ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ରାଙ୍କଲିନ୍ ଟେମ୍ପଲଟନ୍ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍ ନିଜର ୬ଟି କ୍ରେଡିଟ୍ ସ୍କିମକୁ ବନ୍ଦ କରି ଦେଇଛି। ଯାହାକୁ ନେଇ ନିବେଶକଙ୍କ ମଧ୍ୟରେ ଭୟର ବାତାବରଣ ରହିଛି। ଏଭଳି ସ୍କିମରେ ପୁଞ୍ଜି ଫସିବାର ଭୟ ନିବେଶକଙ୍କୁ ଘାରିଛି। ତେବେ ଏହା ମଧ୍ୟରେ ମ୍ୟୁଚୁଆଲ ଫଣ୍ଡ୍ କଂପାନିଙ୍କ ସଂଗଠନ ଏମଫି ନିବେଶକଙ୍କୁ ଭୟଭୀତ ନହେବାକୁ  ଆଶ୍ୱାସନ ଦେଇଛି। ଆସନ୍ତୁ ଜାଣିବା କ୍ରେଡିଟ୍ ରିସ୍କ ଫଣ୍ଡ ସହ ସଂପର୍କିତ ସବୁ ପ୍ରଶ୍ନର ଉତ୍ତର।

କ୍ରେଡିଟ୍ ଫଣ୍ଡ୍ କ?

କ୍ରେଡିଟ୍ ରିସ୍କ ଫଣ୍ଡ୍ ଡେଟ୍ ଫଣ୍ଡ କ୍ୟାଟେଗୋରିରେ ଆସିଥାଏ। ଏଭଳି ଫଣ୍ଡ୍ ନିଜ ପୋର୍ଟଫୋଲିଓର ଅତିକମରେ ୬୫ ପ୍ରତିଶତ ଅଂଶକୁ ‘ଏଏ’ ରୁ କମ ରେଟିଂ ବିଶିଷ୍ଟ ବଣ୍ଡରେ ନିବେଶ କରିଥାନ୍ତି। ଏଭଳି କରିବା ସେମାନଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ। ଏହାର ଅର୍ଥ ହେଉଛି ଟପ୍ ରେଟିଂ ବିଶିଷ୍ଟ ବଣ୍ଡ୍ ବଦଳରେ ଏହି ଫଣ୍ଡ୍ ଏଏ-, ଏଏ ପ୍ଲସ, ବିବିବି ଆଦି କମ ରେଟିଂ ବିଶିଷ୍ଟ ସିକ୍ୟୁରିଟିରେ ପୁଂଜି ଲଗାଇଥାନ୍ତି। କମ ରେଟିଂ ବିଶିଷ୍ଟ ବଣ୍ଡରେ କ୍ରେଡିଟ୍ ରିସ୍କ ଅଧିକ ହୋଇଥାଏ। ଏହି ରିସ୍କକୁ ଉଠାଇ କ୍ରେଡିଟ୍ ରିସ୍କ ଫଣ୍ଡ୍ ଅଧିକ ରିଟର୍ଣ୍ଣ ଜେନରେଟ୍ କରିଥାନ୍ତି। ଏଭଳି ବଣ୍ଡ୍ ଜାରି କରୁଥିବା କଂପାନି ଅଧିକ ସୁଧ ଦେବା ପାଇଁ ପ୍ରତିଶ୍ରୁତି ଦିଅନ୍ତି। ଏମାନଙ୍କ ରେଟିଂ ଯେତେବଳେ ବଢିଥାଏ ସେତେବେଳେ କ୍ୟାପିଟାଲ ଗେନ୍ସ ଲାଭ ହୋଇଥାଏ।

କିଏ ନିବେଶ କରିବା ଠିକ ହେବ?

ଫିକ୍ସଡ୍ ଇନକମ କ୍ଷେତ୍ରରେ ଯେଉଁ ନିବେଶକ ଅଧିକ ରିସ୍କ ନେବାର କ୍ଷମତା ରଖନ୍ତି ସେମାନେ ଚାହିଁଲେ ଏଥିରେ ନିବେଶ କରିପାରିବେ। ଅନେକ ପ୍ରକାରରେ ଏହାର ରିଟର୍ଣ୍ଣ ଆସିଥାଏ। ପ୍ରଥମେ ପୋର୍ଟଫୋଲିଓରେ ସାମିଲ ପ୍ରତିଭୂତିରୁ ଏମାନଙ୍କୁ ସୁଧ ମିଳିଥାଏ। ଦ୍ୱିତୀୟତଃ ଯେହେତୁ ଫଣ୍ଡ୍ କମ ରେଟିଂ ବିଶିଷ୍ଟ ଇନଷ୍ଟ୍ରୁମେଣ୍ଟରେ ନିବେଶ କରିଥାନ୍ତି,ତେଣୁ ରେଟିଂ ସୁଧୁରିଲେ କ୍ୟାପିଟାଲ ଗେନ୍ ହୋଇଥାଏ।  ଲମ୍ବା ଅବଧିରେ ଲିକ୍ୱିଡ୍ କିମ୍ବା ଓଭରନାଇଟ୍ ଫଣ୍ଡ ଅପେକ୍ଷା କ୍ରେଡିଟ୍ ରିସ୍କ ଫଣ୍ଡ୍ ୨ ପ୍ରତିଶତ ଅଧିକ ରିଟର୍ଣ୍ଣ ଦେଇଥାନ୍ତି।

କ୍ରେଡିଟ୍ ଫଣ୍ଡ ଉପରେ କେମିତି ଲାଗେ ଟ୍ୟାକ୍ସ?

