ଓଡ଼ିଶାଲାଇଭ୍ ବିଜିନେସ ବ୍ୟୁରୋ

ରିଲାଏନ୍ସର ‘ଜିଓମାର୍ଟ’ ଏବଂ ଫେସବୁକ୍‌ର ‘ହ୍ୱାଟ୍ସଆପ୍‌’ ମିଳିତ ଭାବେ ଭାରତର ଲକ୍ଷ ଲକ୍ଷ କିରାନା ଦୋକାନ ଏବଂ ଗ୍ରାହକଙ୍କୁ ନିଜ ସହ ଯୋଡ଼ିବାର ଲକ୍ଷ ରଖିଛନ୍ତି।

  • ଫେସବୁକ୍ ଏବଂ ରିଲାଏନ୍ସ ଜିଓ ମଧ୍ୟରେ ହେଲା ବଡ଼ ଚୁକ୍ତି
  • ଜିଓରେ ୪୩,୫୭୪ କୋଟି ଟଙ୍କା ନିବେଶ କରିବ ଫେସବୁକ୍
  • ଜିଓର ୯.୯ ପ୍ରତିଶତ ସେୟାର କିଣିବ ଫେସବୁକ୍
  • ‘ଜିଓ ମାର୍ଟ’ରେ ଯୋଡ଼ି ହେବେ କିରାନା ଦୋକାନୀ
  • ହ୍ୱାଟ୍ସଆପ୍‌ ଜରିଆରେ ଦୋକାନୀ-ଗ୍ରାହକଙ୍କୁ ଯୋଡ଼ିବା ପାଇଁ ପ୍ରୟାସ

ଇଣ୍ଟରନେଟ୍ ଦୁନିଆର ସର୍ବଶ୍ରେଷ୍ଠ କମ୍ପାନି ଫେସବୁକ୍ ଭାରତର ରିଲାଏନ୍ସ ଜିଓରେ ୪୩,୫୭୪ କୋଟି ଟଙ୍କା ନିବେଶ କରିବ। ଫଳରେ ଜିଓ ପ୍ଲାଟଫର୍ମରେ ୯.୯ ପ୍ରତିଶତ ଅଂଶ କିଣିବାକୁ ଯାଉଛି ଫେସବୁକ୍ କମ୍ପାନି। ଏନେଇ ଦୁଇ କମ୍ପାନି ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଫଳରେ ରିଲାଏନ୍ସର ‘ଜିଓ ମାର୍ଟ’ ଏବଂ ଫେସବୁକ୍‌ର ‘ହ୍ୱାଟ୍ସଆପ୍‌’ ମିଳିତ ଭାବେ ଦେଶରେ ଲକ୍ଷ ଲକ୍ଷ କିରାନା ଦୋକାନ ଏବଂ ଗ୍ରାହକଙ୍କୁ ନିଜ ସହ ଯୋଡ଼ିବାର ଲକ୍ଷ ରଖିଛନ୍ତି। ଏହା ଫଳରେ ବଜାରରେ ପୂର୍ବରୁ ନିଜର ସ୍ଥିତି ବଜାୟ ରଖିଥିବା ‘ଆମାଜନ’ ଏବଂ ଫ୍ଲିପ୍‌କାର୍ଟକୁ କଡ଼ା ଟକ୍କର ମିଳିବ।

ଫେସବୁକ୍ କାହିଁକି କିଣିଲା ରିଲାଏନ୍ସ ସେୟାର

ବାସ୍ତବରେ ରିଲାଏନ୍ସ ଦେଶର କ୍ଷୁଦ୍ର ବ୍ୟବସାୟୀ, ତେଜରାତି ଦୋକାନ ଏବଂ କିରାନା ଦୋକାନଗୁଡ଼ିକୁ ନିଜ ସହିତ ଯୋଡ଼ିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଏହାକୁ ନେଇ କମ୍ପାନି ନିଜର ଏକ ଇ-କମର୍ସ ସାଇଟ୍‌ ‘ଜିଓମାର୍ଟ’ ତିଆରି କରିଛି। ‘ଜିଓମାର୍ଟ’ରେ ସାରା ଦେଶର ଖୁଚୁରା କିରାନା ଷ୍ଟୋରକୁ ଯୋଡ଼ିବା ସହିତ ଏକ ବିଶାଳ ବିଜିନେସ୍ ପ୍ଲାଟଫର୍ମ ତିଆରି କରିବା ରିଲାଏନ୍ସର ଲକ୍ଷ। ଏଥିରେ ରିଲାଏନ୍ସ ସହ ଭାଗିଦାରିତା ବହନ କରିବ ଫେସବୁକ୍‌ କମ୍ପାନିର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ‘ହ୍ୱାଟ୍ସଆପ୍‌’।

