ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ବିଗ୍ ବି ଅମିତାଭ ବଚ୍ଚନ ନିଜ ଜୀବନରେ ଅନେକ ସଂଘର୍ଷ ଦେଇ ଆଗକୁ ବଢ଼ିଛନ୍ତି। ଆସନ୍ତୁ ଜାଣିବା ବିଗ୍‌ ବିଙ୍କର କିଛି ସଂଘର୍ଷପୂର୍ଣ୍ଣ କଥା…

ବଲିଉଡ୍‌ରେ ସେହେନ୍‌ସା ଭାବେ ପରିଚିତ ଅମିତାଭ ବଚ୍ଚନ। ଅମିତାଭ ବଚ୍ଚନ ସଂଘର୍ଷ କରି ନିଜ ପାଇଁ ସୁପରଷ୍ଟାରର ଆସନ ତିଆରି କରିଛନ୍ତି। ବୟସ ତାଙ୍କ ଅଭିନୟ କ୍ୟାରିୟର୍ ପାଇଁ କେବେ ବି ବାଧକ ସାଜି ପାରିନାହିଁ। ସବୁ ପରିସ୍ଥିତରେ ସେ ନିଜର ଦକ୍ଷତାକୁ ପ୍ରତିପାଦନ କରିଛନ୍ତି। ଏହି ଉଚ୍ଚସ୍ତରକୁ ପହଞ୍ଚିବା ପାଇଁ ତାଙ୍କୁ ବିଭିନ୍ନ ସଂଘର୍ଷ ଦେଇ ଗତି କରିବାକୁ ପଡ଼ିଛି।

ଫ୍ଲପ୍ ଫିଲ୍ମ କ୍ୟାରିୟର ଥିବା ଅଭିନେତା ଅମିତାଭଙ୍କୁ କୌଣସି ନିର୍ମାତା – ନିର୍ଦ୍ଦେଶକ ନିଜ ସିନେମାରେ ନେବାକୁ ଇଚ୍ଛା କରୁ ନଥିଲେ।

ସେହି ସମୟରେ ୧୯୭୩ରେ ପ୍ରକାଶ ମେହେରା ‘ଜଞ୍ଜିର୍’ ସିନେମା ପାଇଁ ଅଭିନେତା ଚୟନ କରୁଥିଲେ। ସେତେବେଳେ ଅଭିନେତା ପ୍ରାନ୍‌ ଅମିତାଭଙ୍କୁ ମୁଖ୍ୟ ଭୂମିକା ଦେବା ପାଇଁ ପ୍ରକାଶଙ୍କୁ ରାଜି କରାଇଥିଲେ। ସିନେମାଟି ନିର୍ମାଣ ହେବା ପରେ ବି କୌଣସି କ୍ରିଟିକ୍ସ୍‌ ତାକୁ ନେବାକୁ ରାଜି ନ ଥିଲେ। ବହୁତ କଷ୍ଟରେ ଫିଲ୍ମଟି ରିଲିଜ୍ ହେଲା ଆଉ ପରେ ଫିଲ୍ମଟି ସୁପର୍‌ହିଟ୍ ହୋଇଥିଲା।

୧୯୮୩ରେ ଆସିଥିବା ‘କୁଲି’ ବି ସେହି ସମୟର ବ୍ଲକ୍ ବଷ୍ଟର୍ ସିନେମା। କୁଲିର ସୁଟିଂ ସମୟରେ ସେଟରେ ଏକ ଦୁର୍ଘଟଣା ଘଟିଥିଲା। ଫିଲ୍କର ସୁଟିଂ ସମୟରେ ଅଭିନେତା ପୁନିତ୍ ଇସର୍ ଅମିତାଭଙ୍କୁ ଗୋଟିଏ ମୁଥା ମାରିବାର ସିନ୍ ଥିଲା। ମିଛରେ ମାରିବା ମୁଥା ପ୍ରକୃତରେ ବାଜି ଯାଇଥିଲା ଅମିତାଭଙ୍କୁ। ଗଭୀର ଆଘାତ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିତାଭ।

୧୯୮୪ରେ ରାଜନୀତିରେ ପାଦ ଥାପିଥିଲେ ସେ। ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ଆଲ୍ଲାହାବାଦରୁ ଠିଆ ହୋଇଥିଲେ। ସର୍ବାଧିକ ଭୋଟ ପାଇ ଜୟଯୁକ୍ତ ମଧ୍ୟ ହୋଇଥିଲେ। କିନ୍ତୁ ଜିତିବାର ୩ ବର୍ଷ ପରେ ଅଭିନୟ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଇଯାଇଥିଲେ ଅମିତାଭ।

୧୯୯୫ ମସିହାରେ “ଅମିତାଭ ବଚ୍ଚନ କର୍ପୋରେସନ୍ ଲିମିଟେଡ୍ (ଏବିସିଏଲ୍)” ନାମରେ ନିଜର ଏକ ଫିଲ୍ମ ପ୍ରଡକ୍ସନ୍ ଏବଂ ଇଭେଣ୍ଟ୍ ମେନେଜମେଣ୍ଟ୍ କମ୍ପାନି ଆରମ୍ଭ କଲେ ସେ। ସଠିକ୍ ଯୋଜନା ଆଉ ପରିଚାଳନା ଅଭାବରୁ କମ୍ପାନିଟି ବୁଡ଼ିଯାଇଥିଲା। କର୍ମଚାରୀଙ୍କୁ ଦରମା ବି ଦେଇପାରୁନ ଥିଲେ ସେ । ବ୍ୟାଙ୍କ୍ ଲୋନ୍ ସୁଝିପାରୁ ନଥିବାରୁ ମୁମ୍ବାଇର ଘର ଆଉ ଦିଲ୍ଲୀରେ ଥିବା ଜମି ନିଲାମ କରିବା ସ୍ଥିତି ଆସିଯାଇଥିଲା। ଏପରି ଖରାପ ପରିସ୍ଥିତିରେ ତାଙ୍କୁ “ବୋର୍ଡ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ୍ ଫାଇନାନ୍ସିଆଲ୍ ରିକନ୍‌ଷ୍ଟ୍ରକସନ୍‌”ଠାରୁ ସାହାଯ୍ୟ ମାଗିବାକୁ ପଡ଼ିଥିଲା।

ଏହି ସଙ୍କଟାପନ୍ନ ପରିସ୍ଥିତିର ମୁକାବିଲା କରିବା ପାଇଁ ବିଗ୍‌ ବି ୟଶ୍ ଚୋପ୍ରାଙ୍କ ଘରକୁ ଯାଇ କାମ ମାଗିଥିଲେ। ୟଶ ଚୋପ୍ରା ’ମୋହବତେଁ’ରେ ଅମିତାଭ ବଚ୍ଚନଙ୍କୁ କାମ ଦେଲେ। ସେହି ସମୟରେ ତାଙ୍କ ପାଖକୁ ’କୌନ୍ ବନେଗା କରୋଡପତି’ (କେବିସି)ର ଅଫର୍ ଆସିଲା। ବିଗ୍ ବିଙ୍କୁ ଟଙ୍କା ଦରକାର ଥିଲା, ଋଣ ଶୁଝିବା ପାଇଁ। ଏଣୁ ସେ ତତ୍‌କ୍ଷଣାତ୍‌ ରାଜି ହୋଇଗଲେ। ଏଥିରୁ ମିଳୁଥିବା ଅର୍ଥରେ ଅମିତାଭ ବଚ୍ଚନ ଋଣ ଶୁଝି ଦେଇ ଋଣମୁକ୍ତ ହୋଇଥିଲେ।

Comment