ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ଖୋଲିବା ପରେ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତ ରହିଛି। କେବଳ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ସରକାରଙ୍କଠାରୁ ଅନୁମତି ମିଳିବା ପରେ ତୁରନ୍ତ ଯୁକ୍ତ ଦୁଇ ପରୀକ୍ଷା ହେବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

ମାର୍ଚ୍ଚ ମାସ ୨୧ ତାରିଖ ପର୍ଯ୍ୟନ୍ତ ଯୁକ୍ତ ଦୁଇ ପରୀକ୍ଷା ଚାଲୁରହିଥିଲା। ଏହି ପରୀକ୍ଷା ୨୮ ତାରିଖ ପର୍ଯ୍ୟନ୍ତ ହେବାର ଥିଲା। ହେଲେ କରୋନା କାରଣରୁ ପ୍ରଥମେ ଜନତା କର୍ଫ୍ୟୁ ଓ ପରେ ରାଜ୍ୟରେ ଲକଡାଉନ୍ ଘୋଷଣା କରାଯାଇଥିଲା। ଫଳରେ ୨୧ ତାରିଖ ପରେ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେଣୁ ବାକି ଥିବା ଏହି ପରୀକ୍ଷାକୁ ଲକଡାଉନ୍ ଖୋଲିବା ପରେ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଲକଡାଉନ୍ ଖୋଲିବା ପରେ କେନ୍ଦ୍ର ସରକାର ସିବିଏସସି ପରୀକ୍ଷା କରିବା ନେଇ ଚିନ୍ତା କରୁଛନ୍ତି। ସେହି ଅନୁସାରେ ରାଜ୍ୟରେ ବାକି ରହିଯାଇଥିବା ଯୁକ୍ତ ଦୁଇ ପରୀକ୍ଷା କରିବାକୁ ମଧ୍ୟ ରାଜ୍ୟ ସରକାର ଚିନ୍ତା କରୁଛନ୍ତି।

ତେବେ ଲକଡାଉନ୍ ପରେ ପରୀକ୍ଷା ହେଲେ ସେଠାରେ ସାମାଜିକ ଦୂରତା ପାଳନ କରାଯିବ। ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ପରସ୍ପରଠାରୁ ଦୂରତା ପାଳନ କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Comment