ଓଡ଼ିଶାଲାଇଭ୍‌ ବ୍ୟୁରୋ

କେବଳ ରାୟଗଡ଼ାକୁ ଛାଡ଼ି ଆଉ ସବୁ ଜିଲ୍ଲାରେ ପଶିଲା କରୋନା।

କରୋନା ଭାଇରସ୍‌ କବଳରେ ଓଡ଼ିଶା। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ଜିଲ୍ଲା ସଂଖ୍ୟା ବି ବଢ଼ି ଚାଲିଛି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଥିବା ବେଳେ ୨୯ ଜିଲ୍ଲାରୁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ରାୟଗଡ଼ା ଜିଲ୍ଲା କରୋନା ମୁକ୍ତ ରହିଛି।

ମାର୍ଚ୍ଚ ଓ ଏପ୍ରିଲ ମାସ ମାତ୍ର ଅଳ୍ପ କିଛି ଜିଲ୍ଲାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା ଏବଂ ଜିଲ୍ଲା ସଂଖ୍ୟା ବି ବଢ଼ି ଚାଲିଲା। ଗତ ଦୁଇ ଦିନ ତଳେ ତିନି ଜିଲ୍ଲାକୁ କରୋନା ଛୁଇଁ ନଥିଲା। ବରଗଡ଼, ସୋନପୁର ଏବଂ ରାୟଗଡ଼ା ଜିଲ୍ଲା କରୋନା କବଳରୁ ମୁକ୍ତ ଥିଲା। ହେଲେ ଗତକାଲି ବରଗଡ଼ରୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ସୋନପୁରରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ରାୟଗଡ଼ା ଜିଲ୍ଲା ଏବେ କରୋନା ପ୍ରଭାବରୁ ବର୍ତ୍ତି ଯାଇଛି।

ଆଜି ସାରା ରାଜ୍ୟରୁ ୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ଚିହ୍ନଟ ହୋଇଥିବା ବେଳେ ସୋନପୁର ଜିଲ୍ଲାକୁ ପ୍ରଥମ ଥର ପାଇଁ କରୋନା ଛୁଇଁଛି। ଏହି ଜିଲ୍ଲାରୁ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନସୁଦ୍ଧା ଗଞ୍ଜାମରେ ୩୫୮, ଯାଜପୁରରୁ ୨୪୨, ବାଲେଶ୍ୱରରୁ ୧୩୭, ଭଦ୍ରକରୁ ୧୦୬, ଖୋର୍ଦ୍ଧାରୁ ୮୬, ପୁରୀ ୮୫, କଟକ ୭୫, କେନ୍ଦ୍ରାପେଡ଼ାରୁ ୬୧, ସୁନ୍ଦରଗଡ଼ରୁ ୩୭, ବୌଦ୍ଧରୁ ୩୩, ନୟାଗଡ଼ରୁ ୪୮, ଜଗତସିଂହପୁର ୪୧, ଅନୁଗୁଳ ୨୫, ମୟୂରଭଞ୍ଜ ୧୫, କଳାହାଣ୍ଡି ୧୫, କେନ୍ଦୁଝର ୨୦, ବଲାଙ୍ଗିର ୩୮, ମାଲକାନଗିରି ୧୯, ସମ୍ବଲପୁର ୫, କନ୍ଧମାଳ ୧୩, ଝାରସୁଗୁଡ଼ା ୬, ଗଜପତି ୧୦, ଢେଙ୍କାନାଳ ୭, ଦେବଗଡ଼ ୨୪, ନବରଙ୍ଗପୁର ୧, କୋରାପୁଟ ୭, ବରଗଡ଼ ୧, ନୂଆପଡ଼ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comment