ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଯୋଗୁଁ ଘରେ ଲକ୍‌ଡାଉନ ହୋଇ ଅଛନ୍ତି। ଏହି ସମୟରେ ପିଲାଙ୍କର ନିଅନ୍ତୁ ଏମିତି  ଯତ୍ନ।

କରୋନା ଭାଇରସ ଏବେ ସାରା ସମସ୍ୟା ସୃଷ୍ଟି କରିଛି। ସ୍କୁଲ ସବୁ ବନ୍ଦ ହେବା, ଘରେ ରହି କାମ କରିବା, ପରସ୍ପରଠାରୁ ଦୂରରେ ରହିବା, ଯେ କୌଣସି ଲୋକ ମନରେ ଅନେକ ନକାରାତ୍ମକ ଭାବ ସୃଷ୍ଟି କରିପାରେ। ଖାସ୍ କରି ବାପା, ମା’ମାନଙ୍କ ପାଇଁ ଏହି ସମସ୍ୟାର ମୁକାବିଲା କରିବା ଅଧିକ ଜଟିଳ ହୋଇପାରେ। ତେବେ ବାପା,ମା’ କିପରି ବିଭିନ୍ନ ବୟସର ପିଲାମାନଙ୍କ ପାଇଁ ସମୟକୁ ଲାଭକାରୀ କରିପାରିବେ ସେ ସମ୍ପର୍କରେ ଜାଣନ୍ତୁ।

ପିଲା ସ୍କୁଲ ଯାଉଥିଲେ…

୧ – ସ୍କଲ ଏବେ ବନ୍ଦ ରହିଥିବାରୁ ପିଲାମାନଙ୍କୁ ତାଙ୍କ ବାପା ମା’ଙ୍କ ଅଧିକ ସମୟ ବିତାଇବାକୁ ମିଳୁଛି। ଏହି ସମୟରେ ବାପା, ମା’ ପିଲାଙ୍କ ସହିତ ତାଙ୍କ ସମ୍ପର୍କକୁ ଅଧିକ ମଜବୁତ କରିପାରିବେ। ଏହାଦ୍ୱାରା ପିଲାମାନେ ନିଜକୁ ଅଧିକ ସୁରକ୍ଷିତ ମନେ କରିବେ।

ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ପିଲାଙ୍କ ପାଇଁ ସ୍ୱତନ୍ତ୍ର ସମୟ ବାହାର କରନ୍ତୁ, ତା’ ସହ କଥା ହୁଅନ୍ତୁ, ମଜା କରନ୍ତୁ। ଏମିତି ସମୟକୁ ସବୁ ପିଲା ଅପେକ୍ଷା କରି ରହିବେ। ପିଲାଙ୍କୁ ପଚାରନ୍ତୁ ସେ କ’ଣ କରିବାକୁ ଚାହାନ୍ତି। ଏହାଦ୍ୱାରା ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିବ।

ଶିଶୁ ହୋଇଥିଲେ…

ଆପଣଙ୍କ ପିଲା ଶିଶୁ ହୋଇଥିଲେ ଶିଶୁ ମାନଙ୍କ ମୁହଁର ଭଙ୍ଗୀ ଓ ସେମାନଙ୍କ ଶବ୍ଦକୁ ନକଲ କରନ୍ତୁ। ଗୀତ ଗାଆନ୍ତୁ, ବାସନ ଓ ଚାମଚ ମାଧ୍ୟମରେ ବାଜା ବଜାନ୍ତୁ। ଗପ ଶୁଣାନ୍ତୁ, ବହି ପଢ଼ନ୍ତୁ ଚିତ୍ର ଦେଖାନ୍ତୁ।

ଶୈଶବ ଅବସ୍ଥାରୁ ବାହାରି ସାରିଥିଲେ

ପିଲାଙ୍କ ସହ ସମୟ କାଟିବା ପାଇଁ ସେମାନଙ୍କ ସହ ମିଶି ବହି ପଢ଼ନ୍ତୁ। ସେମାନଙ୍କ ସହ ଘରେ ଓ ଘର ଚାରିପାଖରେ କିଛି ସମୟ ଚାଲିପାରିବେ। ଗୀତ ଗାଆନ୍ତୁ ବା ବାଜା ବଜାନ୍ତୁ। ଏକା ସାଙ୍ଗରେ ଗୀତ ଗାଆନ୍ତୁ, ଘର ସଫେଇ କରନ୍ତୁ, ରୋଷେଇ କରନ୍ତୁ। ଏସବୁକୁ ଖେଳ ଭାବେ ଖେଳିପାରିବେ। ହୋମ୍ ୱାର୍କ କରିବାରେ ପିଲାଙ୍କୁ ସାହାଯ୍ୟ କରନ୍ତୁ।

 କିଶୋର ଅବସ୍ଥାରେ ଥିଲେ…

ଖେଳ, ସଂଗୀତ, ସେଲିବ୍ରିଟି, ସାଙ୍ଗ ଭଳି ସେମାନେ ପସନ୍ଦ କରୁଥିବା ଯେ କୌଣସି ପ୍ରସଙ୍ଗରେ ସେମାନଙ୍କ ସହ ଆଲୋଚନା କରନ୍ତୁ। ସେମାନଙ୍କ ସହ ଘର ଭିତରେ ଓ ଘର ପାଖରେ ଚାଲନ୍ତୁ। ସେମାନଙ୍କ ମନ ପସନ୍ଦର ସଂଗୀତ ବଜାଇ ବ୍ୟାୟାମ କରନ୍ତୁ। ଟିଭି ଓ ମୋବାଇଲ୍ ସ୍ୱିଚ୍ ଅଫ୍ କରିଦିଅନ୍ତୁ। କେବଳ ପିଲାମାନଙ୍କୁ ଶୁଣନ୍ତୁ, ସେମାନଙ୍କୁ ଦେଖନ୍ତୁ। ସେମାନଙ୍କୁ ହିଁ ନିଜର ସମ୍ପୂର୍ଣ୍ଣ ଧ୍ୟାନ ଦିଅନ୍ତୁ। ପିଲାମାନଙ୍କ ସହ ମଜା କରନ୍ତୁ।  ପିଲାମାନେ କିଶୋର ବୟସର ହୋଇଥିବାବେଳେ ସେମାନଙ୍କ କାମକୁ ନେଇ ସବୁବେଳେ ସକାରାତ୍ମକ ରହିବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ବାପା ମା’ ପିଲାଙ୍କ ଉପରେ ବିରକ୍ତ ହେଉଥିବା ଦେଖାଯାଏ। ଅନ୍ୟପଟେ ପିଲାଙ୍କୁ ସକାରାତ୍ମକ ଉପଦେଶ ଓ ପ୍ରଶଂସା କଲେ ସେମାନେ ସେହି କାମ ଖୁସିରେ କରବେ।

Comment