ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କୋଭିଡ -୧୯ ଭାଇରସ ଏକ ମହାମାରୀ ରୂପେ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବା ବେଳେ ଭାରତରେ ମଧ୍ୟ ତାର ପ୍ରକୋପ ଦେଖିବାକୁ ମିଳୁଛି। ଏହି ମହାମାରୀ ଆମର ଆଚରଣ ଓ ବ୍ୟବହାରରେ ବ୍ୟାପକ ପରିବର୍ତ୍ତନ ଆଣିଛି। ଏହି ପରିବର୍ତ୍ତନ ଭିତରେ ଆମ କିଣାକିଣି ଅଭ୍ୟାସ ବି ରହିଛି।

ଅନୁମାନ କରାଯାଉଛି ଆଗାମୀ ଦିନରେ ଲୋକଙ୍କ ସପିଙ୍ଗ୍ ଅଭ୍ୟାସ ବ୍ୟାପକ ଭାବେ ବଦଳିବ। ଗାଁରେ ଓ ଛୋଟ ଛୋଟ ସହରରେ ଯେଉଁଠି ମୂଲ୍ୟ ଉପରେ ଗୁରୁତ୍ୱ ଦିଆଯାଇଥାଏ ସେହି ସବୁ ସ୍ଥାନରେ ଛୋଟ ପ୍ୟାକର ଚାହିଦା ବଢ଼ିପାରେ। ସେହିପରି ବଡ଼ ବଡ଼ ସହରରେ ଲୋକେ ବଡ଼ ପ୍ୟାକ କିଣିବା ପସନ୍ଦ କରିବେ।

ନେସଲେ, ଡାବର,ଗୋଦରେଜ, ପାର୍ଲେ ଓ ଉଇପ୍ରୋ ଆଦି ଏଫଏମସିଜି କମ୍ପାନୀ ଯାହା ଦେଖୁଛନ୍ତି, ଆଗାମୀ ଦିନରେ ଯେତେବେଳେ ଗାଁ ଗହଳିରେ ଲୋକଙ୍କ ରୋଜଗାର ସ୍ୱାଭାବିକ ହେବ,ଲୋକେ ଅଧିକରୁ ଅଧିକ ଛୋଟ ପ୍ୟାକ ବାଲା ଜିନିଷ ହିଁ କିଣିବେ। ତେଣେ ବଡ଼ ସହର ବିଶେଷ କରି ମେଟ୍ରୋ ଅଞ୍ଚଳର ଲୋକେ ବଡ଼ ବଡ଼ ପ୍ୟାକ ବାଲା ଜିନିଷ ପତ୍ର କିଣିବାର ପ୍ରବୃତ୍ତି ଦେଖାଇବେ।କରୋନା ଆସିବା ପରେ ଗୋଟିଏ କଥା ଲକ୍ଷ୍ୟ କରାଯାଇଛି ଯେ ଲୋକେ ଛୋଟ ଦୋକାନ ହେଉ କି ଖୋଲା ଯାଇଥିବା ସପିଙ୍ଗ ମଲ ହେଉ,ଏକାଥରକେ ବଡ଼ ବଡ଼ ପ୍ୟାକେଟ କିଣୁଛନ୍ତି। ଥରେ ଦୋକାନକୁ ଗଲେ ଗୁଡ଼ାଏ ଦିନ ପାଇଁ ଜିନିଷ ପତ୍ର ଆଣିବା ଏବେ ଏକ ଅଭ୍ୟାସରେ ପଡ଼ିଯାଇଛି। ଏହା ଆଗକୁ ମଧ୍ୟ ଚାଲୁ ରହିବ କାରଣ କରୋନା ସଂକ୍ରମଣର ଭୟ ଯୋଗୁଁ ଲୋକେ ବାରମ୍ବାର ସଉଦା ପତ୍ର ଆଣିବା ପାଇଁ ଆଉ ଦୋକାନ ଯିବେ ନାହିଁ। କିଛି ବଡ଼ ବଡ଼ ଏଫଏମଏସଜି କମ୍ପାନୀର ସିଇଓଙ୍କ ମତରେ ରୋଜଗାରର ଅନିଶ୍ଚିୟତାକୁ ଦେଖି ଲୋକେ ଆଗକୁ ଆଗକୁ କମ ପଇସା ଖର୍ଚ୍ଚ କରିବେ। ଏଣୁ ଗ୍ରାମାଞ୍ଚଳ ଓ ଛୋଟ ସହରରେ ଛୋଟ ପ୍ୟାକ ବାଲା ଜିନିଷ ଅଧିକ ବିକ୍ରି ହେବ।

ଆହୁରି ମଧ୍ୟ ଯେଉଁ ପ୍ରବାସୀ ଶ୍ରମିକ ଗାଁକୁ ଫେରିଛନ୍ତି ସେମାନେ ସହରରେ ରହିବା ବେଳେ ବ୍ରାଣ୍ଡେଡ଼ ଜିନିଷ କିଣିବାରେ ଅଭ୍ୟସ୍ତ ଥିବାରୁ ଗାଁ ଦୋକାନରେ ମଧ୍ୟ ସେହି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଜିନିଷ ମାଗି ପାରନ୍ତି। ଏହି ଦୃଷ୍ଟିରୁ ପ୍ରାୟ ସବୁ ଏଫଏମଏସଜି କମ୍ପାନୀ ଏଣିକି ଛୋଟ ଛୋଟ ପ୍ୟାକ ବନେଇବା ପାଇଁ ପ୍ରସ୍ତୁତ ହେଉଛନ୍ତି।

Comment