ୍ପାଦନ ଲାଗି ଯେଉଁ ଜ୍ଞାନକୌଶଳ ଦରକାର ତାକୁ ସମ୍ଭାଳିବ କିଏ? କେବଳ କେତେ ଦିନ ପର୍ଯ୍ୟନ୍ତ ବିଦେଶୀ କମ୍ପାନି ବା ବିଦେଶରୁ ଆସୁଥିବା ମାନବ ସମ୍ବଳ ଉପରେ ନିର୍ଭର କରାଯିବ ଓ ସ୍ଥାନୀୟ ଓଡ଼ିଆ ଲୋକମାନେ ଜଳ ଜଳ ହୋଇ ତାହା ଦେଖୁଥିବେ? ଏହିସବୁ ପ୍ରଶ୍ନ ବିଜୁଙ୍କ ମନରେ ଆସିଥିଲା।

ଏହାର ସମାଧାନ ପାଇଁ ରେଭେନ୍ସା କଲେଜର ଚାରିଜଣ ଯୁବ ବିଜ୍ଞାନ ସ୍ନାତକଙ୍କୁ ବାଛି ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ଫ୍ରାନ୍ସ ପଠାଇଥିଲେ ବିଜୁ ପଟ୍ଟନାୟକ। ସେମାନେ ହେଲେ ଶିଶିର କୁମାର ମହାନ୍ତି, ନୀଳାଦ୍ରୀ ଚନ୍ଦ୍ର ଦାସ, ଚିତ୍ତରଞ୍ଜନ ଦାସ ଓ ପ୍ରତାପରୁଦ୍ର ପରିଜା। ଲକ୍ଷ୍ୟ ଥିଲା ସେମାନେ ପେଟ୍ରୋଲିୟମ୍ ଇଞ୍ଜିନିୟରିଂ ଏବଂ ଆନୁସଙ୍ଗିକ ବିଷୟରେ ଗବେଷଣା କରି ଓଡ଼ିଶା ଫେରିଆସିବେ ଓ ବିଜୁଙ୍କ ଏହି ନୂତନ ପ୍ରକଳ୍ପର ବିଭିନ୍ନ ଦାୟିତ୍ୱ ତୁଲାଇବେ।

ଏହି କାର୍ଯ୍ୟକ୍ରମ ଚାଲିବା ଭିତରେ ବିଜୁଙ୍କ ପାଖରେ ପହଞ୍ଚିଥିଲା ତାଳଚେର କୋଇଲାକୁ ନେଇ ହୋଇଥିବା ରାସାୟନିକ ପରୀକ୍ଷାର ଫଳାଫଳ। ବିଜୁ ଯାହା ଭାବିଥିଲେ ଫଳ ପାଖାପାଖି ତାହାହିଁ ଥିଲା। ତେଣୁ ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ବିଜୁ ପଟ୍ଟନାୟକ ତାଙ୍କର ନୂତନ ପ୍ରକଳ୍ପ ପାଇଁ ବିଦେଶୀ ପୁଞ୍ଜିନିବେଶ ଯୋଗାଡ଼ କରିବା ଉପରେ ଧ୍ୟାନ ଦେଇଥିଲେ।

ତାଙ୍କୁ ଏଥିପାଇଁ ଆବଶ୍ୟକ ପୁଞ୍ଜି ଯୋଗାଇ ଦେବାକୁ ଜୁରିକ୍‌ର ଏକ ଘରୋଇ ବ୍ୟାଙ୍କ୍ ପ୍ରସ୍ତୁତ ହୋଇଯାଇଥିଲା। ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ୨୦ କୋଟି ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରାଗଲେ ବାର୍ଷିକ ପ୍ରାୟ ଏକଲକ୍ଷ ଟନ୍ ପରିମାଣର ତରଳ ଜାଳେଣି ତାଳଚେର କୋଇଲାରୁ ଉତ୍ପାଦନ ହୋଇପାରିବ।

