ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଦକ୍ଷିଣାଞ୍ଚଳ ରାଜ୍ୟରେ ଫସି ରହିଥିବା ୨୦୯ ଜଣ ପ୍ରବାସୀ ଓଡ଼ିଆ ଗୁରୁବାର ଦିନ ସ୍ଵତନ୍ତ୍ର ଟ୍ରେନ ଯୋଗେ ରାୟଗଡ଼ା ରେଳ ଷ୍ଟେସନରେ ପହଞ୍ଚିଛନ୍ତି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ତାଙ୍କର ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି।ଗୁରୁବାର ସକାଳ ୮ଟା ସମୟରେ ଓ ଅପରାହଣ ୧ଟା ବେଳେ ଦୁଇଟି ଟ୍ରେନରେ ଏମାନେ ଆସି ରାୟଗଡରେ ପହଞ୍ଚିଥିଲେ। ଏହାପରେ ସେଠାରେ ତାଙ୍କର ସ୍କ୍ରିନିଂ କରିବା ସହ ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ରାଜ୍ୟ ସରକାରଙ୍କ ନିୟମ ମୁତାବାକ ସମସ୍ତଙ୍କ ହାତରେ ଅଲିଭା କାଳି ଲଗାଯାଇଥିଲା। ଏହାପରେ ସ୍ୱତନ୍ତ୍ର ବସ୍ ଓ ଚାରି ଚକିଆ ଯାନ ଯୋଗେ ପ୍ରଶାସନ ତରଫରୁ ସେମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଇଥିଲା।ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ କରୋନା ଭୂତାଣୁ ସଂକ୍ରମଣ ଗମ୍ଭୀର ସ୍ଥିତି ଧାରଣ କରିଥିବାରୁ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରତିଷେଧକ ପଦକ୍ଷେପ ସ୍ଵରୂପ ଷ୍ଟେସନ ଚାରିପାଖରେ ୧୪୪ ଧାରା ଜାରି କରାଯାଇଥିଲା। ଏହି ଟ୍ରେନ୍ ଯୋଗେ ଗଜପତି ଜିଲ୍ଲାର ୨୯, ନବରଙ୍ଗପୁର ଜିଲ୍ଲାର ୭୦, କନ୍ଧମାଳ ଜିଲ୍ଲାର ୧୨, କୋରାପୁଟ ଜିଲ୍ଲାର ୪୧, ଓ ରାୟଗଡା ଜିଲ୍ଲାର ୫୭ ଜଣ ପ୍ରବାସୀ ଓଡ଼ିଶାରେ ପହଞ୍ଚିଛନ୍ତି।

 

Comment