ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ରେଡ୍‌ ଜୋନ୍‌ରେ ରଖିଲେ ରାଜ୍ୟ ସରକାର।

ମେ ପହିଲାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଏଥିରେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍‌ରେ ସ୍ଥାନ ପାଇଥିଲା। ପୂର୍ବରୁ ରେଡ୍‌ ଜୋନ୍‌ରେ ରହିଥିବା ଭୁବନେଶ୍ୱର ଅରେଞ୍ଜ ଜୋନ୍‌କୁ ଖସି ଆସିଥିବାରୁ ଲୋକେ ଆଶ୍ୱସ୍ତ ହୋଇଥିଲେ। ହେଲେ ରାଜ୍ୟ ସରକାର ଗତ ୩ ତାରିଖରେ ଯେଉଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ସେଥିରେ ଭୁବନେଶ୍ୱରକୁ ରେଡ୍‌ ଜୋନ୍‌ରେ ରଖାଯାଇଛି।

କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌କୁ କାଟି ରାଜ୍ୟ ସରକାର କାହିଁକି ଭୁବନେଶ୍ୱରକୁ ରେଡ୍‌ ଜୋନ୍‌ରେ ରଖିଲେ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଭୁବନେଶ୍ୱରରେ ନୂଆ ପଜିଟିଭ୍‌ କେସ୍‌ କମିଥିବା ବେଳେ ଏବଂ ସୁସ୍ଥ ସଂଖ୍ୟା ବଢ଼ିଥିବା ବେଳେ ଭୁବନେଶ୍ୱରକୁ କାହିଁକି ରେଡ୍‌ ଜୋନ୍‌ରେ ରଖାଗଲା ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ୧୪ ଦିନ ଭିତରେ ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଣୁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ହେଲେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ ଜୋନ୍‌ରେ ରହିଛି।

ମାର୍ଚ୍ଚ ୧୫ରେ ଭୁବନେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଇଟାଲିରୁ ଆସିଥିବା ଜଣେ ଯୁବକଙ୍କଠାରୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା। ଏହାପରେ ଭୁବନେଶ୍ୱରରେ ଜଣକ ପରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏପ୍ରିଲ ୧୪ ଯାଏଁ ଭୁବନେଶ୍ୱରରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

୧୫ ତାରିଖରୁ ୨୭ ତାରିଖ ଯାଏଁ ଜଣେ ବି ଆକ୍ରାନ୍ତ ରାଜଧାନୀରୁ ବାହାରି ନଥିଲେ। ବୃାପକ କଣ୍ଟାକ୍ଟ ଟ୍ରେସିଂ ଏବଂ ରାପିଡ୍‌ ଟେଷ୍ଟିଂ ଯୋଗୁଁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା କମିଯାଇଥିବା ସରକାର କହିଥିଲେ। ହେଲେ ୨୮ ତାରିଖରେ ମଧୁସୂଦନ ନଗର ଅଞ୍ଚଳରୁ ଜଣେ ବୃଦ୍ଧ ଚିହ୍ନଟ ହୋଇଥିଲେ। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନାହାନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ସ୍ଥିର ଅଛି।

ଏହି ୪୭ ଜଣଙ୍କ ମଧ୍ୟରୁ ବର୍ତ୍ତମାନସୁଦ୍ଧା ୩୧ ଜଣ ସୁସ୍ଥ ହେଲେଣି। ଆଉ ୧୬ ଜଣ ଆକ୍ରାନ୍ତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ସଂକ୍ରମଣ ରୋକିବା ପାଇଁ ଏବଂ ଲୋକଙ୍କୁ ସଚେତନ କରିବା ଲାଗି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ରେଡ୍‌ ଜୋନ୍‌ରେ ସ୍ଥାନ ଦିଆଯାଇଥିବା କୁହାଯାଉଛି।

ଖୋର୍ଦ୍ଧା ଜିଲ୍ଲାରୁ କେବଳ ଭୁବନେଶ୍ୱରରୁ ହିଁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଅନ୍ୟ କେଉଁ ଅଞ୍ଚଳରୁ ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନଥିଲେ। ଭୁବନେଶ୍ୱରର ବମିଖାଲ, ସତ୍ୟନଗର ଏବଂ ସୂର୍ଯ୍ୟ ନଗର ଅଞ୍ଚଳରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନର ଚିନ୍ତା ବଢ଼ିଥିଲା। ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରି ପ୍ରଶାସନ ବ୍ୟାପକ ପଦକ୍ଷେପ ନେଇଥିଲା।

Comment