ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡାଏବେଟିସ୍ ରୋଗୀ ଡାଏଟ୍‌ରେ କ’ଣ ଖାଇବେ ଏବଂ କେତେ ପରିମାଣରେ ଖାଇବେ ତାହା ଜାଣି ରଖନ୍ତୁ। 

ଡାଏବେଟିସ୍ ରୋଗୀମାନେ ନିଜ ଖାଦ୍ୟ ଉପରେ ବେଶୀ ଯତ୍ନବାନ ହେବା ଆବଶ୍ୟକ। ଠିକ୍ ଖାଦ୍ୟ ଖାଇବା ଦ୍ୱାରା ଡାଏବେଟିସ୍ ଅନେକ ପରିମାଣରେ ନିୟନ୍ତ୍ରଣରେ ରହିଥାଏ।

କାର୍ବୋହାଇଡ୍ରେଟ: କାର୍ବୋହାଇଡ୍ରେଟର ଶରୀର ପାଇଁ ଖୁବ୍ ଆବଶ୍ୟକତା ରହିଛି। କିନ୍ତୁ କାର୍ବୋହାଇଡ୍ରେଟ ଜାତୀୟ ସବୁପ୍ରକାର ଖାଦ୍ୟ ଡାଏବେଟିସ୍ ରୋଗୀ ଖାଇବା କଥା ନୁହେଁ। ସବୁଦିନ ଭାତ ଖାଇବା ବଦଳରେ ସପ୍ତାହରେ ଥରେ ଅକାଣ୍ଡିଆ ଚାଉଳର ଭାତ ଖାଆନ୍ତୁ। ସେହିପରି ଗହମରୁ ପ୍ରସ୍ତୁତ ରୁଟିକୁ ମଧ୍ୟ ଏଡ଼ାଇ ଯାଆନ୍ତୁ। ତା’ ବଦଳରେ ମଲ୍ଟିଗ୍ରେନ୍ ଅଟାରୁ ପ୍ରସ୍ତୁତ ରୁଟି ଆପଣଙ୍କୁ ଉପଯୁକ୍ତ ପୋଷଣ ଦେଇପାରିବ। ପାଉଁରୁଟି, ମଇଦାରୁ ପ୍ରସ୍ତୁତ ଖାଦ୍ୟ, ଚିପ୍ସକୁ ଖାଆନ୍ତୁ ନାହିଁ। ଆଜିକାଲି ବଜାରରେ ବ୍ରାଉନ୍ ବ୍ରେଡ୍ ମିଳୁଛି। ତାହା ଆପଣଙ୍କ ଭଲ ବିକଳ୍ପ ହୋଇପାରିବ।

ପରିବା: ଡାଏବେଟିସ୍ ରୋଗୀ ଭେଣ୍ଡି, ପୋଇ, ଶାଗ, ବନ୍ଧାକୋବି, ଫୁଲକୋବି , ଜହ୍ନି, କଲରା ଭଳି ସବୁଜ ପନିପରିବା ଖାଇବା ଆବଶ୍ୟକ। ଭେଣ୍ଡିକୁ କାଟି ରାତିରେ ପାଣିରେ ଭିଜାଇ ସକାଳୁ ସେହି ପାଣି ପିଇଲେ ଏହି ରୋଗ ଅନେକ ପରିମାଣରେ ନିୟନ୍ତ୍ରିତ ହୋଇଥାଏ। ତେବେ ପରିବାରୁ ତରକାରୀ ପ୍ରସ୍ତୁତ ସମୟରେ ଯଥାସମ୍ଭବ କମ୍ ଲୁଣ ପକାନ୍ତୁ। ସେହିପରି ଆଳୁ, ଗାଜର, ବିଟ୍‌, କନ୍ଦମୂଳ ଭଳି ମାଟିତଳେ ଫଳୁଥିବା ପରିବାକୁ ଖାଆନ୍ତୁ ନାହିଁ।

fruits

ଫଳ: ନିୟମିତ ଭାବେ ଫଳ ଖାଇଲେ ଶରୀରକୁ କାର୍ବୋହାଇଡ୍ରେଟ, ଭିଟାମିନ୍‌, ମିନେରାଲ୍ସ ଏବଂ ଫାଇବର ମିଳିଥାଏ। ଅଧିକାଂଶ ଫଳରେ ପ୍ରାକୃତିକ ଭାବେ କମ୍ ଚର୍ବି ଓ ସୋଡ଼ିୟମ ରହିଥାଏ। କିନ୍ତୁ ସେଥିରୁ ପରିବା ଅପେକ୍ଷା ଅଧିକ କାର୍ବୋହାଇଡ୍ରେଟ ମିଳେ। ଏପରିସ୍ଥଳେ ଡାଳିମ୍ବ, ନାସପାତି ଭଳି ଫଳକୁ ଡାଇବେଟିକ୍ ରୋଗୀ ନିଜର ଡାଏଟରେ ସାମିଲ କରିବା ଆବଶ୍ୟକ। ସେଓ, ଅଙ୍ଗୁର, କଦଳୀ ପରି ଫଳରେ ଶର୍କରାର ମାତ୍ରା ଅଧିକ ଥିବାରୁ ତାକୁ ନା କୁହନ୍ତୁ। ଫଳରସ, ଜାମ, ଜେଲି ଭଳି ଖାଦ୍ୟ ପାଟିକୁ ଭଲ ଲାଗୁଥିଲେ ମଧ୍ୟ ତାହା ମଧୁମେହ ରୋଗୀଙ୍କ  ପାଇଁ କ୍ଷତିକାରକ ହୋଇଥାଏ।

