ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱରବାସୀଙ୍କ ଚିନ୍ତା ବଢ଼ାଇଲେ ପଶ୍ଚିମବଙ୍ଗ ଫେରନ୍ତା।

ବାଲେଶ୍ୱରରେ କରୋନା ସ୍ଥିତି ଅଣାୟତ୍ତ। ଏହି ଜିଲ୍ଲାରେ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ଵର, ଭଦ୍ରକ ଏବଂ ଯାଜପୁର ପରେ ବାଲେଶ୍ୱର ହେଉଛି ଚତୁର୍ଥ ହଟସ୍ପଟ ଜିଲ୍ଲା। ଏପ୍ରିଲ ୧୭ ତାରିଖ ପରେ ଏହି ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଛି। ଏପ୍ରିଲ ୧୭ ତାରିଖ ଯାଏଁ ଏହି ଜିଲ୍ଲାରୁ ଗୋଟିଏ ବି ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ହେଲେ ଗତ ୧୦ ଦିନ ଭିତରେ ୧୬ ଆକ୍ରାନ୍ତ ଚିହ୍ନଟ ହେବା ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି। ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ପଛରେ କୋଲକାତା ଫେରନ୍ତା ବଡ଼ କାରଣ ବୋଲି କୁହାଯାଉଛି।

ଏପ୍ରିଲ ୧୮ରେ ପ୍ରଥମ କରୋନା ରୋଗୀ ଚିହ୍ନଟ

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଇଟାଲିରୁ ଭୁବନେଶ୍ୱର ଫେରିଥିବା ଜଣେ ଯୁବକଙ୍କ ଦେହରେ ଏହି ଭୂତାଣୁ ଚିହ୍ନଟ ହେବା ପରେ ସାରା ରାଜ୍ୟରେ ଚହଳ ପଡ଼ିଯାଇଥିଲା। ଏହାକୁ ଦୃଷ୍ଟିରେ ରାଜ୍ୟ ସରକାର ସବୁ ଜିଲ୍ଲାକୁ ଆଲର୍ଟ କରିଥିଲେ। ଫଳରେ ଭୁବନେଶ୍ୱରରେ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇ ସଂଖ୍ୟା ୪୬ରେ ପହଞ୍ଚିଲା।

ଭୁବନେଶ୍ୱରରେ ସ୍ଥିତି ଅଣାୟତ୍ତ ହେବା ପରେ ଭଦ୍ରକ ଡେଇଁଥିଲା କରୋନା। ପ୍ରଥମ ଦଫାରେ ଭଦ୍ରକରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। କିନ୍ତୁ ଭଦ୍ରକ ଜିଲ୍ଲାକୁ ଲାଗିଥିବା ବାଲେଶ୍ୱର ଜିଲ୍ଲାରେ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ହେଲେ ଏପ୍ରିଲ ୧୮ରେ ସ୍ଥିତି ବଦଳିଥିଲା। ବାଲେଶ୍ୱର ଜିଲ୍ଲାରୁ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ତାଙ୍କ ବୟସ ୫୮ ବର୍ଷ। ଏହି ଗୋଟିଏ ଆକ୍ରାନ୍ତ ପରେ ବାଲେଶ୍ୱର ଜିଲ୍ଲାରେ ୧୬ ଜଣ ଚିହ୍ନଟ ହେଲେଣି। ସେଥିମଧ୍ୟରୁ ୧୫ ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି କୁହାଯାଉଛି।

