ଓଡ଼ିଶାଲାଇଭ୍‌ ବ୍ୟୁରୋ

କେହି କେହି ଚାଲି ଚାଲି ତ କିଏ ଟ୍ରକ୍‌ରେ ତ ପୁଣି କିଏ ସାଇକେଲ୍‌ରେ । ଏହି ବିପଦଜ୍ଜନକ ଯାତ୍ରା କରିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି ପ୍ରବାସୀ ଶ୍ରମିକ। 

ଦେଶରେ ଲକଡାଉନ୍‌ ଥିବାରୁ ଅନ୍ୟ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକମାନେ ଲଗାତର ଦୁର୍ଘଟଣାର ଶିକାର ହେଉଛନ୍ତି। କୌଣସି ପ୍ରକାରେ ନିଜ ଘରକୁ ଫେରୁଥିବା ଶ୍ରମିକମାନେ ଘରେ ପହଞ୍ଚିବା ପୂର୍ବରୁ ଦୁର୍ଘଟଣାରେ ରାସ୍ତାରେ ହିଁ ପ୍ରାଣ ହରାଉଛନ୍ତି। କାହାର ବସ୍‌ ଚକା ତଳେ ଜୀବନ ଗଲାଣି ତ ଆଉ କାହାର ଟ୍ରେନରେ। ଏକ ରିପୋର୍ଟ ଅନୁସାରେ ଗତ ଆଠ ଦିନ ମଧ୍ୟରେ ସଡକ ଦୁର୍ଘଟଣାରେ ପାଖାପାଖି ୧୦୦ରୁ ଅଧିକ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଶନିବାର ମଧ୍ୟ ଶ୍ରମିକମାନଙ୍କ ସହିତ ଦୁଇଟି ବଡ଼ ସଡ଼କ ଦୁର୍ଘଟଣା ଘଟିଛି।  ପ୍ରଥମ ଦୁର୍ଘଟଣା ୟୁପିର ଔରେୟା ଏବଂ ଦ୍ୱିତୀୟ ଦୁର୍ଘଟଣା ମଧ୍ୟପ୍ରଦେଶର ସାଗରରେ ଘଟିଛି। ସେହିପରି କିଛି ଦିନ ପୂର୍ବରୁ ମହାରାଷ୍ଟ୍ରର ଔରଙ୍ଗାବାଦରେ ରେଳ ଦୁର୍ଘଟଣା ଶ୍ରମିକଙ୍କ ଜୀବନ ଯାଇଥିଲା। ଏହି ଦୁର୍ଘଟଣା କ୍ରମାଗତ ଭାବେ ବୃଦ୍ଧି ପାଉଛି।

ୟୁପିରେ ଦୁର୍ଘଟଣା

ଶନିବାର ସକାଳେ ୟୁପିର ଔରେୟା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀ-କୋଲକାତା ହାଇଓ୍ୱେରେ ଥିବା ଏକ ଢାବା ନିକଟରେ ଚା ପିଉଥିଲା ବେଳ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା।  ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୪ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ୨୨ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଶନିବାର ମଧ୍ୟପ୍ରଦେଶର ସାଗର ଜିଲ୍ଲାର ବଣ୍ଟା ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୫ ଜଣ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଖବର ମୁତାବକ, ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଟ୍ରକଟି ରାସ୍ତାରେ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଶ୍ରମିକମାନେ ମହାରାଷ୍ଟ୍ରରୁ ଉତ୍ତରପ୍ରଦେଶ ଯାଉଥିଲେ।

ଶୁକ୍ରବାର ମଧ୍ୟପ୍ରଦେଶର ଏବି ରୋଡ୍ ବାଇପାସ୍ ଉପରେ ମୁମ୍ବାଇରୁ ଶ୍ରମିକଙ୍କୁ ନେଇ  ଆସୁଥିବା ଏକ ଗାଡି ଦୁର୍ଘଟଣାର ଶିକାର ହୋଇଥିଲା। ଶ୍ରମିକଙ୍କ ଗାଡି ପଛରୁ ଏକ ଟ୍ରକ ଧକ୍କା ଦେଇଥିଲା। ଏହି ଘଟଣାରେ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୪ ଜଣ ଆହତ ହୋଇଥିଲେ। ଏହି ସମସ୍ତ ବ୍ୟକ୍ତି ୟୁପିର ଗାଜିପୁର ଜିଲ୍ଲାର ବୋଲି ଜଣାପଡ଼ିଥିଲା।

ଏହାପୂର୍ବରୁ  ଗୁରୁବାର ମଧ୍ୟପ୍ରଦେଶର ଗୁନାଠାରେ ଏକ ଟ୍ରକ ଓ ବସ୍ ଧକ୍କା ହେବା ଫଳରେ ୮ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୫୦ଜଣ ଆହତ ହୋଇଥିଲେ। ସମସ୍ତ ମୃତ ଶ୍ରମିକ ମହାରାଷ୍ଟ୍ରରୁ ନିଜ ରାଜ୍ୟ ବିହାର ଏବଂ ଉତ୍ତରପ୍ରଦେଶକୁ ଯାଉଥିଲେ। ମେ‘ ୨ରେ ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୫ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା। ।

 ମୁଜାଫରନଗରରେ ସଡକ ଦୁର୍ଘଟଣାରେ୬ ଜଣ ଶ୍ରମିକଙ୍କ ମୃତ୍ୟୁ

ବୁଧବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ମୁଜାଫରନଗର ନିକଟରେ ଏକ ବସ୍ ଚାଲି ଚାଲି ଯାଉଥିବା ଶ୍ରମିକଙ୍କ ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ୬ ଜଣ ଶ୍ରମିକ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଥିଲେ।

 ବିହାରରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଆହତ

ଗୁରୁବାର ସକାଳେ ବିହାରର ସାମସ୍ତିପୁରରେ ଟ୍ରକ୍ ଓ ବସ୍ ଧକ୍କା ହୋଇଥିଲା। ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେଲେଙ୍ଗାନାରେ ୪ ଜଣ ଶ୍ରମିକଙ୍କର ମୃତ୍ୟୁ

ମେ‘ ୧୨ରେ ତେଲେଙ୍ଗାନାରୁ ଝାଡଖଣ୍ଡ ଫେରୁଥିବା ୨୧ ଜଣ ଶ୍ରମିକ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରୁ ଚାରିଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୧୭ଜଣ ଆହତ ହୋଇଥିଲେ।

Comment