ପ୍ରୋଟିନ୍‌: ଅଣ୍ଡା, ଚିକେନ୍‌, ମାଛ, ଛେନା ପ୍ରଭୃତିରୁ ଆମ ଶରୀରକୁ ପ୍ରୋଟିନ୍ ମିଳିଥାଏ। ତେବେ ଏହାକୁ ଅତ୍ୟଧିକ ପରିମାଣରେ ଖାଇବା କ୍ଷତିକାରକ। ମଧୁମେହ ରୋଗୀ ସପ୍ତାହକୁ ୨ ଥର ମାଛ, ଚିକେନ୍ ଖାଇପାରିବେ। ଖାସି ମାଂସକୁ ଯଥାସମ୍ଭବ ଏଡ଼ାଇ ଯାଆନ୍ତୁ। ସେହିପରି ଲୁଣିମାଛ ଅନେକ ସ୍ଥଳରେ ମଧୁମେହ ରୋଗୀଙ୍କର କ୍ଷତିକରୁଥିବାରୁ ତାକୁ ଏଡ଼ାଇ ଯିବା ଭଲ।

ଦୁଗ୍ଧ ଜାତୀୟ ଉତ୍ପାଦ: ମଧୁମେହ ରୋଗୀ କ୍ଷୀର ପିଇବା ଅନୁଚିତ୍ ବୋଲି ଅନେକ ସ୍ଥଳରେ ଲୋକଙ୍କ ମନରେ ଧାରଣା ରହିଛି। ପ୍ରକୃତରେ କିନ୍ତୁ କ୍ଷୀର ଉପରୁ ସର କାଢ଼ି ମଧୁମେହ ରୋଗୀମାନେ ପିଇପାରିବେ। ତେବେ ତାକୁ ରାତି ବଦଳରେ ସକାଳ ଜଳଖିଆରେ ଖାଆନ୍ତୁ। ଏହାଯୋଗୁ କ୍ଷୀରରେ ଥିବା ଚର୍ବି ଶରୀରରେ ଲାଗିବ ନାହିଁ। ସେହିପରି ଆଇସକ୍ରିମରେ ପ୍ରଚୁର ପରିମାଣରେ ଚର୍ବି ରହୁଥିବାରୁ ତାକୁ ଏଡ଼ାଇ ଯିବା ଆବଶ୍ୟକ। ସପ୍ତାହରେ ଅତି କମ୍‌ରେ ୩ ଥର ଦହି ଖାଆନ୍ତୁ।

ତେଲ: ଅନେକ ଲୋକ ମଧୁମେହ ହୋଇଥିଲେ ମିଠା ଖାଇବାକୁ ତ ଏଡ଼ାଇ ଯାଆନ୍ତି। କିନ୍ତୁ ରୋଷେଇରେ ତେଲର ବ୍ୟବହାରକୁ କମାନ୍ତି ନାହିଁ। ପ୍ରକୃତରେ କିନ୍ତୁ ରୋଷେଇରେ ତେଲର ବ୍ୟବହାର କମ୍ କରିବା ନିହାତି ଆବଶ୍ୟକ। କାରଣ ଅତ୍ୟଧିକ ତେଲମସଲା ବ୍ୟକ୍ତିଙ୍କୁ ମୋଟା କରାଇଥାଏ। ଯାହାକି ପରୋକ୍ଷରେ ଶରୀରରେ ଶର୍କରାର ଅଂଶକୁ ବୃଦ୍ଧି କରେ। ଏପରିସ୍ଥଳେ ଖାଦ୍ୟକୁ ଛାଣିବା ବଦଳରେ ତାକୁ ତାୱାରେ ସେକି ଖାଇପାରିବେ। ସେହିପରି ରିଫାଇନଡ ସନଫ୍ଲାୱାର ତେଲରେ ଟ୍ରାନ୍ସଫ୍ୟାଟ୍‌ର ମାତ୍ରା ଅଧିକ ରହୁଥିବାରୁ ରୋଷେଇରେ ତାର ବ୍ୟବହାର କମ୍ କରନ୍ତୁ। ତା’ ବଦଳରେ ସୋରିଷ ତେଲ ଏକ ଭଲ ବିକଳ୍ପ। ଆବଶ୍ୟକ ସ୍ଥଳେ ଅଲିଭ ଅଏଲ ବ୍ୟବହାର କରିପାରିବେ। ଅଲିଭ୍ ଅଏଲକୁ ଛଣାଛଣିରେ ବ୍ୟବହାର ନ କରି ପରିବାକୁ ଭାଜିବା କିମ୍ବା ସାଲାଡ୍ ପ୍ରସ୍ତୁତି ସମୟରେ ବ୍ୟବହାର କରନ୍ତୁ।

Comment