ମେଦିନପୁର ଲିଙ୍କ୍‌

ବାଲେଶ୍ୱର ହେଉଛି ଓଡ଼ିଶାର ଏକ ପ୍ରମୁଖ ଜିଲ୍ଲା। ସଂସ୍କୃତି, ଶିକ୍ଷା, ପର୍ଯ୍ୟଟନ କ୍ଷେତ୍ରରେ ଏହି ଜିଲ୍ଲା ଆଗରେ ରହିଛି। ଏହି ଜିଲ୍ଲାର ସୀମା ପଶ୍ଚିମବଙ୍ଗ ସୀମାକୁ ଲାଗିଛି। ସୀମା ପାର ହୋଇ ବାଲେଶ୍ୱରରୁ ଅନେକ ଲୋକ ପଶ୍ଚିମବଙ୍ଗର ବିଭିନ୍ନ ଜିଲ୍ଲାକୁ ଯାଇଥାନ୍ତି ଏବଂ ପଶ୍ଚିମବଙ୍ଗରୁ ମଧ୍ୟ ଅନେକ ଲୋକ ବାଲେଶ୍ୱର ଆସିଥାନ୍ତି। ହେଲେ ଏବେ ପଶ୍ଚିମବଙ୍ଗରୁ ଯେଉଁମାନେ ବାଲେଶ୍ୱର ଆସୁଛନ୍ତି ସେମାନଙ୍କ ଦେହରେ କରୋନା ଭୂତାଣୁ ଚିହ୍ନଟ ହେଉଛି।

ଯେଉଁଦିନ ମେଦିନପୁର ଅଞ୍ଚଳର ଜଣେ ୭୦ ବର୍ଷୀୟ ବୃଦ୍ଧ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ କରୋନା ରୋଗୀ ଭାବେ ଚିହ୍ନଟ ହେଲେ ସେଦିନ ବାଲେଶ୍ୱର ଜିଲ୍ଲା ପାଇଁ ସତର୍କଘଣ୍ଟି ବାଜିଥିଲା। କାରଣ ବାଲେଶ୍ୱର ସୀମାକୁ ଲାଗିକି ରହିଛି ମେଦିନପୁର। ଏହି ମେଦିନପୁର ଆକ୍ରାନ୍ତ ହିଁ ବାଲେଶ୍ୱର ଜିଲ୍ଲାବାସୀଙ୍କ ପ୍ରଥମେ ଚିନ୍ତାର କାରଣ ପାଲଟିଥିଲେ।

ରାଜ୍ୟ ସରକାର ଜାରି କରିଥିବା ଟ୍ରାଭେଲ ହିଷ୍ଟ୍ରି ଅନୁସାରେ, ମେଦିନପୁରରୁ ଏହି ଆକ୍ରାନ୍ତ ଜଣକ ଏପ୍ରିଲ ୭ରେ ଏକ ଆମ୍ବୁଲାନ୍ସରେ ଭୁବନେଶ୍ୱର ବାହାରିଥିଲେ। ୭ ତାରିଖ ରାତିରେ ବାଲେଶ୍ୱର ବାଇପାସ୍‌ରେ ଏକ ଚା’ ଦୋକାନ ପାଖରେ ଅଟକି ଚା’ ପିଇଥିଲେ। ୮ ତାରିଖରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। ୭ ତାରିଖ ରାତିରେ ଯେଉଁମାନେ ବାଲେଶ୍ୱର ବାଇପାସ୍‌ ଚା’ ଦୋକାନ ଯାଇଥିଲେ ସେମାନେ କ୍ୱାରେଣ୍ଟାଇନରେ ରହିବାକୁ ସରକାର ପରାମର୍ଶ ଦେଇଥିଲେ।

corona testବାଲେଶ୍ୱର-କୋଲକାତା ଲିଙ୍କ୍‌

କୋଲକାତା ସହିତ ବାଲେଶ୍ୱର ଜିଲ୍ଲାର ସମ୍ପର୍କ ପୁରୁଣା। କୋଲକାତା ଏକ ପ୍ରମୁଖ ସହର ହୋଇଥିବାରୁ ରୋଜଗାର ଆଶାରେ ବହୁ ଲୋକ କୋଲକାତା ଯାଇଥାନ୍ତି। କୋଲକାତାରେ ବିଭିନ୍ନ କମ୍ପାନିରେ କିଏ କାମ କରିଥାନ୍ତି ତ ଆଉ କିଏ ବ୍ୟବସାୟ କରିଥାନ୍ତି। ଏହାଛଡ଼ା କଟକ ଅପେକ୍ଷା ବାଲେଶ୍ୱର ଜିଲ୍ଲାର ଅଧିକାଂଶ ଲୋକ କୋଲକାତା ଉପରେ ନିର୍ଭର କରିଥାନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଓଡ଼ିଶାର ୩୮ଟି ଗାଁ ପଶ୍ଚିମବଙ୍ଗ ସୀମାକୁ ଲାଗି ରହିଛି। ସେଥିମଧ୍ୟରୁ ୩୫ଟି ଗାଁ ବାଲେଶ୍ୱର ଜିଲ୍ଲାର ହୋଇଥିବା ବେଳେ ଆଉ ୩ଟି ହେଉଛି ମୟୂରଭଞ୍ଜ ଜିଲ୍ଲାର। ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ଏହି ୩୫ଟି ଗାଁ ଏବେ ଚିନ୍ତା ବଢ଼ାଇଛି।

