ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏସିଆର ଶ୍ରେଷ୍ଠ ଧନୀ ଭାବେ ରିଲାୟନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନି ଶୁକ୍ରବାର ୬୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୧୯୫୭ ମସିହା ଏପ୍ରିଲ ୧୯ ଅର୍ଥାତ ଆଜିର ଦିନରେ ତାଙ୍କର ଜନ୍ମ। ୨୦୧୯ ବର୍ଷରେ ବିଶ୍ୱର ଶହେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ସେ ସାମିଲ ହୋଇଥିଲେ। ଗତ ଦୁଇ ଦିନ ତଳେ ଟାଇମ ମ୍ୟାଗାଜିନ ତାଙ୍କୁ ସାମିଲ କରିଥିଲା।

ଏହି ତାଲିକାରେ ଭାରତର ୩ ଜଣ ସ୍ଥାନ ପାଇଥିଲେ। ମୁକେଶ ଅମ୍ବାନିଙ୍କ ଛଡ଼ା ଅରୁନ୍ଧତି କାଟଜୁ ଏବଂ ମେନକା ଗୁରୁସ୍ୱାମୀଙ୍କୁ ତାଲିକାରେ ସ୍ଥାନ ମିଳିଛି।  ମୁକେଶଙ୍କ ପାଖରେ ୪୨.୧ ଅରବ ଡଲାରର ସମ୍ପତ୍ତି ରହିଛି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପାଖାପାଖି ୨ ହଜାର ୭୧୮ ଅରବ ଟଙ୍କା ହେବ। ବାପା ଧୀରୁଭାଇ ଅମ୍ବାନୀଙ୍କ ଅବସର ପରେ ବ୍ୟବସାୟ ଆରମ୍ଭ କରିଥିବା ମୁକେଶ ଅମ୍ବାନି ଦିନକୁ ଦିନ ସଫଳତାର ପାହଚ ଚଢ଼ି ଚାଲିଛନ୍ତି। ତେବେ ଏହି ସଫଳତା ପଛରେ ମୁକେଶଙ୍କ ମୁଖ୍ୟ ଗୁଣ ହିଁ ତାଙ୍କୁ ଆଜି ଶୀର୍ଷ ସ୍ଥାନରେ ପହଞ୍ଚାଇପାରିଛି।

ଗ୍ରାହକ ହେଉଛନ୍ତି ବସ୍‌

ବ୍ୟବସାୟରେ ଗ୍ରାହକ ହିଁ ବସ୍‌ ହୋଇଥାନ୍ତି। ବ୍ୟବସାୟରେ ଯେଭଳି ଗ୍ରାହକଙ୍କ କ୍ଷତି ନହୁଏ ସେଥିପାଇଁ ପ୍ରାଥମିକତା ଦେବାକୁ ପଡ଼ିବ। ସର୍ବଦା ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ନିଷ୍ପତ୍ତି ନେବା ଉଚିତ୍।

ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କର

ବ୍ୟବସାୟରେ ସଫଳତା ହାସଲ କରିବାକୁ ହେଲେ ପ୍ରଥମେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିବାକୁ ହେବ। ଲକ୍ଷ୍ୟ ଯେ ପର୍ଯ୍ୟନ୍ତ ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ଉଚିତ୍। ଯଦି ବିନା ଲକ୍ଷ୍ୟରେ କାମ କରୁଛନ୍ତି ଝୁଣ୍ଟିବା ସମ୍ଭାବନା ଅଧିକ।

କଠିନ ପରିସ୍ଥିତିକୁ ସାମ୍ନା କର

ଜୀବନରେ ଆସୁଥିବା ସମସ୍ୟାକୁ ଡରି ପଛକୁ ଯିବା ଅପେକ୍ଷା ଏହାକୁ ସାମ୍ନା କରିବା ଉଚିତ୍।  ସମସ୍ୟା କେଉଁଠୁ ଉତ୍ପନ ହେଉଛି ଏବଂ ଏହାର କାରଣ କ’ଣ ତାକୁ ଜାଣିବାକୁ ଚେଷ୍ଟା କରନ୍ତୁ। ବ୍ୟବସାୟରେ ହେଉଥିବା ସମସ୍ୟାକୁ ଏଡ଼ାଇବାକୁ ହେଲେ ଧ୍ୟାନ ଦେବାକୁ ହେବ ଯାହାଦ୍ୱାରା ପରିଶ୍ରମ କେବେବି ବୃଥା ଯିବନି।

ସକରାତ୍ମକ ଭାବନା

ଜୀବନରେ ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାକୁ ହେଲେ ସକରାତ୍ମକ ଭାବନା ଚିନ୍ତା କରିବାକୁ ପଡ଼ିବ। ନକରାତ୍ମକ ପରିବର୍ତ୍ତେ ସକରାତ୍ମକ ଚିନ୍ତାଧାରାରେ ସହଜରେ ସଫଳତା ହାସଲ କରିହେବ।

ସମ୍ପର୍କ ଉପରେ ଭରସା ଜରୁରୀ

ବ୍ୟବସାୟରେ ସଫଳତା ହାସଲ କରିବାକୁ ହେଲେ ଉତ୍ତମ ସମ୍ପର୍କ ଏବଂ ବିଶ୍ୱାସ ରଖିବାକୁ ହେବ। ସମ୍ପର୍କ ଏବଂ ବିଶ୍ୱାସ ହିଁ ଜୀବନରେ ପରିବର୍ତ୍ତନ ଆଣିପାରିବ। ବ୍ୟବସାୟରେ ବିଶ୍ଵାସଯୋଗ୍ୟ ବ୍ୟକ୍ତିଙ୍କ ପରିଚୟ ନିହାତି ଜରୁରୀ।

Comment