ଓଡ଼ିଶାଲାଇଭ୍‌ ବ୍ୟୁରୋ

(ଆନ୍ଧ୍ରପ୍ରଦେଶରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ର ପ୍ରଦେଶର ପ୍ରକାଶମ୍‌ ଜିଲ୍ଲାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଦୁର୍ଘଟଣାରେ ମୋଟ୍‌ ୯ ଜଣକ ମୁତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଆନ୍ଧ୍ରପ୍ରଦେଶର ପ୍ରକାଶମ ଜିଲ୍ଲାର ମାଛଭରମ ଗ୍ରାମର ବାସିନ୍ଧା ନେଲୁରୀ ଛେଞ୍ଚୟ ନିଜ ମରିଚ ଜମିରେ କାମ କରିବା ପାଇଁ ୩୦ ଜଣ ଶ୍ରମିକଙ୍କୁ ଗତକାଲି କାର୍ଯ୍ୟରେ ଲଗାଇଥିଲେ। କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଛେଞ୍ଚୟ ଶ୍ରମିକମାନଙ୍କୁ ଗୋଟିଏ ଟ୍ରାକ୍ଟର ଦ୍ୱାରା ନିଜ ନିଜ ଗ୍ରାମକୁ ପଠାଇବା ପାଇଁ ବ୍ୟବସ୍ଥା କରିଥିଲେ।

ଟ୍ରାକ୍ଟରରେ କିଛି ମରିଚ ବସ୍ତା ସହ ୩୦ ଜଣ ଶ୍ରମିକ ଚଢ଼ିଥିଲେ। ମରିଚ ବସ୍ତା ବୋଝେଇ ଯୋଗୁଁ ଟ୍ରାକ୍ଟର ଉଭୟ ଡାଲା ଖୋଲା ରହିଥିଲା। ତେଣୁ ଟ୍ରାକ୍ଟର ନାଗୁଲୂପ୍ଲାପଦୁ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟ ଦେହରେ ପିଟି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ୨ଟି ବିଦ୍ୟୁତ ତାର ଛିଡି ଯାଇଥିଲା ଏବଂ ଗୋଟିଏ ତାର ଟ୍ରାକ୍ଟର ଉପରେ ପଡିଯାଇଥିଲା ଯାହାଫଳରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ।

ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି। ୭ ଜଣ ମହିଳାଙ୍କ ମଧ୍ୟରେ ୨ ନାବାଳିକା ଓ ୨ ଜଣ ପୁରୁଷଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ଓଙ୍ଗଲ ପୋଲିସ ଡିସିପି ପ୍ରସାଦ ପ୍ରକାଶ କହିଛନ୍ତି। ଆହତଙ୍କୁ ଓଙ୍ଗଲ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡିଛି। ଓଙ୍ଗଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଟ୍ରାକ୍ଟର ଚାଳକ ନାଁରେ ଭାରତୀୟ ଦଣ୍ଡ ବିଧାନ ଅନୁଯାୟୀ ୩୦୪ଏରେ ମାମଲା ଦାୟର କରିଛି।

ଏହି ଦୁର୍ଘଟଣାର ସୂଚନା ପାଇ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରିବା ପାଇଁ ପ୍ରକାଶମ୍‌ ଜିଲ୍ଲା ପ୍ରଶାସନ ଓ ଚିକତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ସେହିପରି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହି ଦୁର୍ଘଟଣାର ସୂଚନା ପାଇବା ପରେ ମୃତକଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Comment