ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚା’ ପିଇବା ପାଇଁ ଅଟକି ଥିଲେ ଟ୍ରକରେ ଯାଉଥିବା କିଛି ଶ୍ରମିକ। ହେଲେ ଚା’ ପିଇବା ହୋଇଥିଲା ତାଙ୍କ ପାଇଁ କାଳ। ପଛ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଶ୍ରମିକଙ୍କ ଟ୍ରକକୁ ଜୋରରେ ଧକ୍କା ଦେଇଥିଲା। ଫଳରେ ୨୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଉତ୍ତର ପ୍ରଦେଶର ଔରେୟାଠାରେ।

ଆହତ ହୋଇଥିବା ଅନ୍ୟ ଶ୍ରମିକମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟ୍ରକରେ ପ୍ରାୟର ୪୦ରୁ ୫୦ ଜଣ ଶ୍ରମିକ ଥିଲେ। ସେମାନେ ଦିଲ୍ଲୀରୁ ଗୋରଖପୁର ଅଭିମୁଖେ ଯାଉଥିଲେ।

ଏହି ଶ୍ରମିକମାନେ ପ୍ରଥମେ ରାଜସ୍ଥାନରୁ ଦିଲ୍ଲୀ ଯାଇଥିଲେ ଓ ପରେ ଦିଲ୍ଲୀରୁ ଏକ ଟ୍ରକ କରି ଗୋରଖପୁର ଅଭିମୁଖେ ଯାଇଥିଲେ। ଔରେୟାଠାରେ ଶ୍ରମିକମାନେ ଚା’ ପିଇବା ପାଇଁ ଅଟକି ଥିଲେ। କିଛି ଚା’ ପିଇବାକୁ ଯାଇଥିବା ବେଳେ ଅନ୍ୟ କିଛି ଶ୍ରମିକ ଟ୍ରକରେ ଶୋଇଥିଲେ। ଏହି ସମୟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ତାଙ୍କ ଟ୍ରକକୁ ଧକ୍କା ଦେଇଥିଲା।

ଟ୍ରକ ଏତେ ଜୋରରେ ଧକ୍କା ଦେଇଥିଲା ଯେ ଶ୍ରମିକଙ୍କ ଗାଡ଼ି ଓଲଟି ପାଖରେ ଥିବା ଏକ ଖାଲରେ ପଡ଼ିଥିଲା। ବିଳମ୍ଵିତ ରାତି ଥିବାରୁ ଶ୍ରମିକମାନେ ସାହାଯ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ। ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରେ ଅଗ୍ନୀଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ମୃତଦେହଗୁଡ଼ିକ ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ପ୍ରଶାସନ ମୃତଦେହକୁ ଚିହ୍ନଟ କରି ପରିବାରକୁ ଫେରାଇବାର ବନ୍ଦୋବସ୍ତ କରୁଛି।

ଅନ୍ୟପକ୍ଷରେ ଏଭଳି ଏକ ସଡ଼କ ଦୁର୍ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପ୍ରଧାନମନ୍ତ୍ରୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

Comment