ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ବଢ଼ିବ ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା। ସାମାଜିକ ଦୂରତା ରକ୍ଷା କରିବାକୁ ଯାଇ ବୋର୍ଡ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଶନିବାର ଏନେଇ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ମାଟ୍ରିକ୍ ଖାତା ମୂଲ୍ୟାୟନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯିବ। ପୂର୍ବରୁ ଚୟନ ହୋଇଥିବା ମୂଲ୍ୟାୟନ କେନ୍ଦ୍ରର ଆଖପାଖ ସ୍କୁଲରେ ମଧ୍ୟ ମୂଲ୍ୟାୟନ କରାଯିବ। କରୋନା ପାଇଁ ମୂଲ୍ୟାୟନକାରୀମାନେ ସାମାଜିକ ଦୂରତା ପାଳନ କରି ଖାତା ଦେଖିବେ। ଏଥିସହ ମୂଲ୍ୟାୟନକାରୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ପୂର୍ବରୁ ୱେଟିଙ୍ଗ୍ ଲିଷ୍ଟରେ ଥିବା ଶିକ୍ଷକମାନଙ୍କୁ ଖାତା ଦେଖିବା ପାଇଁ ଡକାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏଥିସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଖାତା ଦେଖାହେବାର ୪୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ। ଏନେଇ ସେ ବୋର୍ଡ ସଭାପତିଙ୍କ ସହ କଥା ହୋଇଛନ୍ତି ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comment