ସାରା ଦୁନିଆରେ ‘ହ୍ୱାଟ୍ସଆପ୍‌’ର ବିଶାଳ ନେଟୱର୍କ ଭାରତରେ ରହିଛି। ଭାରତରେ ପ୍ରାୟ ୩୪ କୋଟି ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ଅଛନ୍ତି। ରିଲାଏନ୍ସ ସହ ଯୋଡ଼ି ହେଲେ ହ୍ୱାଟ୍ସଆପ୍‌ ଭାରତରେ ନିଜର ନେଟୱର୍କକୁ ଆହୁରି ମଜବୁତ୍ କରିପାରିବ ବୋଲି ଫେସବୁକ୍ ଆଶା ରଖିଛି। ଏଥିସହିତ ଜିଓମାର୍ଟ ମଧ୍ୟ ହ୍ୱାଟ୍ସଆପ୍‌ ଜରିଆରେ ନିଜ ଗ୍ରାହକଙ୍କୁ ଭଲ ଭାବରେ ସେବା ପ୍ରଦାନ କରିପାରିବ। ଫେସବୁକ୍ ସହ ଏହି ଚୁକ୍ତି ସ୍ୱାକ୍ଷର ଫଳରେ ଉଭୟ ଗ୍ରାହକ ଏବଂ କିରାନା ଷ୍ଟୋରକୁ ହ୍ୱାଟ୍ସଆପ୍‌ ଜରିଆରେ ନିଜ ସହ ଯୋଡ଼ିବାକୁ ଲକ୍ଷ ରଖିଛି ରିଲାଏନ୍ସ ଜିଓମାର୍ଟ।

ହ୍ୱାଟ୍ସଆପ୍‌ ପେମେଣ୍ଟ୍ ପାଇଁ ନୂଆ ସୁଯୋଗ

ଏମଧ୍ୟରେ ଆଉ ଏକ ଖବର ମଧ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ହ୍ୱାଟ୍ସଆପ୍‌ ଭାରତରେ ନୂଆକରି ଡିଜିଟାଲ ପେମେଣ୍ଟ ଆରମ୍ଭ କରିବାକୁ ଯାଉଛି। ଫଳରେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ନିଜ ପ୍ରିୟଜନଙ୍କୁ ମେସେଜ ପଠାଇବା ଭଳି ଅତି ସହଜରେ ଟଙ୍କା ମଧ୍ୟ ପଠାଇପାରିବେ। ଏବେ ରିଲାଏନ୍ସ ସହ ସହଭାଗିତା ପରେ ହ୍ୱାଟ୍ସଆପ୍‌ ପେମେଣ୍ଟ୍ ପାଇଁ ଭାରତରେ ଏକ ନୂଆ ସୁଯୋଗ ସୃଷ୍ଟି ହୋଇଛି।

ରିଲାଏନ୍ସ ‘ଜିଓମାର୍ଟ’ ସାହାଯ୍ୟରେ ନିଜର ରିଟେଲ ବ୍ୟବସାୟ ଆରମ୍ଭ କରିବାକୁ ଯାଉଥିବା ବେଳେ ହ୍ୱାଟ୍ସଆପ୍‌ ପେମେଣ୍ଟ ବିଶେଷ ଭାବେ ଏଥିରେ ସହାୟକ ହୋଇପାରେ। ପୂର୍ବରୁ ଡିଜିଟାଲ ଇଣ୍ଡିଆକୁ ପ୍ରାଧାନ୍ୟ ଦେଇ ଆସୁଥିବା ରିଲାଏନ୍ସ ଜିଓ ହ୍ୱାଟ୍ସଆପ୍‌ ସହିତ ମିଶି ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ କାମ ଆରମ୍ଭ କରିପାରେ।

ଦେଶର ନୂଆ ଡିଜିଟାଲ ଦୋକାନ

୨୦୧୯ ରିଲାଏନ୍ସର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍)ରେ ଖୁଚୁରା ବଜାରର ରୂପ ବଦଳିବା ଦିଗରେ ମୁକେଶ ଅମ୍ବାନି କହିଥିଲେ। ବିଶ୍ୱର ସର୍ବବୃହତ ଅନ୍‌ଲାଇନ୍-ଟୁ-ଅଫଲାଇନ୍ ଇ-କମର୍ସ ବଜାର ସୃଷ୍ଟି କରିବାକୁ ରିଲାଏନ୍ସ ଯୋଜନା କରୁଥିବା ସେ କହିଥିଲେ। ଏନେଇ ‘ଜିଓମାର୍ଟ’କୁ ସଫ୍ଟ ଲଞ୍ଚ କରାଯାଇଥିଲା। ବର୍ତ୍ତମାନ ଏହାକୁ କାର୍ଯ୍ୟକ୍ଷମ କରିବାକୁ ପାଦ ବଢ଼ାଇଛି ରିଲାଏନ୍ସ କମ୍ପାନି। ଏହାକୁ କୁହାଯାଇଛି ଦେଶର ନୂଆ ଡିଜିଟାଲ ଦୋକାନ। ଜିଓ ମାର୍ଟ ମାଧ୍ୟମରେ ଉପଭୋକ୍ତାମାନେ ୫୦ ହଜାରରୁ ଅଧିକ ଖାଦ୍ୟ ସାମଗ୍ରୀ ଏବଂ ଫ୍ରି ହୋମ୍ ଡେଲିଭରୀର ସୁବିଧା ପାଇ ପାରିବେ।

Comment