ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତାକାଲି ସନ୍ଧ୍ୟାରେ ବାତ୍ୟାର ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଆମ୍ଫାନ।

ଠିକ୍‌ ଗୋଟିଏ ବର୍ଷ ପରେ ଓଡ଼ିଶାକୁ ଘାରିଛି ବାତ୍ୟା ଭୟ। ଗତବର୍ଷ ମେ’ ୩ ତାରିଖରେ ବାତ୍ୟା ଫନି ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା। ଏହାର ପ୍ରଭାବରେ ଅଧା ଓଡ଼ିଶା ଛାରଖାର ହୋଇଥିଲା। ବର୍ତ୍ତମାନ ସୁଦ୍ଧା ବାତ୍ୟା ଫନିର ପ୍ରକୋପ ଲୋକଙ୍କ ମନରୁ ଯାଇ ନଥିବା ବେଳେ ଏବେ ଆଉ ଏକ ବାତ୍ୟା ବଙ୍ଗୋପ ସାଗରରେ ଘନୀଭୂତ ହୋଇଛି। ଏହାର ନାଁ ଦିଆଯାଇଛି ଆମ୍ଫାନ୍‌।

ବାତ୍ୟା ଆମ୍ଫାନ୍‌ର ଗତିବିଧି ଏବଂ ରୂପରେଖ କ’ଣ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି। ହେଲେ ଏହାକୁ ନେଇ ଓଡ଼ିଶାବାସୀଙ୍କ ମନରେ ଛନକା ସୃଷ୍ଟି ହେଲାଣି। ଗତବର୍ଷ ବାତ୍ୟା ଫନି ଏବଂ ଏବେ କରୋନା ଭୟ ଚାଲିଥିବା ବେଳେ ବାତ୍ୟା ଆମ୍ଫାନ୍‌ ବି ଲୋକଙ୍କୁ ଡରେଇଲାଣି।

କେଉଁଠି ଲ୍ୟାଣ୍ଡଫଲ୍‌ କରିବ?

ଆଜି ସନ୍ଧ୍ୟାରେ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି ଲଘୁଚାପ। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେଇ ଆମ୍ଫାନ୍‌ ଉତ୍ତର  ପଶ୍ଚିମ ଦିଗରେ ଗତି କରିବ। ୧୭ ତାରିଖଠାରୁ ଏହାର ଗତି ବଦଳିବ। ଉତ୍ତର ପୂର୍ବ ଦେଇ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ତେବେ ଏପର୍ଯ୍ୟନ୍ତ ବାତ୍ୟା ଆମ୍ଫାନ୍‌ କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନି। ଉତ୍ତର ପଶ୍ଚିମ ଦିଗ ଦେଇ ଏହା ଗତି କରିବାର ଥିବାରୁ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶରେ ମାଡ଼ ହୋଇପାରେ ବୋଲି କୁହାଯାଉଛି।

ସବୁଠୁ ବଡ଼ କଥା ହେଉଛି ଯଦି ବାତ୍ୟା ଆମ୍ଫାନ୍‌ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିବ ତାହାଲେ ଉତ୍ତର ଉପକୂଳ ଓଡ଼ିଶା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହିସବୁ ଜିଲ୍ଲାର ଜିଲ୍ଲପାଳମାନଙ୍କୁ ସତର୍କ କରାଯାଇଛି।

୧୮ରୁ ଓଡ଼ିଶାରେ ବର୍ଷା

ବାତ୍ୟା ଆମ୍ଫାନ୍‌ ପ୍ରଭାବରେ ୧୮ରୁ ବର୍ଷା ଆରମ୍ଭ ହୋଇଯିବ ବୋଲି ସମ୍ଭାବନା ରହିଛି। ଗଜପତି, ଗଞ୍ଜାମ, ପୁରୀ ଓ କେନ୍ଦ୍ରାପଡ଼ାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୯ ତାରିଖରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ବାଲେଶର, ଭଦ୍ରକ, ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୧୮ ତାରିଖରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ରହିବ। ୧୮ ତାରିଖରେ ସ୍ଥଳ ବିଶେଷରେ ୬୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ୧୯ ତାରିଖରେ ଏହା ବଢ଼ି ୬୫ରୁ ୭୫ କିଲୋମିଟର ଏବଂ ସ୍ଥଳ ବିଶେଷରେ ଏହା ୮୫ କିଲୋମିଟର ବହିବାର ସମ୍ଭାବନା ରହିଛି।

ଓଡ଼ିଶା ସରକାରଙ୍କ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବାତ୍ୟାକୁ ହାଲୁକା ଭାବେ ଗ୍ରହଣ ନକରି ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

‘‘ବାତ୍ୟା ଉତ୍ତର ପୂର୍ବ ଦେଇ ଗତି କରିବାର ସମ୍ଭାବନା ଥିବାରୁ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ। ଆମେ ନିୟମିତ ଭାବେ ମନିଟରିଂ କରୁଛୁ। ଆଶ୍ରୟ ସ୍ଥଳ ଠାବ କରିବାକୁ ଜିଲ୍ଲାପାଳମାନଙ୍କୁ କହିଛୁ। ଅଧିକ ଆଶ୍ରୟସ୍ଥଳ ବ୍ୟବସ୍ଥା କରିବାକୁ କହିଛୁ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ସରପଞ୍ଚ ଓ ସ୍କୁଲ ଶିକ୍ଷକ ଆଶ୍ରୟସ୍ଥଳ ଦାୟିତ୍ୱରେ ରହିବେ।ପୋଲିସ, ଅଗ୍ନିଶମ ଓ ଏନଡିଆର୍‌ଏଫ୍‌ ସହ ପ୍ରାଥମିକ ଆଲୋଚନା ହୋଇଛି’’, କହିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା।

୪ ଉପକୂଳ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଲୋଚନା କରିଛନ୍ତି ରାଜ୍ୟ ସରକାର। ରାସ୍ତାଘାଟ ସଫା ଏବଂ ପାନୀୟ ଜଳ ବ୍ୟବସ୍ଥା କରିବା ନେଇ ଆଲୋଚନା ହୋଇଛି। ଗଜପତିରୁ ମୟୂରଭଞ୍ଜ ଯାଏଁ ୧୨ଟି ଜିଲ୍ଲାକୁ ସତର୍କ କରାଯାଇଛି। ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମୁଦ୍ର ଅଶାନ୍ତ ରହୁଥିବାରୁ ଆଜି ସନ୍ଧ୍ୟାରୁ ମତ୍ସ୍ୟଜୀବୀକୁ ସମୁଦ୍ର ଯିବାକୁ ମନା କରାଯାଇଛି।

Comment