ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ଯୋଗୁଁ ଦେଶର ଚାକିରି କ୍ଷେତ୍ରରେ ଅଭୂତପୂର୍ବ ପରିସ୍ଥିତି ସୃଷ୍ଟି ହୋଇଛି। ମେ ୩ ତାରିଖ ସୁଦ୍ଧା ବେରୋଜଗାର ଖୁବ ଉଚ୍ଚ ସ୍ତରରେ ପହଞ୍ଚିଛି। ଏବେ ବେରୋଜଗାରଙ୍କ ସଂଖ୍ୟା ୨୭ ପ୍ରତିଶତରୁ ଅଧିକ। ଏହାର ଅର୍ଥ ପ୍ରତି ୪ ଜଣରେ ଜଣେ ବେରୋଜଗାର ହୋଇ ପଡ଼ିଛନ୍ତି।

ସେଣ୍ଟର ଫର ମନିଟରିଙ୍ଗ ଇଣ୍ଡିଆନ ଇକୋନୋମି ପକ୍ଷରୁ କୁହାଯାଇଛି ଯେ ଆସନ୍ତା ସପ୍ତାହମାନଙ୍କରେ ଏହି ସ୍ଥିତି ଆହୁରି ଗୁରୁତର ହେବ। ୨୫ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଦେଶ ତମାମ ଲକଡାଉନ ଯୋଗୁଁ ବେତନ ପାଉଥିବା ପ୍ରତି ୫ ଜଣଙ୍କ ମଧ୍ୟରୁ ଜଣଙ୍କର ଚାକିରି ଚାଲିଯାଇଛି।

ଏମିତିରେ କରୋନା ଆସିବା ପୂର୍ବରୁ ଦେଶର ବେକାର ପରିସ୍ଥିତି ଗମ୍ଭୀର ଥିଲା। କରୋନା ସେହି ସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ଲକ୍ଷ ଲକ୍ଷ ଶ୍ରମିକ ଚାକିରି ହରାଇ ଏବେ ଘର ମୁହାଁ ହୋଇଛନ୍ତି। ସଂସ୍ଥା ପକ୍ଷରୁ ଅନୁମାନ କରାଯାଉଛି ଯେ ଆଗାମୀ ଦିନରେ ଏହି ସ୍ଥିତି ଆହୁରି ସଙ୍ଗୀନ ହେବ କାରଣ ଲକଡାଉନ ଏତେ ଶୀଘ୍ର ହଟିବା ଦେଖା ଯାଉନାହିଁ। ଏହି ସଂସ୍ଥାର ମତରେ କରୋନା ଯୋଗୁଁ ବେଶୀ କଷ୍ଟ ଭୋଗିଛନ୍ତି ଅସଙ୍ଗଠିତ କ୍ଷେତ୍ରରେ ରହିଥିବା ଶ୍ରମିକ ଓ କର୍ମଚାରୀ।

Comment