ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍‌ଇ ଢାଞ୍ଚାରେ ଘରେ ବସି ଖାତା ଦେଖିବାର ବ୍ୟବସ୍ଥା କରିବାକୁ ଦାବି କଲା ଓଷ୍ଟା।

ମାଟ୍ରିକ ପରୀକ୍ଷା ଖାତାଦେଖାରେ ଏବେ କେଁ ପଶିଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଗୋଟିଏ କଥା ଘୋଷଣା କରାଯାଇଥିବା ବେଳେ ଓଷ୍ଟା ଆଉ ଗୋଟିଏ କଥା କହୁଛି। ଫଳରେ ୨୦ ତାରିଖରୁ ଖାତାଦେଖା କେମିତି ହେବ ତାକୁନେଇ ପ୍ରଶ୍ନବାଚୀ ଉଠିଛି। କରୋନା ସଂକ୍ରମଣ ଭୟ ଥିବାରୁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।

କରୋନା ଲକ୍‌ଡାଉନ୍‌ ପାଇଁ ମାଟ୍ରିକ ପରୀକ୍ଷା ଖାତାଦେଖା ଆଜିଯାଏଁ ହୋଇ ପାରିନି। ଏହି ଲକ୍‌ଡାଉନ୍‌ ଭିତରେ ଆସନ୍ତା ୨୦ ତାରିଖରୁ ଖାତାଦେଖା ଆରମ୍ଭ କରିବାକୁ ବୋର୍ଡ ଘୋଷଣା କରିଥିଲା। ଏଥିପାଇଁ ୬୦ଟି ମୂଲ୍ୟାୟନ କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରିବା ପାଇଁ ସିଫ୍ଟ ଅନୁସାରେ ଖାତା ଦେଖିବାକୁ ବୋର୍ଡ ପକ୍ଷରୁ କୁହାଯାଇଥିଲା। ଏହାସହ ସମସ୍ତ ଶିକ୍ଷକମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା।

୨୦ ଦିନରେ ଖାତାଦେଖା ଶେଷ କରିବାକୁ ବୋର୍ଡ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ଆଉ ୬ ହଜାର ଅଧିକ ଶିକ୍ଷକଙ୍କୁ ଖାତାଦେଖାରେ ନିୟୋଜିତ କରାଯାଇଥିଲା। ଚଳିତବର୍ଷ ମୋଟ ୨୩ ହଜାର ଶିକ୍ଷକ ଖାତାଦେଖାରେ ନିୟୋଜିତ ହୋଇଛନ୍ତି।

ଖାତାଦେଖା ଆରମ୍ଭ ହେବାକୁ ଆଉ ମାତ୍ର ୭ ଦିନ ଥିବା ବେଳେ ଓଷ୍ଟା ପକ୍ଷରୁ କୁହାଯାଇଛି ଯେ ଆମେ ଏଥିରେ ସହଯୋଗ କରିବୁନି। ମୂଲ୍ୟାୟନ କେନ୍ଦ୍ର ବଦଳରେ ଘରେ ବସି ଖାତା ଦେଖିବାର ବ୍ୟବସ୍ଥା କରିବାକୁ ଓଷ୍ଟା ଦାବି କରିଛି।

‘‘ମୂଲ୍ୟାୟନ କେନ୍ଦ୍ରରେ ସଂକ୍ରମଣର ଭୟ ରହିଛି। ବର୍ତ୍ତମାନ ସମୟରେ ଦୂର ଦୂରାନ୍ତରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସି ଖାତା ଦେଖିବା ସମ୍ଭବ ନୁହେଁ। ସିବିଏସ୍‌ଇ ଢାଞ୍ଚାରେ ଘରେ ବସି ଖାତା ଦେଖିବାର ବ୍ୟବସ୍ଥା କରାଯାଉ। ଏ ସମ୍ପର୍କରେ ଆମେ ଗତ ୩୦ ତାରିଖରେ ରାଜ୍ୟ ସରକାରଙ୍କୁ ଜଣାଇଥିଲୁ। ହେଲେ କୌଣସି ବ୍ୟବସ୍ଥା କରାନଗଲେ ଆମେ ଖାତାଦେଖାରେ ସହଯୋଗ କରିବୁନି’’, କହିଛନ୍ତି ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି।

ଗତକାଲି ବୋର୍ଡ ସମ୍ପାଦକ ନିହାର ମହାନ୍ତି କହିଥିଲେ ଯେ, ଘରେ ବସି ଖାତା ଦେଖିବା ପାଇଁ ସରକାର କୌଣସି ବ୍ୟବସ୍ଥା କରି ନାହାନ୍ତି। ଏହାସହ କଣ୍ଟେନମେଣ୍ଟ ଜୋନ୍‌ରେ ମୂଲ୍ୟାୟନ କେନ୍ଦ୍ର କରାଯାଇ ନାହିଁ।

Comment