ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍‌ର ବହୁ ଚର୍ଚ୍ଚିତ ଯୋଡ଼ି ଥିଲା ସୁନିଲ ଦତ୍ତ ଆଉ ନର୍ଗିସ୍‌ଙ୍କ ଯୋଡ଼ି। ଦୁହିଁଙ୍କ ପ୍ରେମ କାହାଣୀ ବେଶ୍‌ ଚର୍ଚ୍ଚିତ। ହେଲେ ଆପଣ ଜାଣନ୍ତିକି କେମିତି ହୋଇଥିଲା ଦୁହିଁଙ୍କ ଭେଟ ଆଉ କିପରି ହେଲା ପ୍ରେମ?

ପ୍ରଥମେ ସୁନିଲ ଦତ୍ତ ଏତେ ବଡ଼ ବଲିଉଡ୍‌ ଷ୍ଟାର୍‌ ନଥିଲେ। ସେ ସିଲୋନ୍ ରେଡିଓ ଷ୍ଟେସନ୍‌ରେ ରେଡିଓ ଜକି ଭାବେ କାମ କରୁଥିଲେ। ରେଡିଓ ଷ୍ଟେସନ୍‌ରେ ହିଁ ସୁନିଲ୍‌ଙ୍କ ଦେଖା ନର୍ଗିସ୍‌ଙ୍କ ସହିତ ହୋଇଥିଲା।

ସେହି ସମୟରେ ବଲିଉଡ୍‌ର ଜଣେ ନାମୀଦାମୀ ଅଭିନେତ୍ରୀ ଥିଲେ ନର୍ଗିସ୍। ରେଡିଓରେ ଇଣ୍ଟର୍‌ଭ୍ୟୁ ଦେବା ପାଇଁ ପ୍ରଥମ କରି ରେଡିଓ ଷ୍ଟେସନକୁ ଆସିଥିବା ସମୟରେ ସୁନିଲ୍‌ ଦତ୍ତଙ୍କ ସହିତ ଭେଟ ହୋଇଥିଲା ତାଙ୍କର। ଇଣ୍ଟର୍‌ଭ୍ୟୁରେ ପ୍ରଥମେ ନର୍ଗିସ୍‌ଙ୍କୁ ଦେଖି ସୁନିଲ୍ ଦତ୍ତ ନର୍ଭସ୍‌ ହୋଇଯାଇଥିଲେ। ଏତେ ବଡ ଅଭିନେତ୍ରୀ ତାଙ୍କ ସାମ୍ନାରେ ବସିଥିବା କଥା ବିଶ୍ୱାସ କରିପାରି ନ ଥିଲେ ସେ। ଏହାପରେ ୧୯୫୦ରେ ‘ଦୋ ବିଘା ଜମିନ୍‌’ ଫିଲ୍ମ ସେଟ୍‌ରେ ଦୁହିଁଙ୍କ ଦ୍ୱିତୀୟ ଥର ଭେଟ ହୋଇଥିଲା। ସେତବେଳକୁ ନର୍ଗିସ୍‌ଙ୍କର ପ୍ରେମରେ ପଡ଼ିଯାଇଥିଲେ ସୁନିଲ୍।

ମଦର ଇଣ୍ଡିଆ ଫିଲ୍ମ ସେଟ୍‌ରେ ହୋଇଥିଲା ପ୍ରେମ

ପରେ ପରେ ସେ ‘ମଦର ଇଣ୍ଡିଆ’ ଫିଲ୍ମରେ ନର୍ଗିସ୍‌ଙ୍କ ପୁଅ ରୋଲ୍ ପାଇଥିଲେ। ଫିଲ୍ମଟି ସୁପର୍‌ହିଟ୍ ହେବା ସହିତ ଦୁହିଁଙ୍କ ପ୍ରେମ କାହାଣୀ ବି ମଜବୁତ ହୋଇଥିଲା। ‘ମଦର ଇଣ୍ଡିଆ’ ସେଟ୍‌ରେ ଗୋଟିଏ ନିଆଁ ଲାଗିବା ସିନ୍‌ ଥିଲା। କିନ୍ତୁ ସତରେ ନିଆଁ ଘେରରେ ଫସିଯାଇଥିଲେ ନର୍ଗିସ୍। ସେହି ସମୟରେ ସୁନିଲ୍‌ ଦତ୍ତ ତାଙ୍କୁ ସୁରକ୍ଷିତ ଭାବେ ନିଆଁ ଘେରରୁ ବାହାର କରିଥିଲେ। ସେହ ସମୟରେ ନିଆଁ ଯୋଗଁ ସୁନିଲଙ୍କ ଦେହର ବହୁତ ଜାଗା ପୋଡ଼ିଯାଇଥିଲା।

 ଲୁଚିକି ବିବାହ କରିଥିଲେ ନର୍ଗିସ, ସନିଲ ଦତ୍ତ

୧୯୫୮ ମସିହାରେ ନର୍ଗିସ୍ ଓ ସୁନିଲ୍‌ ଦତ୍ତ ଗୁପ୍ତ ଭାବେ ବିବାହ କରିଥିଲେ। ସୁନିଲ୍‌ ଦତ୍ତ ନର୍ଗିସ୍‌ଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ଏବଂ ନର୍ଗିସ୍ ପ୍ରସ୍ତାବ ସ୍ୱୀକାର କରି ନେଇଥିଲେ। ୧୯୫୯ ମସିହାରେ ଦୁହେଁ ନିଜର ଗୁପ୍ତ ବିବାହ କଥା ଘୋଷଣା କରିଥିଲେ।

କ୍ୟାନସର୍‌ରେ ହୋଇଥିଲା ନର୍ଗିସ୍‌ଙ୍କର ମୃତ୍ୟୁ

ନର୍ଗିସ କ୍ୟାନସରରେ ପୀଡ଼ିତ ଥିଲେ। ନ୍ୟୁୟର୍କର ଏକ ହସ୍ପିଟାଲ୍‌ରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିଛି ଦିନ ପରେ ନର୍ଗିସ୍ କୋମାକୁ ଚାଲିଗଲେ। ବହୁତ ଦିନ ଭେଣ୍ଟିଲେଟର୍‌ରେ ରହିଲେ। ଶେଷରେ ୧୯୮୧ ମସିହା, ମେ’ ୩ ତାରିଖରେ ମୁମ୍ବାଇରେ ନର୍ଗିସ୍‌ଙ୍କର ମୃତ୍ୟୁ ହୋଇଯାଇଥିଲା।

Comment