ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ଚମ୍ପଟ ମାରିଲେ ଅନ୍ତେବାସୀ। ରାୟଗଡା ସଦର ବ୍ଲକ ଅନ୍ତର୍ଗତ ସୀମାନ୍ତ କେରେଡା ଉଚ୍ଚ ବିଦ୍ୟାଳୟ କ୍ଵାରେଣ୍ଟାଇନ୍‌ ସେଣ୍ଟରରୁ ୧୯ ଜଣ ବ୍ୟକ୍ତି ଖସିଯାଇଛନ୍ତି। ବର୍ତ୍ତମାନ ଏହି ୧୯ ଜଣଙ୍କ ସନ୍ଧାନ ଜାରି ରଖିଛି ଜିଲ୍ଲା ପ୍ରଶାସନ।

ତାଲାବନ୍ଦ ପରେ ମାର୍ଚ୍ଚ ମାସ ୨୯ ତାରିଖ ଦିନ ଏ ୧୦୦ ଜଣଙ୍କୁ ଆନ୍ଧ୍ର ରାୟଗଡ଼ା ସୀମାନ୍ତ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ପରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏମାନଙ୍କୁ କେରେଡା ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟ କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ରଖାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ଏମାନେ ସୁଯୋଗ ପାଇ ଝରକା ଗ୍ରିଲ ଭାଙ୍ଗି ଖସି ପଳାଇଥିବା ଜଣାପଡିଛି।

ଏମାନେ ତାଲା ବନ୍ଦ ପରଠାରୁ ଏଠାରେ ରହି ଆସୁଥିଲେ। ଏମାନଙ୍କ ମଧ୍ୟରୁ ପଞ୍ଜାବ ରାଜ୍ୟର ୧୭ଜଣ ରହିଥିବାବେଳେ ଆଉ ଦୁଇ ଜଣ ଉତ୍ତରପ୍ରଦେଶ ବୋଲି ଜଣାପଡିଛି। ତେବେ କେଉଁ କାରଣ ଯୋଗୁଁ ଲୋକେ ଚମ୍ପଟ ମାରିଲେ ତାହା ସ୍ପଷ୍ଟ ହୋଇନାହିଁ। ନିୟମ ଉଲ୍ଲଘଂନ କରି ଚମ୍ପଟ ମାରିଥିବାରୁ ଏନେଇ ଶେଷଖାଲ ଥାନାରେ ୧୯ ଜଣଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ମାମଲା ରୁଜୁ ହୋଇଛି।

ତେବେ କେରେଡା ହାଇସ୍କୁଲ ପରିସରରେ କରାଯାଇଥିବା ଏହି କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ପ୍ରଥମେ ଭଲ ଖାଇବା ଦିଆଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଖାଦ୍ୟ ଅତି ନିମ୍ନମାନର ଦିଆଗଲା ଯାହାଫଳରେ ୧୯ ଜଣ ଲୋକ ଲୁଚି ପଳାଇଗଲେ ବୋଲି କ୍ଵାରେଣ୍ଟାଇନ୍‌ ସେଣ୍ଟରରେ ଥିବା କିଛି ଲୋକ କହିଛନ୍ତି।

Comment