ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରୀନ ଜୋନ୍‌ରେ ବସ୍‌ ଚଳାଇବାକୁ ରାଜି ହେଉନାହିଁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ।

ଗ୍ରୀନ ଜୋନ୍‌ରେ ଘରୋଇ ବସ୍‌ ଚାଲିପାରିବ ବୋଲି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ହେଲେ ଏହାକୁ ଗ୍ରହଣ କରୁନି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ। ସରକାରଙ୍କ ନିର୍ଦ୍ଦେଶନାମାରେ ଦ୍ୱନ୍ଦ୍ୱ ରହିଥିବା ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

‘‘ଗତ ରବିବାର ଦିନ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଏଥିରେ ଉଲ୍ଲେଖ ଥିଲା ଗ୍ରୀନ ଜୋନ୍‌ରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ବସ୍‌ ଚାଲିପାରିବ। ଆମେ ଏହାର ତର୍ଜମା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଥିଲୁ। ସମାଧାନର ରାସ୍ତା ବାହାରିବ ବୋଲି ପରିବହନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ହେଲେ କେନ୍ଦ୍ର ଭଳି ରାଜ୍ୟ ମଧ୍ୟ ସମାନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି’’, କହିଛନ୍ତି ଦେବେନ୍ଦ୍ର ସାହୁ।

ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ଡ୍ରାଇଭର ଏବଂ ବସ୍‌ର ଅନ୍ୟ କର୍ମଚାରୀମାନେ ଘରେ ଅଛନ୍ତି। ସେମାନଙ୍କୁ ଆମେ ଦରମା ଦେବା ସ୍ଥିତିରେ ନାହୁଁ। ବର୍ତ୍ତମାନ ଆମେ ତାଙ୍କୁ ଯଦି ଡାକିବୁ ତାହାଲେ ଦରମା ଦେବାକୁ ପଡ଼ିବ। ସବୁଠୁ ବଡ଼ କଥା ହେଉଛି ଗ୍ରୀନ ଜୋନ୍‌ରୁ ଗ୍ରୀନ ଜୋନ୍‌କୁ ବସ୍‌ ଗଡ଼ି ପାରିବ। ଆମେ ଯଦି କଟକରୁ ପରାଦୀପକୁ ବସ୍‌ ଚଲାଇବୁ ଏବଂ ପରବର୍ତ୍ତୀ ସମୟରେ ସେହି ଅଞ୍ଚଳରୁ ପଜିଟିଭ୍‌ କେସ୍‌ ବାହାରିଲା ତାହାଲେ ସରକାର ବସ୍‌ ଚଲାଇବାକୁ ଅନୁମତି ଦେବେନି। ଫଳରେ ଆମେ ପୁଣି କ୍ଷତି ସହିବୁ ଏବଂ ଆମ କର୍ମଚାରୀ ଘରେ ବସିଯିବେ।

‘‘ଗୋଟିଏ ବସ୍‌ରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଆମେ ଗାଡ଼ି ଚଳାଇବାକୁ ରାଜି ଅଛୁ। ହେଲେ ସରକାର ଡିଜେଲରେ ଯେଉଁ ଟିକସ ନେଉଛନ୍ତି ତାହାକୁ ଯଦି ଆସନ୍ତା ୨ ମାସ ଯାଏଁ ଛାଡ଼ କରିବେ ତାହାଲେ ଭଲ ହୁଅନ୍ତା। ହେଲେ ସରକାର ଏନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ଏଣୁ ଆମେ ବସ୍‌ ଚଳାଇ କ୍ଷତି ସହିବାକୁ ଚାହୁଁନୁ’’, କହିଛନ୍ତି ଦେବେନ୍ଦ୍ର ସାହୁ।

ଲକ୍‌ଡାଉନ୍‌ ଆରମ୍ଭରୁ ଆନ୍ତଃରାଜ୍ୟ ଏବଂ ଆନ୍ତଃଜିଲ୍ଲା ବସ୍‌ ଚଳାଚଳ ବନ୍ଦ ରହିଛି। ଏବେ ମାର୍ଚ୍ଚ ୩ରେ ଯେଉଁ ନୂଆ ଗାଇଡ୍‌ଲାଇନ୍‌ ସରକାର ଜାରି କରିଛନ୍ତି ସେଥିରେ କେବଳ ଗ୍ରୀନ ଜୋନ୍‌ରେ ବସ୍‌ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି। ରେଡ୍‌ ଏବଂ ଅରେଞ୍ଜ ଜୋନ୍‌ରେ ବସ୍‌ ଚଳାଚଳ କରିପାରିବ ନାହିଁ। ହେଲେ ଗ୍ରୀନ ଜୋନ୍‌ରେ ବସ୍‌ ଚଳାଇବାକୁ ଘରୋଇ ବସ୍‌ ମାଲିକ ସଂଘ ରାଜି ହେଉ ନାହାନ୍ତି।

Comment