ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଜନ ସମ୍ରାଟ ଭିକାରୀ ବଳଙ୍କ ୯୧ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି।

ନାଁ ତାଙ୍କର ଭିକାରୀ ବଳ। ଓଡ଼ିଆଙ୍କର ସେ ଥିଲେ ଭାରି ପ୍ରିୟ। ଭକ୍ତି ସଙ୍ଗୀତ ଗାଇବାରେ ସେ ଥିଲେ ଜଣେ ଅନନ୍ୟ ପୁରୋଧା। ଭକ୍ତି ସଙ୍ଗୀତରେ ତାଙ୍କର ଏହି ଅବଦାନ ଯୋଗୁଁ ଗଜପତି ମହାରାଜା ତାଙ୍କୁ ଦେଇଥିଲେ ଭଜନ ସମ୍ରାଟର ଉପାଧି। ନାଁ ସିନା ଥିଲା ଭିକାରୀ। ହେଲେ ସେ ସମସ୍ତଙ୍କ ନିକଟରେ ଭଜନ ସମ୍ରାଟ ଭିକାରୀ ବଳ ଭାବେ ହୋଇଗଲେ ପରିଚିତ।  କୁହାଯାଏ ପ୍ରଭୁ ଜଗନ୍ନାଥ ଯେମିତି ଭାବର ଠାକୁର, ଭିକାରୀ ବଳ ସେମିତି ଭାବର ଗାୟକ।

କେମିତି ଥିଲା ଭିକାରୀଙ୍କ ସଙ୍ଗୀତ ଯାତ୍ରା

ପିତା ରାମଚନ୍ଦ୍ର ବଳ ଓ ମାତା ଗେହ୍ଲାରାଣି ବଳଙ୍କ ସନ୍ତାନ ଭିକାରୀ ବଳ ୧୯୨୯ ମସିହା ମେ’ ୨୫ ତାରିଖରେ ଓଡ଼ିଶାର କେନ୍ଦ୍ରାପଡ଼ାସ୍ଥିତ ସୋବଳାରେ ଜନ୍ମ ହୋଇଥିଲେ। ପିଲାଟି ଦିନରୁ ହିଁ ତାଙ୍କର ସଙ୍ଗୀତ ପ୍ରତି ଦୁର୍ବଳତା ରହିଥିଲା। କେନ୍ଦ୍ରାପଡ଼ାର ଗୋକୁଳଚନ୍ଦ୍ର ସଙ୍ଗୀତ ଶିକ୍ଷା ସଦନରେ ସେ ସଙ୍ଗୀତ ଶିକ୍ଷା କରୁଥିଲେ। ତା’ପରେ କଟକ କଳା ବିକାଶ କେନ୍ଦ୍ରରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ।  ପରବର୍ତ୍ତୀ ସମୟରେ ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଓଡ଼ିଶୀ ଙ୍ଗୀତର ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ।

ଆକାଶବାଣୀରେ ଜଣେ ଏ-ଶ୍ରେଣୀର ଗାୟକ ଭାବରେ ଭିକାରୀ ବଳ କାମ କରିଥିଲେ।

ଭିକାରୀ ବଳଙ୍କୁ ମିଳିଥିବା ଉପାଧି

ଭଜନ ସମ୍ରାଟ, ଭକ୍ତ କଣ୍ଠ, ସଙ୍ଗୀତ ରତ୍ନାକର, ସଙ୍ଗୀତ ମଉଡ଼ମଣି, ସଙ୍ଗୀତ ବାରିଧି ଉପାଧିରେ ସମ୍ମାନିତ ହୋଇଥିଲେ ଭିକାରୀ ବଳ।

ବୈଷ୍ଣବ ଅଗ୍ନିରେ ହୋଇଥିଲା ଭିକାରୀଙ୍କ ଅନ୍ତିମ ସଂସ୍କାର

ଭିକାରୀ ବଳ ଥିଲେ ଭାଗ୍ୟବାନ। ତାଙ୍କ ଅନ୍ତିମ ସଂସ୍କାର ସମୟରେ ଶ୍ରୀମନ୍ଦିର ରୋଷଘରୁ ଅଗ୍ନି ଆସିଥିଲା, ଯାହାକୁ ବୈଷ୍ଣବ ଅଗ୍ନି କୁହାଯାଏ। ଏହି ସୌଭାଗ୍ୟ ଖୁବ୍‌ କମ ଲୋକଙ୍କ ଭାଗ୍ୟରେ ଥାଏ।

ଭିକାରୀଙ୍କ ଲୋକପ୍ରିୟ ଭଜନ

ଭିକାରୀ ବଳଙ୍କ ଲୋକପ୍ରିୟ ଭଜନ ମଧ୍ୟରେ ରହିଛି କୋଠ ଭୋଗଖିଆ, ଜଗନ୍ନାଥ ହେ କିଛି ମାଗୁନାହିଁ ତୋତେ, ଭଜୁ କି ନା ରାମ ନାମ, ହାତରେ ମୋ ମୁଠା ମୁଠା ଶରଧା ବାଲି, ମୁଁ ତ ବଡ଼ ଦେଉଳର ପାରାରେ, ଭକ୍ତ ସାଲବେଗ, ଅଗ୍ନୀ ପରୀକ୍ଷା, ମଥୁରା ବିଜୟ, କିଏ କାହାର ଭଳି ଚଳଚ୍ଚିତ୍ର ସମେତ ସେ ୨୦ ହଜାରରୁ ଅଧିକ ଗୀତ ଗାଇ ଇତିହାସ ରଚିଥିଲେ।

Comment