coronaପଶ୍ଚିମବଙ୍ଗରେ କରୋନା ଅଣାୟତ୍ତ କଲାଣି। ଏହି ରାଜ୍ୟରେ ଆକ୍ରାନ୍ତଙ୍କ ଓଡ଼ିଶାଠାରୁ ୩ ଗୁଣା ଅଧିକ। ମୃତ୍ୟୁ ସଂଖ୍ୟା ବି ପଶ୍ଚିମବଙ୍ଗରେ ଅଧିକ। କରୋନା ସଂକ୍ରମଣ ରୋକିବା ପାଇଁ ଓଡ଼ିଶାରେ ଯେମିତି ପଦକ୍ଷେପ ନିଆଯାଉଛି ପଶ୍ଚିମବଙ୍ଗରେ ଠିକ୍‌ ସେମିତି ହେଉ ନଥିବା ବିଭିନ୍ନ ମିଡିଆ ରିପୋର୍ଟରୁ ଜଣାପଡ଼ିଛି। କରୋନା ସଂକ୍ରମଣ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିବାରୁ ବିଭିନ୍ନ ଲୋକ ଏବେ ରୋଜଗାର ହରାଇଛନ୍ତି। ଖାଇବା ପିଇବା ସମସ୍ୟା ବି ଦେଖାଦେଇଛି। ବାଲେଶ୍ୱର ଜିଲ୍ଲାରୁ ଯେଉଁ ଲୋକମାନେ କୋଲକାତାରେ ଥିଲେ ସେମାନେ ଏବେ ଗାଁ ମୁହାଁ ହୋଇଛନ୍ତି।

ହେଲେ ରାଜ୍ୟ ସରକାର ବିଭିନ୍ନ ରାଜ୍ୟର ସୀମା ସିଲ୍‌ କରିଥିବାରୁ ଯିବା ଆସିବା ବାଟ ବନ୍ଦ ହୋଇଯାଇଛି। କିନ୍ତୁ କିଛି ଲୋକେ ବିଭିନ୍ନ ଗାଁ ରାସ୍ତା, ଜଙ୍ଗଲ ରାସ୍ତା ଦେଇ ବାଲେଶ୍ୱରକୁ ଆସିଥିବା କୁହାଯାଉଛି। ଏହି କାରଣ ପାଇଁ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧୬ରେ ପହଞ୍ଚିଥିବା କୁହାଯାଉଛି।

ଚିନ୍ତାରେ ଜିଲ୍ଲାବାସୀ

୨୦୧୧ ଜନଗଣନା ରିପୋର୍ଟ ଅନୁଯାୟୀ ବାଲେଶ୍ୱର ଜିଲ୍ଲାର ଲୋକସଂଖ୍ୟା ୨୩ ଲକ୍ଷ ୧୭ ହଜାର ୪୧୯। ବାଲେଶ୍ୱର ଏବଂ ନୀଳଗିରି ସବ୍‌ଡିଭିଜନକୁ ନେଇ ଏହି ଜିଲ୍ଲା ଗଠନ ହୋଇଛି। ୧୨ଟି ତହସିଲ ଏବଂ ୧୨ଟି ବ୍ଲକକୁ ନେଇ ବାଲେଶ୍ୱର ଉପକୂଳ ଓଡ଼ିଶାର ପ୍ରମୁଖ ଜିଲ୍ଲା ଭାବେ ମୁଣ୍ଡ ଟେକିଛି। ଜଙ୍ଗଲ, ପାହାଡ଼ ଏବଂ ବିସ୍ତିର୍ଣ୍ଣ ବେଳାଭୂମିକୁ ନେଇ ଏହି ଜିଲ୍ଲା ସମୃଦ୍ଧ ହୋଇଛି। ଏହାସହ ବାଲେଶ୍ୱର ଏକ ଶିଳ୍ପ ସମୃଦ୍ଧ ଜିଲ୍ଲାର ମାନ୍ୟତା ପାଇଛି।

