ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରର ପୁନେ ସହରରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାହାରିଲା ସ୍ଵତନ୍ତ୍ର ଟ୍ରେନ। ୧୪ ଶହ ଶ୍ରମିକଙ୍କୁ ନେଇ ଏହି ଟ୍ରେନ ଓଡ଼ିଶା ଆସୁଛି। ଓଡିଶା ସରକାର, ମହାରାଷ୍ଟ୍ର ସରକାର ଓ ରେଳବାଇ ବିଭାଗଙ୍କ ମିଳିତ ସହାୟତାରେ ଏହି ପ୍ରବାସୀମାନେ ଓଡ଼ିଶା ଫେରୁଛନ୍ତି।

ପ୍ରବାସୀ ଓଡିଆମାନଙ୍କୁ ନେଇ ଗଠିତ ସ୍ପ୍ରେଡ ହାପିନେସ ଫାଉଣ୍ଡେସନର ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ର ଦୀର୍ଘଦିନ ଧରି ଉଭୟ ରାଜ୍ୟର ଅଧିକାରୀମାନଙ୍କ ସହିତ ଯୋଗାଯୋଗ ଜାରି ରଖି ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଇଥିଲେ। ଫାଉଣ୍ଡେସନର ସଦସ୍ୟମାନେ ଭୋସାରିଠାରେ ଉପସ୍ଥିତ ରହି ପ୍ରବାସୀମାନଙ୍କୁ ଟ୍ରେନ ଯାତ୍ରା ପାଇଁ ଟୋକନ ସଂଗ୍ରହ କରିବାରେ ସହାୟତା କରିଥିଲେ।

ଏହାସହ ଯାତ୍ରା ପୂର୍ବରୁ ଷ୍ଟେସନରେ ପ୍ରବାସୀମାନଙ୍କୁ ରେଳଯାତ୍ରା ସମୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା, ମାସ୍କ ପିନ୍ଧିବା ଓ ଅନ୍ୟାନ୍ୟ ଜରୁରୀ ସୂଚନା ସମ୍ପର୍କରେ ଅବଗତ କରାଇଥିଲେ ଫାଉଣ୍ଡେସନର ସଦସ୍ୟମାନେ। ଦୀର୍ଘଦିନ ଅସୁବିଧା ମଧ୍ୟରେ ରହିବାପରେ ଆଜି ଭିଟାମାଟିକୁ ଫେରିବାର ସୁଯୋଗପାଇଥିବାରୁ ପ୍ରବାସୀମାନଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଥିଲା।

ଏହି କାର୍ଯ୍ୟରେ ଫାଉଣ୍ଡେସନର ସଦସ୍ୟ ଜ୍ୟୋତି ରଞ୍ଜନ ପଣ୍ଡା, ଜନ୍ମଞ୍ଜୟ ବିଶ୍ଵାଳ, ଆନନ୍ଦ, ପ୍ରମୋଦ, ବିଜୟ ବେହେରା ସହଯୋଗ କରିଥିଲେ।

Comment