ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ସୁଖଦେବ ବିହାର ଓଭରବ୍ରିଜରେ ଥିବା କିଛି ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧୀ।

“୧୨୦ କିଲୋମିଟର ଚାଲି ଚାଲି ଆସିଲିଣି। ରାତିରେ ରହୁଛି ସକାଳୁ ପୁଣି ଚାଲୁଛି। ଚାଲିବାକୁ ଏବେ ଆମେ ବାଧ୍ୟ। ବଡ଼ ଲୋକଙ୍କୁ ତ କିଛି ଅସୁବିଧା ନାହିଁ, ହେଲେ ଭୋକିଲା ପେଟ ପାଇଁ ଆମକୁ ଏବେ ଚାଲିବାକୁ ପଡ଼ିବ।”

ରାସ୍ତାରେ ଚାଲୁଥିବା କିଛି ପ୍ରବାସୀ ଶ୍ରମିକଙ୍କ ଏଥିଲା ଦୁଃଖଭରା କଥା। ଶନିବାର କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କର ସୋସିଆଲ୍ ମିଡିଆ ଆକାଉଣ୍ଟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଏକ ଭିଡିଓ ଅପଲୋଡ୍ କରିଛନ୍ତି। ଯେଉଁଥିରେ ସେ ଦିଲ୍ଲୀର ସୁଖଦେବ ବିହାର ପ୍ଲାଏଓଭରର କିଛି ଶ୍ରମିକଙ୍କ ସହ କଥା ହେଉଛନ୍ତି। ଏହି ଆଲୋଚନା କାଳରେ ସେ ଲକଡାଉନ୍ ସମୟରେ ପ୍ରବାସୀ ଶ୍ରମିକ କିଭଳି ନାନାଦି ଅସୁବିଧା ଭୋଗୁଛନ୍ତି ତାହା ଦେଖାଇଛନ୍ତି।

ରାହୁଲ ଗାନ୍ଧୀ ଏହି ଭିଡିଓରେ ଜଣେ ଶ୍ରମିକଙ୍କୁ ପଚାରିଛନ୍ତି ଯେ, ତମେ କେଉଁଠୁ ଆସିଛ? ଆଉ କ’ଣ କରୁଛ?

ଏହାର ଜବାବରେ ଶ୍ରମିକ ଜଣକ କହିଛନ୍ତି ଯେ, ସେ ହରିୟାଣାରୁ ଚାଲି ଚାଲି ଦିଲ୍ଲୀ ଆସିଛନ୍ତି। ତାଙ୍କୁ ଝାନସୀ ଯିବାର ଅଛି। ତେଣୁ ଆଗକୁ ଆହୁରି ବହୁତ ରାସ୍ତା ଚାଲିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେ ବ୍ୟକ୍ତିଜଣକ ହରିୟାଣାରେ ଗୋଟିଏ କନଷ୍ଟ୍ରକସନ୍ ସାଇଟରେ କାମ କରୁଥିଲେ। ହେଲେ ଲକଡାଉନ ବଢ଼ିବା ପରେ ଆଉ ସେଠାରେ ରହିବା ସମ୍ଭବ ହେଲାନି ବୋଲି ସେ କହିଛନ୍ତି। ଏଥିସହ ତାଙ୍କ ପାଖରେ ଖାଇବାକୁ ନଥିଲେ ମଧ୍ୟ ଅନେକ ଲୋକ ରାସ୍ତାରେ ତାଙ୍କୁ ଖାଇବା ଦେଉଛନ୍ତି ବୋଲି ସେ କହିଛନ୍ତି।ସେହିପରି ଆଉ ଜଣେ ବ୍ୟକ୍ତି କହିଛନ୍ତି, “ମୋତେ ୨୧ ତାରିଖରେ ଜଣାପଡ଼ିଲା ଯେ କାଲିଠୁ ଭାରତ ବନ୍ଦ ହେଉଛି। ଚାରିଦିନ ପରେ ଜାଣିଲୁ ସବୁ କିଛି ପୂରାପୂରି ବନ୍ଦ ହୋଇଗଲା। ଏଭଳି ସମୟରେ ବଞ୍ଚିବୁ କେମିତି ଭାବି ପାରିଲୁନି। ଶେଷରେ ବାଧ୍ୟ ହୋଇ ନିଜ ଘରକୁ ଫେରିବାକୁ ଭାବିଲୁ।”

ଏଥିସହ ସରକାରଙ୍କ ତରଫରୁ ମିଳୁଥିବା ସାହାଯ୍ୟ ଓ ସହଯୋଗକୁ ନେଇ ମଧ୍ୟ ରାହୁଲ ଗାନ୍ଧୀ ପ୍ରବାସୀ ଶ୍ରମିକଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କୁ ଏଯାଏଁ କିଛି ବି ଟଙ୍କା କିମ୍ବା ସହଯୋଗ ମିଳିନି ବୋଲି ପ୍ରବାସୀ ଶ୍ରମିକମାନେ ଅଭିଯୋଗ କରିଛନ୍ତି।

ଏହାପରେ ସେହି ଭିଡିଓରେ ଲୋକମାନଙ୍କୁ ଗାଡ଼ିରେ ନେଇ ଛଡ଼ାଯାଉଛି। ତା’ସହ ଲୋକମାନେ ଘରେ ପହଞ୍ଚିବା ପରେ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଉଥିବା ଦେଖିବାକୁ ମିଳୁଛି।

ଶେଷରେ ରାହୁଲ ଗାନ୍ଧୀ କହୁଛନ୍ତି,“ପ୍ରବାସୀ ଭାଇ ଭଉଣାମାନେ ହିଁ ଏହି ଦେଶର ଶକ୍ତି। ଆପଣମାନେ ହିଁ ଏହି ଦେଶର ବୋଝକୁ ନିଜ କାନ୍ଧରେ ବୋହିଛନ୍ତି। ପୂରା ଦେଶ ଜାଣିଛି ଯେ ଆପଣଙ୍କ ସହ ଅନ୍ୟାୟ ହୋଇଛି। ହିନ୍ଦୁସ୍ଥାନର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ।”

Comment