ଏଠାକାର ଲୋକେ ମୁଖ୍ୟତଃ ଚାଷ ଉପରେ ନିର୍ଭରଶୀଳ। ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ଧରି ଜୀବୀକା ନିର୍ବାହ କରିଥାନ୍ତି। ହେଲେ ଚାଷ କାମରୁ ଯେତିକି ଆୟ ହୁଏ ସେଥିରେ ପରିବାର ଚଳାଇବା ଅସୁବିଧା ହେଉଥିବାରୁ ଅଧିକାଂଶ ଲୋକ ଅଧିକ ରୋଜଗାର ଆଶାରେ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲି ଯାଇଥାନ୍ତି।

କିଛି ଲୋକ ଦୀର୍ଘ ବର୍ଷ ହେଲା କୋଲକାତାର ଏବଂ ଅନ୍ୟ ଜିଲ୍ଲାରେ ବର୍ଷ ବର୍ଷ ଧରି ପରିବାର ସହ ରହୁଛନ୍ତି। ହେଲେ କରୋନା ଏବେ ସବୁ ବିଗାଡ଼ି ଦେଇଛି। ଯିଏ ଦିନେ ଗାଁ ଛାଡ଼ି କୋଲକାତା ଯାଇଥିଲା ଏବେ ସେ ଗାଁକୁ ଫେରିବାକୁ ଚାହିଁ ରହିଛି। ଲକ୍‌ଡାଉନ୍‌ ପାଇଁ ରୋଜଗାରର ସବୁ ରାସ୍ତା ବନ୍ଦ ହୋଇଯାଇଥିବାରୁ ଗଳାବାଟ ଦେଇ ଲୋକେ ଗାଁକୁ ଫେରୁଛନ୍ତି। ଗତ ମାସେ ତଳେ ଯେଉଁ ଜିଲ୍ଲା କରୋନା ଆକ୍ରାନ୍ତ ଶୂନ୍ୟ ଥିଲା ସେହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଛି।

ବାଲେଶ୍ୱର ନୀଳବାଗ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌

ବାଲେଶ୍ୱରର ନିଳବାଗ ଅଞ୍ଚଳ ହଟସ୍ପଟ। ୧୬ ଜଣଙ୍କ ଭିତରୁ ଏହି ଅଞ୍ଚଳରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରଥମେ ଜଣେ ୫୮ ବର୍ଷୀୟ ବୃଦ୍ଧ ଏହି ଅଞ୍ଚଳରୁ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହାକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଥିଲା। ପରେ ଆହୁରି ୫ ଜଣ ଏହି ଅଞ୍ଚଳରୁ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଅବଧି ମେ’ ୨ ଯାଏଁ ବୃଦ୍ଧି ପରାଯାଇଛି। ଏହି ଅଞ୍ଚଳର ଯିବା ଆସିବା ରାସ୍ତା ସିଲ୍‌ କରାଯାଇଛି।

ବାଲେଶ୍ୱରରେ କୋଭିଡ୍‌ ହସ୍ପିଟାଲ

ଓଡ଼ିଶା ଜଳ ବିଦ୍ୟୁତ ନିଗମ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବାଲେଶ୍ୱରରେ କୋଭିଡ୍‌ ହସ୍ପିଟାଲ ଖୋଲାଯାଇଛି। ଜ୍ୟୋତି ହସ୍ପିଟାଲ ଏହାର ପରିଚାଳନା ଦାୟିତ୍ୱ ନେଇଛି। ୧୨୦ ଶଯ୍ୟା ବିଶିଷ୍ଟ ଏହି ହସ୍ପିଟାଲରେ ୧୨ଟି ଆଇସିୟୁ ବେଡ୍‌ ରହିଛି। ବିନା ମୂଲ୍ୟରେ ରୋଗୀଙ୍କୁ ଏଠାରେ ଚିକିତ୍ସା ଯୋଗାଇ ଦିଆଯିବ।

Comment