ସେତେବେଳକୁ ଏକ ଆମେରିକୀୟ କମ୍ପାନି (ଷ୍ଟାଣ୍ଡାର୍ଡ ଅଏଲ୍) ଆମେରିକାରେ ଏକ ବିଶାଳ କୋଲ୍ ଗ୍ୟାସ୍ ପ୍ରକଳ୍ପ ଲାଗି କାମ ଆରମ୍ଭ କରିଥିଲା। ଏହି କମ୍ପାନିର ଜଣେ ବଡ଼ ଅଧିକାରୀ ଜେନେରାଲ୍ ମିଲର୍‌ଙ୍କ ସହ ଘଟଣାକ୍ରମେ ବିଜୁ ପଟ୍ଟନାୟକଙ୍କ ସାକ୍ଷାତ ହୋଇଥିଲା। ତେବେ ବିଜୁଙ୍କ କଥା ଶୁଣି ସେ ହସି ଉଡାଇ ଦେଇଥିଲେ। କାହିଁ ତାଙ୍କ କମ୍ପାନି, କାହିଁ ବିଜୁଙ୍କ ସ୍ୱପ୍ନ। ତେବେ ଏହି ଘଟଣା ବିଜୁବାବୁଙ୍କ ମନରେ ରେଖାପାତ କରିଥିଲା। ମିଲର୍‌ଙ୍କ କଥାରେ ଭାଙ୍ଗି ନ ପଡ଼ି ନିଜ ସ୍ୱପ୍ନକୁ ଅଧିକ ଦୃଢ଼ କରିବାକୁ ଚେଷ୍ଟା କରିଥିଲେ ବିଜୁ।

ଭାରତ ଫେରି ବିଜୁ ପଟ୍ଟନାୟକ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟ ନିକଟରେ ଏହି ପ୍ରକଳ୍ପ ଲାଗି ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ସେତେବେଳେ ଡକ୍ଟର ଲାହିର୍ ନାମକ ଜଣେ ବୈଜ୍ଞାନିକ ଧାନବାଦସ୍ଥିତ ଫୁଏଲ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମୁଖ୍ୟ ଥିଲେ। ତାଙ୍କର ଆମେରିକାସ୍ଥିତ ଷ୍ଟାଣ୍ଡାର୍ଡ ଅଏଲ୍ କମ୍ପାନି ସହ ଭଲ ସମ୍ପର୍କ ରହିଥିଲା। ଭବିଷ୍ୟତରେ ଭାରତରେ ଏହି ବ୍ୟବସାୟ ଲାଗି ଲକ୍ଷ୍ୟ ରଖିଥିବା ସମ୍ପୃକ୍ତ ତୈଳ କମ୍ପାନି ଡକ୍ଟର ଲାହିରଙ୍କୁ ପ୍ରଭାବିତ କରିବାକୁ ସକ୍ଷମ ହୋଇଥିବା ଆଲୋଚନା ହୁଏ। ତେଣୁ ଡକ୍ଟର ଲାହିର ବିଜୁଙ୍କ ଆବେଦନ ଉପରେ ନକରାତ୍ମକ ମନ୍ତବ୍ୟ ଦେଇଥିଲେ।

ସେପଟେ ଜେନେରାଲ୍ ମିଲର୍ ମଧ୍ୟ ସମ୍ପୃକ୍ତ ସୁଇସ୍ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରି ବିଜୁ ପଟ୍ଟନାୟକଙ୍କୁ ଏହି ପ୍ରକଳ୍ପ ଲାଗି କୌଣସି ଋଣ ନ ଦେବାକୁ ପରାମର୍ଶ ଦେଇଥିଲେ। ଫଳରେ ସେହି ବ୍ୟାଙ୍କ ମଧ୍ୟ ତା’ର ପ୍ରତିଶ୍ରୁତିରୁ ଅଚାନକ ଓହରି ଯାଇଥିଲା ବୋଲି ବିଜୁଙ୍କ ନିକଟତମ ମହଲରୁ ଜଣାପଡ଼େ। ଏହି ଘଟଣା ପରେ ବିଜୁ ପଟ୍ଟନାୟକଙ୍କ ସିନ୍ଥେଟିକ୍ ପେଟ୍ରୋଲିୟମ୍ ଉତ୍ପାଦନ ସ୍ୱପ୍ନ ଅଧାରେ ହିଁ ରହିଗଲା।