କ୍ରେଡିଟ୍ ଫଣ୍ଡରୁ ମିଳିବାକୁ ଥିବା ଡିଭିଡେଣ୍ଡ୍ ଉପରେ ଟ୍ୟାକ୍ସ ଲାଗିନଥାଏ। କିନ୍ତୁ ସ୍କିମକୁ ୨୮.୮୪ ପ୍ରତିଶତ ହିସାବରେ ଡିଭିଡେଣ୍ଡ୍ ଡିଷ୍ଟ୍ରିବ୍ୟୁସନ ଟ୍ୟାକ୍ସ (ଡିଡିଟି) ଦେବାକୁ ପଡିଥାଏ। ତିନି ବର୍ଷ ଭିତରେ ଆୟ କରାଯାଇଥିବା ରିଟର୍ଣ୍ଣ ଉପରେ ଶର୍ଟ ଟର୍ମ କ୍ୟାପିଟାଲ ଗେନ୍ସ ଟ୍ୟାକ୍ସ ଲାଗିଥାଏ। ଯେଉଁ ଟ୍ୟାକ୍ସସ୍ଲାବରେ ଆପଣ ଥିବେ ସେହି ହିସାବରେ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଲାଗିଥାଏ। ତିନି ବର୍ଷରୁ ଅଧିକ ସମୟ ରଖିଲେ ୨୦ ପ୍ରତିଶତ ଇଣ୍ଡେକ୍ସନ ସହ ଲଙ୍ଗ୍ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଲାଗିଥାଏ।

କେତେ ମିଳିବ ରିଟର୍ଣ୍ଣ?

କ୍ରେଡିଟ୍ ଫଣ୍ଡର ରିଟର୍ଣ୍ଣ ସାମାନ୍ୟ ଡେଟ୍ ଫଣ୍ଡ୍ ରିଟର୍ଣ୍ଣ ତୁଳନାରେ ଅଧିକ ହୋଇଥାଏ। ଗତ ବର୍ଷ କ୍ରେଡିଟ୍ ଫଣ୍ଡ୍ ୮.୯୧ ପ୍ରତିଶତର ହାରାହାରି ରିଟର୍ଣ୍ଣ ଦେଇଥିଲା। ଗତ ତିନିବର୍ଷରେ ଏହି ସେକ୍ଟରର ହାରାହାରି ରିଟର୍ଣ୍ଣ ୯.୨୧ ପ୍ରତିଶତ ରହିଛି।

ନିବେଶକ କେମିତି କ୍ରେଡିଟ୍ ଫଣ୍ଡ୍ ବାଛିବା ଉଚିତ?

କ୍ରେଡିଟ୍ ଫଣ୍ଡଙ୍କ ସହ ଲିକ୍ୱିଡିଟିର ରିସ୍କ ରହିଥାଏ। ପୋର୍ଟଫୋଲିଓରେ ସାମିଲ କମ ରେଟିଂ ବିଶିଷ୍ଟ ବଣ୍ଡ୍ ଡିଫଲ୍ଟ ହେଲେ ଫଣ୍ଡ୍ ମ୍ୟାନେଜରଙ୍କ ପକ୍ଷରେ ଏଥିରୁ ବାହାରିବା ମୁସ୍କିଲ ହୋଇପଡେ। ଏହି କାରଣରୁ ଫାଇନାନ୍ସ ପ୍ଲାନର ନିବେଶକଙ୍କୁ ଫଣ୍ଡ୍ ଆକାର ଦେଖି ନିବେଶ କରିବାକୁ କହିଥାନ୍ତି। ବଡ ଆସେଟ୍ ଆକାର ଫଣ୍ଡ ମ୍ୟାନେଜରଙ୍କୁ ରିସ୍କ କମ କରିବା ସୁଯୋଗ ଦେଇଥାଏ।  ନିବେଶକଙ୍କ ପକ୍ଷରେ ଏହା ଦେଖିବାକ ମଧ୍ୟ ଜୁରୁରୀ ଯେ, ପୋର୍ଟଫୋଲିଓ କୌଣସି ଗୋଟିଏ ବିଜନେସ୍ ଗ୍ରୁପ ମଧ୍ୟରେ ଯେପରି କେନ୍ଦ୍ରିତ ହୋଇନଥିବ। ଅନ୍ୟ ଫଣ୍ଡ ତୁଳନାରେ ଏହି ଶ୍ରେଣୀରେ ଅଧିକ ରିସ୍କ ଥାଏ।  ତେଣୁ ଏଭଳି ଫଣ୍ଡରେ ନିବେଶକଙ୍କୁ ନିଜ ଡେବଟ୍ ପୋର୍ଟଫୋଲିଓର ୨୦ ପ୍ରତିଶତରୁ ଅଧିକ ନିବେଶ କରିବା ଉଚିତ ନୁହେଁ।

Comment