ଓଡ଼ିଶାଲାଇଭ୍‌ ବ୍ୟୁରୋ

supreme court of Indiaଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ।

ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରବାସୀ ଓଡ଼ିଆ ନିଜ ଭିଟାମାଟିକୁ ଫେରିବାରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାସହ ଗତକାଲି ଓଡ଼ିଶା ହାଇକୋର୍ଟ ଯେଉଁ ନିର୍ଦ୍ଦେଶନାମା ଦେଇଥିଲେ ସେଥିରେ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ।

ଗତକାଲି ଓଡ଼ିଶା ହାଇକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ବାହାର ରାଜ୍ୟ ଓଡ଼ିଆଙ୍କ ଓଡ଼ିଶା ଫେରିବା ଉପରେ କଟକଣା ଲଗାଇଥିଲେ। ପ୍ରଥମେ କରେନା ନମୁନା ପରୀକ୍ଷା ହେବ ଏବଂ ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍‌ ଆସିବ ସେମାନଙ୍କୁ ଆସିବା ପାଇଁ ଅନୁମତି ମିଳିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସୁରତରୁ ଆଜି ଆସିବାକୁ ଥିବା ୩ଟି ଟ୍ରେନ୍‌ ବାତିଲ କରାଯାଇଥିଲା। ଏହାକୁ ନେଇ ବାହାର ରାଜ୍ୟରେ ଫସିଥିବା ଓଡ଼ିଆ ଚିନ୍ତାରେ ପଡ଼ିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଜି ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ ସରକାର।

ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଏବଂ ଆଇନଜୀବୀ କାହ୍ନୁ ଅଗ୍ରୱାଲ ହାଇକୋର୍ଟଙ୍କ ନିର୍ଦ୍ଦେଶନାମାକୁ ନେଇ ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଥିଲେ। ବାହାର ରାଜ୍ୟରେ ଫସିଥିବା ଲୋକ ନିଜ ରାଜ୍ୟକୁ ଫେରିବା ଉପରେ କଟକଣା ଜାରି କରିବା ଠିକ୍‌ ନୁହେଁ ବୋଲି କହିଥିଲେ।

ଜଷ୍ଟିସ୍‌ ଅଶୋକ ଭୂଷଣ, ଜଷ୍ଟିସ୍‌ ଏସ୍‌ କେ କାଉଲ, ଜଷ୍ଟିସ୍‌ ବି ଆର୍‌ ଗବାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସ୍ଥଗିତ ରଖିଥିଲେ।

ସୁପ୍ରିମକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ କହିଥିଲେ ଯେ, ପ୍ରବାସୀମାନେ ନିଜ ରାଜ୍ୟକୁ ଫେରିପାରିବେ। ଏପରିକି ଆଗାମୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହା ଜାରି ରହିବ। ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକମାନେ କିଭଳି କ୍ୱାରାଣ୍ଟାଇନ୍‌ରେ ରହିବେ ସେନେଇ ବ୍ୟବସ୍ଥା କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Comment