ଏହି ଘଟଣାର ଅନେକ ଦିନ ପରେ, ୧୯୭୩ ମସିହାରେ ଅନ୍ତର୍ଜାତୀୟ ତୈଳ ସମସ୍ୟା ଜଟିଳ ଆକାର ଧାରଣ କରିଥିଲା। ସେତେବେଳକୁ ବିଜୁ ପଟ୍ଟନାୟକ ତାଙ୍କ ଶିଳ୍ପୋଦ୍ୟୋଗୀ ଜୀବନରୁ ଏକ ପ୍ରକାର ସନ୍ନ୍ୟାସ ନେଇ ରାଜନୀତିରେ ସକ୍ରିୟଥିଲେ। ତେବେ ୧୯୪୮ ମସିହାରେ ସେ କୋଇଲାରୁ ପେଟ୍ରୋଲିୟମ୍ ଉତ୍ପାଦନ ପାଇଁ କରିଥିବା ପରିକଳ୍ପନା କଥା ତାଙ୍କର ମନେ ପଡ଼ିଥିଲା। ସେତେବେଳେ ଭାରତ ସିନା ବିଜୁଙ୍କ ସ୍ୱପ୍ନକୁ ରୂପରେଖ ଦେଇପାରିନଥିଲା, କିନ୍ତୁ ୧୯୭୬ ମସିହା ବେଳକୁ ଆଫ୍ରିକୀୟ କମ୍ପାନି ସୋସାଲ ବିଜୁଙ୍କ ଭଳି ଅନୁରୂପ ଚିନ୍ତାଧାରାକୁ ନେଇ କୋଇଲାରୁ ପେଟ୍ରୋଲ୍ ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଥିଲା।

ବିଜୁବାବୁ ଯେଉଁ ଫ୍ରାନ୍ସ ଓ ଜର୍ମାନ କମ୍ପାନି ସହ ଅନୁବନ୍ଧନ କରି ତାଳଚେର କୋଇଲାରୁ ଜାଳେଣି ଶକ୍ତି ଓ ପେଟ୍ରୋଲ୍ ବାହାର କରିବାକୁ ବସିଥିଲେ ଆଫ୍ରିକୀୟ କମ୍ପାନି ସାସୋଲ୍‌ ମଧ୍ୟ ସେହିସବୁ ସଂସ୍ଥା ସହାୟତାରେ ଏହି ଐତିହାସିକ ସଫଳତା ହାସଲ କରିଥିଲା।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେହି ଆଫ୍ରିକୀୟ କମ୍ପାନି ସାସୋଲ୍ ଟାଟା କମ୍ପାନି ସହ ମିଶି କିଛି ବର୍ଷ ପୂର୍ବେ ଓଡ଼ିଶାର ତାଳଚେର କୋଇଲାରୁ ପେଟ୍ରୋଲ୍ ଉତ୍ପାଦନ ପାଇଁ ଉଦ୍ୟମ କରିଥିଲା। ପ୍ରାଥମିକ ଅବସ୍ଥାରେ ଏହି କମ୍ପାନିର ପୁଞ୍ଜିନିବେଶ ପରିମାଣ ୧୧ ହଜାର କୋଟି ଟଙ୍କା ରହିଥିଲା। ତେବେ ସମ୍ପୃକ୍ତ କମ୍ପାନିକୁ ଆବଶ୍ୟକ କୋଲ୍ ବ୍ଲକ୍ ନ ମିଳିବା ଫଳରେ ଏହାର କମର୍ସିଆଲ୍ ପ୍ରଡକ୍ସନ ସମ୍ଭବ ହୋଇନଥିଲା ଓ ଶେଷରେ ବାଧ୍ୟ ହୋଇ କମ୍ପାନିଟି ବନ୍ଦ ହୋଇଯାଇଥିଲା।

(ବିଜୁ ପଟ୍ଟନାୟକଙ୍କ ଭଣଜା ତଥା ଏକଦା କଳିଙ୍ଗ ଶିଳ୍ପ ସମୂହର ପରିଚାଳନା ଦାୟିତ୍ୱରେ ଥିବା ଇଞ୍ଜିନିୟର ଅଜିତ୍ ମହାପାତ୍ର ବିଜୁଙ୍କ ଜୀବନୀକୁ ନେଇ ଲେଖିଥିବା ଅପ୍ରକାଶିତ ପୁସ୍ତକ ତଥା ବିଭିନ୍ନ ସୂତ୍ରରୁ ପ୍ରାପ୍ତ ସୂଚନା ଉପରେ ଆଧାରିତ।)

Comment